Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍) : ମାଛ ଚାଷ ଉତ୍ପାଦନ ବୃଦ୍ଧି କରିବା ଦିଗରେ ପରୀକ୍ଷା ନୀରିକ୍ଷା କରିବା ପାଇଁ ଏହି ନୂତନ ଭବନରେ ମତ୍ସ୍ୟ ବିଭାଗର ଜିଲ୍ଲା ଓ ଜୋନାଲ କାର୍ଯ୍ୟାଳୟ ସହିତ ଆକ୍ୱା ଲ୍ୟାବ୍ ଭବନ ମଧ୍ୟ ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ମାଛର ସ୍ଥାନ ସ୍ୱତନ୍ତ୍ର । ଅପାର ସମ୍ଭାବନାର ଅଞ୍ଚଳ ହୀରାକୁଦ ଓ ଆଖପାଖ ଅଞ୍ଚଳରେ ଉତ୍ପାଦନ ହେଉଥିବା କୁଡୋ ମାଛର ଚାହିଦା ରାଜ୍ୟ ବାହାରେ ଅଧିକ ରହିଛି । ସେହି ମାଛ ଚାଷକୁ ପ୍ରୋତ୍ସାହନ ଦେବା ଦିଗରେ ମଧ୍ୟ ଆଜିର ନୂତନ ଭବନ ସହାୟକ ହେବ ।
ଓଡ଼ିଶାରେ ପୂର୍ବ ସରକାର ନାମକୁ ମାତ୍ର ଏହି ସବୁ ବିଭାଗ କାର୍ଯ୍ୟ ପରିଚାଳନା କରୁଥିଲେ । ଏହି କାରଣରୁ ମତ୍ସ୍ୟଚାଷୀମାନେ ଚାଷର ପ୍ରତ୍ୟକ୍ଷ ଲାଭରୁ ବଞ୍ଚିତ ହେଉଥିଲେ । ମାତ୍ର ଓଡ଼ିଶାରେ ବିଜେପିର ନୂଆ ସରକାର ଗଠନ ହେବା ପରେ ରାଜ୍ୟ ଅର୍ଥନୀତିରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଚାଷ ପାଇଁ ବ୍ୟାପକ ସରକାରୀ ପଦକ୍ଷେପ ଗ୍ରହଣ କରାଯାଉଛି । ସମ୍ବଲପୁର, ଦେବଗଡ଼, ବରଗଡ ଜିଲ୍ଲାରେ ମାଛ ଚାଷକୁ ଦୁଇ ଗୁଣିତ କରିବା ପାଇଁ ଆଜି ଏପରି ପଦକ୍ଷେପ ନିଆଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଭାରତ ସରକାରଙ୍କ ସହଯୋଗରେ ଏହି ଅଞ୍ଚଳରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଏକ ‘ମତ୍ସ୍ୟ ପାର୍କ’ କରାଯିବାର ଯୋଜନା କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପାଖାପାଖି ୮୦୦ କୋଟି ଟଙ୍କା ବ୍ୟୟରେ ହୀରାକୁଦ କେନାଲକୁ ବିକଶିତ କରିବା ପାଇଁ ଯୋଜନା ହୋଇଛି ।
ଧାନ ଚାଷ, ମତ୍ସ୍ୟଚାଷ, ଗୋପାଳନ, ଛେଳି ଚାଷ ବିଶେଷକରି ଗ୍ରାମୀଣ ଜନସାଧାରଣଙ୍କ ପାଇଁ ଖାଦ୍ୟ, ପୋଷଣ ଏବଂ ରୋଜଗାରର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇ ରହିଛି । ଏ ଦିଗରେ ବିଜେପିର ଡବଲ ଇଞ୍ଜିନ ସରକାର ସବୁ ବର୍ଗର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ସୁଭଦ୍ରା ଯୋଜନାରେ ସରକାରଙ୍କ ଠାରୁ ସହାୟତା ପାଉଥିବା ମହିଳାମାନେ ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ଭଳି ଏହି ସବୁ ଚାଷକୁ ପ୍ରୋତ୍ସାହନ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଚାଷୀଙ୍କ ଆୟ ବଢିଲେ ପରିବାର ଓ ସମାଜ ଏବଂ ସ୍ଥାନୀୟ ଅର୍ଥନୀତି ମଜଭୂତ୍ ହେବ । ୨୦୩୬ ମସିହା ସୁଦ୍ଧା ମାଛ ଉତ୍ପାଦନରେ ଆମ ରାଜ୍ୟ ୧ ନମ୍ବର ରାଜ୍ୟରେ ପରିଣତ ହେବା ଲକ୍ଷ୍ୟରେ କାମ କରିବାକି ଆହ୍ୱାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।