Political News: ନବୀନ ନିବାସରେ ‘ପାଣ୍ଡିଆନ୍ ଗୋ ବ୍ୟାକ୍‌’ ନାରା

Reporterspen

Political News: ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ୱାକଫ ବିଲ୍‌କୁ ନେଇ ବିଜେଡି ଦୁଇଭାଗ ହୋଇଥିବା ବେଳେ ଗୋଟିଏ ଗୋଷ୍ଠି ଭିକେ ପାଣ୍ଡିଆନଙ୍କୁ ବିରୋଧ କରି ଆଜି ନବୀନ ନିବାସରେ ପହଞ୍ଚିଛନ୍ତି । ନବୀନ ନିବାସରେ ପହଞ୍ଚି ‘ପାଣ୍ଡିଆନ୍ ହଟାଅ, ବିଜେଡି ବଞ୍ଚାଅ ଓ ପାଣ୍ଡିଆନ୍ ଗୋବ୍ୟାକ୍ ନାରା’ ଦେଇଥିଲେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମଧ୍ୟାହ୍ଣର ଟାଇଁ ଟାଇଁ ଖରାରେ ଏହି କର୍ମୀମାନେ ଆଜି ତାତି ଉଠି ଆଜି ନବୀନ ନିବାସକୁ ସ୍ଲୋଗାନ୍‍ ଦେଇ ଘେରାଉ କରିଛନ୍ତି।  ଯେଉଁ ନବୀନ ନିବସ ଚାରି କଡ଼ରେ ଠିଆ ହେବା ସେମାନଙ୍କ ପାଇଁ ଦିନେ ଅସମ୍ଭବ ବ୍ୟାପାର ବୋଲି ଗଣାଯାଉଥିଲା ଆଜି ସେହି ନବୀନ ନିବାସର ଲୁହା ବାଡ଼କୁ ଟପିବାକୁ ସାହସ କରିଛନ୍ତି ବିଜୁ ଜନତାର ଦଳର କର୍ମୀ। ଖାଲି ସେତିକି ନୁହେଁ ଗଣମାଧ୍ୟମର ମାଇକ ସାମ୍ନାରେ ‘ ପାଣ୍ତିଆନ୍‍ ଗୋ ବ୍ୟାକ୍‍’ ବୋଲି ସ୍ଲୋଗାନ ଦେଇଛନ୍ତି।  ‘ପାଣ୍ଡିଆନ୍‍ ତୁମେ ଓଡ଼ିଶା ଛାଡ଼ ବୋଲି କହିଛନ୍ତି। ଏହି ବିଦ୍ରୋହ ଆଜି ନବୀନଙ୍କୁ ଅସ୍ତବ୍ୟସ୍ତ କରିପକାଇଛି।

ସୂଚନା ଅନୁସାରେ, ଆଜି ରାଜ୍ୟସଭା ସାଂସଦ ମୁଜିବୁଲ ଖାଁ ଓରଫ ମୁନାଙ୍କ ନେତୃତ୍ୱରେ ସେମାନେ ନବୀନଙ୍କୁ ଭେଟି ଅନ୍ୟତମ ସାଂସଦ ତଥା ରାଜ୍ୟସଭାରେ ବିଜେଡି ନେତା ସସ୍ମିତ ପାତ୍ରଙ୍କୁ ନିଲମ୍ନ କରିବାକୁ ଦାବି କରିଛନ୍ତି। ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିବା ସୋଶାଲ୍‍ ମିଡିଆରେ ଭାଇରାଲ ହୋଇଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ‘ଆମେ ଧର୍ମ ନିରପେକ୍ଷ ଦଳ। ରାଜ୍ୟସଭାରେ ଯାହା ଘଟିଲା ତାହା ଆମେ ଦେଖିବୁ’।

ରାଜ୍ୟସଭାରେ ଓ୍ୱାକଫ ବିଧେୟକକୁ ସସ୍ମିତ ପାତ୍ର ସମର୍ଥନ କରିଥିଲେ। ଏହାଙ୍କ ସହ ବିଜେଡିର ଅନ୍ୟତମ ସାଂସଦ ସୁଲତା ଦେଓ ମଧ୍ୟ ସମର୍ଥନ କରି ବିଜେପି ଆଣିଥିବା ବିଧେୟକ ସପକ୍ଷରେ ଭୋଟ ଦେଇଥିଲେ।  ଏପରିକି ପୂର୍ବରୁ ଦଳର ସଭାପତି ୱାକ୍‍ଫ ବିଧେୟକକୁ ବିରୋଧ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସସ୍ମିତ ଭୋଟ୍‍ ଦିନ ରାତିରେ ବିଭ୍ରାନ୍ତିମୂଳକ ଟ୍ୱିଟ କରି ସାଂସଦଙ୍କୁ ବିଭ୍ରାନ୍ତ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହାରି ବିରୁଦ୍ଧରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି ମୁନା ଖାଁ। ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସାମ୍ବାଦିକଙ୍କୁ ଭେଟି ସସ୍ମିତଙ୍କ ବିରୁଦ୍ଧରେ ବିଷ ଉଦ୍‍ଗାର କରିଥିଲେ। ଏପରିକି ମୁନା ଦଳ ଛାଡ଼ି ବିଜେପିକୁ ଚାଲି ଯାଆନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଏହାପରେ ସେ ନବୀନ ନିବାସରେ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର ନେତାଙ୍କ ସହ ନବୀନଙ୍କୁ ଭେଟିଥିଲେ।

ନବୀନଙ୍କୁ ଘେରାଉ ବେଳର ଏହି ଭିଡିଓ ଏବେ ସୋଶାଲ୍‍ ମିଡିଆରେ ଭାଇରାଲ୍‍ ହୋଇଛି।  ଏହି ଭିଡିଓରେ କେହି ଜଣେ  ସସ୍ମିତଙ୍କୁ ଟ୍ୱିଟରରେ ଏପରି ଲେଖିବା ଲାଗି କିଏ ଆଦେଶ ଦେଇଛି ତାହା କୁହନ୍ତୁ  ବୋଲି କହୁଛନ୍ତି। ଆପଣଙ୍କୁ ଆମେ ପରିବାର ସଦସ୍ୟ ଭାବେ ଦେଖୁଛୁ ଏଣୁ ଆମ ପାଇଁ ଆପଣ ସଦସୟ ହେବେ ବୋଲି କହିଛନ୍ତି ଏହି ନେତାଏଁ। ଏହା ସିଧା ସଳଖ ନବୀନଙ୍କ ଖାସ ନେତା ଭିକେ ପାଣ୍ଡିଆନ୍‍ଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି।

କାରଣ ଏହାର କିଛି ସମୟ ପୂର୍ବରୁ ଆଜି ବିଜେଡି କର୍ମୀମାନେ ନବୀନ ନିବାସ ଭିତରେ ପାଣ୍ଡିଆନ୍‍ଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଯାହା କେବେ ବିଜେଡି ଇତିହାସରେ ହୋଇ ନଥିଲା ଆଜି ଘଟିଥିବା ଦେଖିବାକୁ ମିଳିଥିଲା। ଯେଉଁ କର୍ମୀ ଦିନେ ତାଙ୍କୁ ବିଜେଡିର ଚାଣକ୍ୟ ବୋଲି କହି ପଦ ପ୍ରକ୍ଷାଳନ କରୁଥିଲେ ତାଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲେ। ଆଜି ଦଳ ଯେଉଁ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ତାହାର କେନ୍ଦ୍ର ବିନ୍ଦୁରେ ସେ ବୋଲି ଅଭିଯୋଗ କରି ବିଜେଡିର ତୃଣମୂଳ କର୍ମୀ ନବୀନ ନିବାସ ଘେରଉ କରିଥିଲେ ।

ଶ୍ରୀ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସହାୟକ ହେଉଛନ୍ତି ଭି କାର୍ତ୍ତିକେୟ ପାଣ୍ଡିଆନ୍‍। ମୁଖ୍ୟମନ୍ତ୍ରୀ ଥିବା ସମୟରେ ଶ୍ରୀ ପାଣ୍ଡିଆନ୍‍ ସରକାରୀ ଚାକିରିରେ ଥିଲେ। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଆଇଏଏସ୍‍ ଅଧିକାରୀ ଭାବେ ସରକାର ନିଷ୍ପତ୍ତିର ମଙ୍ଗୁଆଳ ଥିଲେ। ଏବେ ଦୁଇଜଣଯାକ ଚାକିରି ଛାଡ଼ିଛନ୍ତି। ଚାକିରି ଛାଡ଼ିଲାପରେ କିଛି ଲୋକ ସେ ବିଦେଶରେ ଚାକିରି କିବରିବାକୁ ଓଡ଼ିଶା ଛାଡ଼ିବେ ବୋଲି କହୁଥିବା ବେଳେ ଆଉ କିଛି ପାଣ୍ଡିଆନ୍‍ ପ୍ରେମୀ ତାଙ୍କୁ ବିଜେଡିକୁ ସମ୍ଭାଳିବାକୁ ଅନୁରୋଧ କରିଛନ୍ତି।  ଏ ଭିତରେ କିନ୍ତୁ ଦଳରେ ସୃଷ୍ଟି ହେଉଥିବା ବିଶୃଙ୍ଖଳା ଲାଗି ପାଣ୍ଡିଆନ୍‍ଙ୍କୁ ଦାୟୀ କରିଛନ୍ତି ଉଭୟ ବୟସ୍କ ଓ ତୁଙ୍ଗ ନେତୃତ୍ୱ । ଅଭିଜ୍ଞ ବୟସ୍କମାନେ ନବୀନ ନିବାସରେ ଶୃଙ୍ଖଳାର ସହ ବସି ଏ ବିଷୟରେ ତର୍ଜମା କରିବାକୁ କହିଥିବା ବେଳେ ତୁଙ୍ଗ ନେତୃତ୍ୱମାନେ ସିଧା ସଳଖ ବିଶୃଙ୍ଖଳା ଲାଗି ପାଣ୍ଡିଆନ୍‍ଙ୍କୁ ଦାୟୀ କରିଛନ୍ତି। ଆଜି ନବୀନ ନିବୀସ ଗେଟ୍‍ ସାମ୍ନାରେ ସେମାନେ ପାଣ୍ଡିଆନ୍‍ଙ୍କୁ ନିନ୍ଦା କରି ସ୍ଲୋଗାନ ଦେଇଛନ୍ତି।


Reporterspen
!-- afp header code starts here -->