Police Encounter: ପୁରୁଣା ଫଣ୍ଡା: ଏଟିଏମ୍ ଲୁଟେରାକୁ ଏନ୍‌କାଉଣ୍ଟର

Reporterspen

Police Encounter: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ରାଜଧାନୀ ଭୁବନେଶ୍ୱରରେ କୁଖ୍ୟାତ ଏଟିଏମ ଲୁଟେରା ଦୀପକ କୁମାର ପୋଲିସ ଗୁଳିରେ ଗୁରୁତର ହୋଇଛି । ବେଶ କିଛିଦିନ ହେଲା ଦୀପକ ପୋଲିସକୁ ଚକମା ଦେଇ ଘୂରି ବୁଲୁଥିବା ବେଳେ ଗତକାଲି ରାତିରେ ସେ ହାବୁଡରେ ପଡିଥିଲା । ପରେ ପୋଲିସ ଗୁଳିରେ ସେ ଗୁରୁତର ହୋଇଛି । ତେବେ ଏହା ବାସ୍ତବରେ ପୋଲିସ-ଅପରାଧୀ ମୁହାଁମୁହିଁ ନା ଧରିଆଣି ଗୁଳିକର? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କେତେକ କହୁଛନ୍ତି, ନୂଆ ଡିସିପି ପୁରୁଣା ଫଣ୍ଡା ।

ପୋଲିସ ସୂଚନା ଅନୁସାରେ, ରାଜଧାନୀ ଓ ଆଖପାଖ ଅଞ୍ଚଳରେ ବେଶ କିଛିଦିନ ହେବ ଏଟିଏମ ଲୁଟ୍ ହେଉଥିଲା । ଏହି ଘଟଣାର ତଦନ୍ତ ବେଳେ ବିହାରୀ ଲୁଟେରା ଦୀପକ କୁମାର ଏହି ଲୁଟ୍‌ର ମାଷ୍ଟର ମାଇଣ୍ଡ ବୋଲି ଜଣାପଡିଥିଲା । ପୋଲିସ ତାକୁ ପିଛା କରୁଥିଲା । ଗତକାଲି ସେ ପୁରୀର ଏକ ଏଟିଏମ୍ ଲୁଟ କରି ଭୁବନେଶ୍ୱର ଆସୁଥିବା ଖବର ମିଳିଥିଲା । ପରେ ସ୍ପେଶାଲ ସ୍କ୍ୱାଡ ଓ ବଡଗଡ ପୋଲିସ ଜାତୀୟ ରାଜପଥର ଟଙ୍କପାଣି ରୋଡ ପାଖରେ ଜଗି ରହିଥିଲା ।

ଦୀପକ ସହ ୩ ସହଯୋଗୀ ଏକ କାରରେ ଫେରୁଥିବା ବେଳେ ପୋଲିସ ସେମାନଙ୍କ ବାଟ ଓଗାଳିଥିଲା । ପରେ ପୋଲିସ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । ପ୍ରଥମେ ଅପରାଧୀମାନେ ପୋଲିସ ଉପରକୁ ଗୁଳି ମାଡ କରିଥିଲେ । ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳିମାଡ କରିଥିଲା । ପୋଲିସ ଗୁଳି କୁଖ୍ୟାତ ଅପରାଧୀ ଦୀପକର ବାମ ଗୋଡରେ ବାଜିଥିଲା । ଫଳରେ ସେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲା । ପୋଲିସ ତାକୁ କାବୁ କରି ହସପିଟାଲରେର ଭର୍ତ୍ତି କରିଥିଲା । ଏହି ସମୟରେ ଅନ୍ୟ ଦୁଇଜଣ ଫେରାର ହୋଇଥିଲେ ।

ଅନ୍ୟପକ୍ଷରେ କୁହାଯାଉଛି ପୋଲିସର ଏହି କାହାଣୀ ବେଶ ପୁରୁଣା । ସବୁ ଏନକାଉଣ୍ଟର ବେଳେ ପୋଲିସ ଏହି ଗୋଟିଏ କାହାଣୀ ବଖାଣୁଛି । ପ୍ରଥମେ ଅପରାଧୀ ଗୁଳି କରୁଛି ଓ ପରେ ପୋଲିସ ଗୁଳି ତା’ର ଗୋଡରେ ବାଜୁଛି । ଯାହା ବାସ୍ତବରେ ଗ୍ରହଣୀୟ ହେଉନାହିଁ । ୨୦୦୮ ମସିହାରୁ କମିଶନରେଟ ପୋଲିସ କରିଥିବା ସମସ୍ତ ଏନକାଉଣ୍ଟରରେ ଏହି ସମାନ କାହାଣୀ କୁହାଯାଉଛି ଏବଂ ସବୁ ଘଟଣାରେ ଅପରାଧୀର ଆଣ୍ଠୁ ତଳକୁ ହିଁ ଗୁଳି ବାଜୁଛି । ଓଡ଼ିଶାରେ ସତରେ କ’ଣ ଏଭଳି ଲକ୍ଷ୍ୟଭେଦି ପୋଲିସ ଅଫିସର ଅଛନ୍ତି?

କୁହାଯାଉଛି, ପୋଲିସ ଦୁଇ/ତିନି ପୂର୍ବରୁ ଅପରାଧୀକୁ ଧରି ଗୁପ୍ତସ୍ଥାନରେ ରଖି ଜେରା କରେ । ପରେ ସୁବିଧା-ସୁଯୋଗ ଦେଖି ଏକ କାହାଣୀ ରଚନା କରିବା ସହ ସ୍ଥାନ ନିର୍ଦ୍ଧାରଣ କରେ । ପରେ ବିଳମ୍ବିତ ସ୍ଥାନରେ ଅପରାଧୀକୁ ଧରି ଯୋଜନା ମୁତାବକ ସେଠାକୁ ଯାଇ ତା’ ଗୋଡକୁ ଗୁଳି କରି ହସପିଟାଲରେ ଭର୍ତ୍ତି କରିଦିଏ । ବିଗତ ଦିନରେ ଘଟିଥିବା ଏନକାଉଣ୍ଟର ପ୍ରାୟ ଏହି ଭଳି କରାଯାଇଛି । ଗତକାଲି ରାତିର ଏନକାଉଣ୍ଟର ମଧ୍ୟ ଏହିଭଳି କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ବାଲାଷ୍ଟିକ ଯାଞ୍ଚ, ଗୁଳି କରିଥିବା ଅଫିସରଙ୍କ ଫାୟାର ରେଞ୍ଜ ଟ୍ରେନିଂ ରିପୋର୍ଟ, ପୁରୀରୁ ଭୁବନେଶ୍ୱର ଯାଏ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ ଓ ମୋବାଇଲ କଲହିଷ୍ଟ୍ରି ହିଁ କହିପାରିବ ପ୍ରକୃତରେ ଏହା ଏନକାଉଣ୍ଟର ନା ପୁରୁଣା ଫଣ୍ଡା ‘ଧରିଆଣି ଗୁଳିକର’ ।


Reporterspen
!-- afp header code starts here -->