PM Modi Odisha visit: ଓଡ଼ିଶାରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ

Reporterspen

PM Modi Odisha visit: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଆଜି ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ଆୟୋଜିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଓଡ଼ିଶା ମାଟିରେ ଜୟ ଜଗନ୍ନାଥ କହିବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ।

ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଆମେ ସମସ୍ତେ ମିଶି ଓଡ଼ିଶାର ଗୌରବ ବଢ଼ାଇବା । ଓଡ଼ିଶାରେ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ପାଇଁ ବିଜେପି ଲକ୍ଷ୍ୟ ରଖିଛି ଏବଂ ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଆମେ କାମ କରୁଛୁ । ବିଜେପି ସରକାର ଆସିଲା ପରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ମିଶନ ମୋଡରେ ଆମେ କାମ କରୁଛୁ । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ସାଧାରଣ ଜନତାଙ୍କ ସହ ଯୋଡ଼ି ହୋଇଛନ୍ତି । ଜନତାଙ୍କ ସହ ଯୋଡ଼ି ହେବା ବିଜେପିର ନୀତି ଆଦର୍ଶ । ମାଆ ସୁଭଦ୍ରାଙ୍କ ଆଶୀର୍ବାଦ ନେଇ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ କରିଛୁ । ଏହି ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇ ଜନଜାତିଙ୍କ ଗୌରବ ବଢ଼ାଇଛନ୍ତି । ଓଡ଼଼ିଶାର ୧୩ ଆଦିବାସୀ ସଂପ୍ରଦାୟଙ୍କୁ ପିଏମ୍ ଜନମନ ସୁବିଧା ମିଳୁଛି ଏବଂ ଏଠାରେ ଧାନର ଏମ୍ଏସ୍‌ପି ୩୧୦୦ ଟଙ୍କା ଦିଆଯାଉଛି ବୋଲି ପିଏମ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିକଟରେ ଓଡ଼ିଶାବାସୀ ସଫଳତାର ସହ ବାଲିଯାତ୍ରା ମହୋତ୍ସବକୁ ପାଳନ କରିଛନ୍ତି । ଶହେରୁ ଊର୍ଦ୍ଧ୍ବ ବର୍ଷ ହେଲା ଦେଶରେ ଡିଜିପି ସମ୍ମିଳନୀ ହେଉଛି ମାତ୍ର ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ହୋଇଛି । ଡିସେମ୍ବର ୪ରେ ନୌସେନା ଦିବସ ମଧ୍ୟ ଓଡ଼ିଶାରେ ପାଳନ ହେବାକୁ ଯାଉଛି । ଜାନୁଆରୀରେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ । ସାରା ବିଶ୍ବରୁ ଲୋକ ଭୁବନେଶ୍ବରକୁ ଆସିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ବିରୋଧୀଙ୍କୁ ନିଶାନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ରାଜନୀତିର ବିଚାରଧାରା ଅଲଗା ହେବା କିଛି ନୂଆ ନୁହେଁ । ବିରୋଧୀ ଯେପରି ଲୋକଙ୍କ ଉପରେ ରାଗୁଛନ୍ତି ତାହା ଚିନ୍ତାଜନକ ବିଷୟ ପାଲଟିଛି । କ୍ଷମତାଲୋଭୀ ଏମାନେ ଜନତାକୁ ମିଛ କହି ଆସୁଛନ୍ତି । ଓଡ଼ିଶାର ବିକାଶ ପାଇଁ ଆମେ ଲଗାତାର କାମ କରୁଛୁ । ପୂର୍ବରୁ ମନ୍ତ୍ରୀ ପରିଷଦରେ ଓଡ଼ିଶାରୁ କେବେ ଏତେ ସଦସ୍ୟ ନଥିଲେ କିନ୍ତୁ ବର୍ତ୍ତମାନ ତାହା ବଢିଛି । ଓଡ଼ିଶା ଲୋକେ ହୃଦୟ ଖୋଲି ବିଜେପିକୁ ସମର୍ଥନ କରିଛନ୍ତି । ବିଦେଶକୁ ଗଲେ ଲଗାତାର ତୃତୀୟ ଥର ସରକାର ପାଇଁ ଆମକୁ ପ୍ରଶଂସା ମିଳୁଛି । ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ଫଳ ବିଶ୍ବାସ ଭରିଛି, ଏଠି ବି ସମାନ ଉତ୍ସାହ ରହିଛି । ଏହା ହେଉଛି ଆମ କାର୍ଯ୍ୟକର୍ତ୍ତାଙ୍କ ସାମର୍ଥ୍ୟ । ବିଜେପିର କାର୍ଯ୍ୟଶୈଳୀ ଦେଖି ଲୋକେ ଆମକୁ ଭୋଟ୍ ଦେଉଛନ୍ତି । ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପିର ଶକ୍ତିକୁ ନେଇ ଅନେକ ପ୍ରଶ୍ନ ଆସୁଥିଲା । ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଭୋଟ୍ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ, ଆଜିର ଦିନକୁ ଐତିହାସିକ ଦିନ । ଆମ ସରକାର ଆସିବାର ମାତ୍ର ୫ ମାସ ହୋଇଛି। ସୁଭଦ୍ରା ଯୋଜନା, ଚାଷୀଙ୍କୁ ୩୧୦୦ ଟଙ୍କା ଏମ୍‌ଏସ୍‌ପି ନିଷ୍ପତ୍ତି ହୋଇଛି। ଆପଣଙ୍କୁ କହିରଖୁଛୁ ଯେ, ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ।  ଭୁବନେଶ୍ବରରେ ପହଞ୍ଚିବା ପରେ ପିଏମ୍ ମୋଦୀଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ । ବିମାନବନ୍ଦରରୁ ସିଧା ସଭାସ୍ଥଳକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ।


Reporterspen