ପୋଲିସ ଜନତାଙ୍କ ଶ୍ରଦ୍ଧାଭାଜନ ହେବ : ଖୁରାନିଆ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶାର ନୂଆ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶୁକ୍ରବାର ଅପରାହ୍ଣରେ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ପୋଲିସ ଡିଜି ଅରୁଣ ଷଢଙ୍ଗୀଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ପରିସ୍ଥିତି ଓ ବିଶେଷ କରି ଓଡ଼ିଶା ପୋଲିସ ‘ଲୋକଙ୍କ ପୋଲିସ’ ଭାବେ କିପରି କାମ କରିବ, ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବ ।

ନୂଆ ଡିଜିପି ୱାଇବି ଖୁରାନିଆ କହିଛନ୍ତି ଯେ, ଉନ୍ନତମାନର ପୋଲିସ ସେବା ଯୋଗାଇବା ମୂଳ କର୍ତ୍ତବ୍ୟ ରହିବ । ଏଥିସହ ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପାଇଁ ପଦକ୍ଷେପ ନିଆଯିବ । ମାଓ ମୁକାବିଲାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି ତେଣୁ ଆଗକୁ ଏହା କିପରି ବଜାୟ ରହିବ ସେ ପ୍ରତି ଧ୍ୟାନ ଦିଆଯିବ । ଏଥିସହ ଶାନ୍ତିଶୃଙ୍ଖଳା ବଜାୟ, ଅପରାଧ ତଦନ୍ତ ଓ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯିବ । କେବଳ ଏତିକି ନୁହେଁ, ଦୁର୍ବଳବର୍ଗ, ଶିଶୁ, ମହିଳା, ଏସ୍‌ସିଏସ୍‌ଟି ଅପରାଧ ଉପରେ ଧ୍ୟାନ ରହିବ ବୋଲି କହିଛନ୍ତି ନୂଆ ଡିଜିପି । ସାଇବର ଅପରାଧକୁ ସଫଳତାର ସହ ମୁକାବିଲା ଉପରେ ପଦକ୍ଷେପ ନିଆଯିବ । ମାଦକ ଦ୍ରବ୍ୟ କାରବାର ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ଜନତାଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ମୁଁ, ମୋ ସହକର୍ମୀମାନେ ସଂକଳ୍ପବଦ୍ଧ ବୋଲି ୱାଇବି ଖୁରାନିଆ କହିଛନ୍ତି  ।

ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ପୋଲିସ ମହାନିର୍ଦ୍ଦେଶକ ୱାୟୀ. ବି. ଖୁରାନିଆ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତିା

ସୂଚନାଯୋଗ୍ୟ ଯେ, ୱାବି ଖୁରାନିଆ ପୂର୍ବରୁ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି। ସେହିପରି ଭୁବନେଶ୍ୱର-କଟକ କମିସନରେଟ ପୁଲିସର କମିସନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଏଥି ସହିତ ଡିଜିପି ପାଇଁ ତାଙ୍କ ନାମ ସୁପାରିସ କରାଯାଇ ଥିଲା।

ତେବେ ଓଡ଼ିଶାକୁ ନୂଆ ଡିଜିପି ଭାବେ ଆଇପିଏସ୍ ଯୋଗେଶ ବାହାଦୂର (ୱାବି) ଖୁରାନିଆଙ୍କୁ ଦାୟିତ୍ଵ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ଆଜି ତାଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବାପରେ ସେ ରାଜ୍ୟର ନୂଆ ପୁଲିସ ଡିଜି ହେବେ ବୋଲି ଆଶା ସଂଚାର ହୋଇଥିଲା। ଖୁରାନିଆଙ୍କ ବ୍ୟାଚର ଅରୁଣ ଷଡ଼ଙ୍ଗୀଙ୍କୁ ରାଜ୍ୟର ତତକାଳୀନ ବିଜେଡି ସରକାର ଗତ ଡିସେମ୍ବର ୩୧ରୁ ରାଜ୍ୟ ପୁଲସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ। କେନ୍ଦ୍ର ଶ୍ରୀ ଖୁରାନିଆଙ୍କୁ ଓଡ଼ିଶାକୁ ଫେରାଇ ଦେବା ପରେ ରାଜ୍ୟ ସରକାର ପୁଲିସ ଡିଜି ଚୟନ ପାଇଁ ପ୍ରକ୍ରିୟାକୁ ଅନୁସରଣ କରି ଶ୍ରୀ ଖୁରାନିଆଙ୍କୁ ଡିଜି ପଦଵୀରେ ଅବସ୍ଥାପିତ କରିବେ ବୋଲି ଚର୍ଚ୍ଚା ହେଉଥିଲା।


Reporterspen
!-- afp header code starts here -->