political news: ଯଦି ବିକାଶ କରିବା ଭୂଲ, ତା’ହେଲେ ସେଭଳି ଭୁଲ୍ ବାରମ୍ବାର କରିବି: ବବି

Reporterspen

political news: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ବେଶ କିଛିଦିନର ନିରବତା ପରେ ବିଜେଡିର କ୍ରାଇସିସ୍ ମ୍ୟାନେଜର କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ସେ କହିଛନ୍ତି, ଯାଜପୁରର ବିକାଶ କରି ଯଦି ସେ ଭୁଲ୍ କରିଛନ୍ତି, ତା’ହେଲେ ସେଭଳି ଭୁଲ୍ ସେ ବାରମ୍ବାର କରିବେ । ଯଦି ଦୁର୍ନୀତି କରିଛନ୍ତି ବୋଲି କହୁଛ, ତେବେ ମୋତେ ବାନ୍ଧ ମୁଁ ଜେଲ ଯିବାକୁ ପ୍ରସ୍ତୁତ ଅଛି ବୋଲି ସେ ବିଜେପି ସରକାରଙ୍କୁ ଖୋଲା ଆହ୍ୱାନ ଦେଇଛନ୍ତି ।

ଗତକାଲି ବିଜେଡି ଜନସଂପର୍କ ପଦଯାତ୍ରା ଆରମ୍ଭ ପାଇଁ ଆୟୋଜିତ ଯାଜପୁର ନିର୍ବାଚନ ମଣ୍ଡଳୀର କୁଆଶ ମଙ୍ଗଳା ପୀଠ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ବବି ଦାସ କହିଛନ୍ତି ଯେ, ସରକାରକୁ ୪ମାସ ହେଲାଣି, ଏହା ପୂର୍ବରୁ ଦୁଇମାସ । ମିଡ଼ିଆରେ କେବଳ ଗୋଟିଏ ନାଁ ବବି ଦାସ । କାହିଁକି ନା ଏହି ଗୋଟିଏ ଲୋକ ନାଁରେ ଟିଆରପି ଆଉ କାହା ନାଁରେ ନାହିଁ । ମୋତେ ମୋ ନେତା କିଛି କହୁନି, ମୋ ପାର୍ଟି ମୋତେ କିଛି କହିନି, ହେଲେ କିଛି ଗଣମାଧ୍ୟମ ନିଜ ଅଫିସରେ କେତେବେଳେ ମୋତେ ପାର୍ଟିର ସର୍ବସ୍ୱ କରିଦେଉଛନ୍ତି ତ କେତେବେଳେ ପାର୍ଟିରୁ ବାହାର କରିଦେଉଛନ୍ତି ।

କାହିଁକି ଆପଣମାନଙ୍କ ପୁଅକୁ ଏତେ ଟାର୍ଗେଟ? କାରଣ ସେ ଭାବୁଛନ୍ତି ୟାକୁ ଟାର୍ଗେଟ କଲେ ସେ ଭାଙ୍ଗିପଡିବ । ହେଲେ ଅଶୋକ ଦାସର ପୁଅ କେବେ ଭାଙ୍ଗିବ ନାହିଁ । ମୋ ବାପା ବିଜୁ ବାବୁଙ୍କ ପାଖରେ ରହି ରାଜନୈତିକ ଆକ୍ରୋଶରେ ୨୯ଦିନ ଜେଲ ଯାଇଛନ୍ତି । ମୁଁ ୪ବର୍ଷ ଜେଲ ଯିବାକୁ ପ୍ରସ୍ତୁତ ଅଛି । ନବୀନ ପଟ୍ଟନାୟକ ପାଖରୁ କେହି ମୋତେ ଦୂରେଇ ପାରିବେ ନାହିଁ । ମୋତେ ଯେତେ କୁଠାରଘାତ କର, ଭାଙ୍ଗିବାର ଚାନ୍ସ ନାହିଁ । କାହିଁକି ସେଠି ନବୀନ ପଟ୍ଟନାୟକ ଓ ଏଠି ମୋ ମା, ମାଉସୀ, ଭାଇ ଓ ଦାଦାମାନେ ମୋ ପଛରେ ଅଛନ୍ତି ।

କାହିଁକି ମୋ ଉପରେ ରାଗ? ଯାଜପୁରକୁ ଡେଭଲପ କରିବା କ’ଣ ଭୁଲ? ମୋ ମା, ଭାଇ ଓ ଦାଦାମାନେ କହିଲେ, ତୁ ଯାଇ ଓଡ଼ିଶା ପାଇଁ କାମ କର । ମୁଁ ଯାଇ ନବୀନ ବାବୁଙ୍କ ପାଇଁ କାମ କଲି, ପାର୍ଟି ପାଇଁ କାମ କଲି ଓ ଓଡ଼ିଶା ପାଇଁ କାମ କଲି । ମୁଁ କୌଣସି କ୍ଷମତା ନ ନେଇ ମୋ ପ୍ରାପ୍ୟ ଭାବେ କହିଲିି, ଯାଜପୁରକୁ ଡେଭଲପ କରିଦିଅନ୍ତୁ । ମୁଁ ଧନ୍ୟବାଦ ଦେବି ନବୀନ ବାବୁଙ୍କୁ ମୁଁ ଯାହା ମାଗିଛି ମୋତେ ଦେଇଛନ୍ତି । ମୁଁ ଜାଣିପାରୁନି ଯାଜପୁର ବିକାଶ ହେଲେ ସେମାନଙ୍କୁ ଏତେ କଷ୍ଠ କାହିଁକି ହେଉଛି?

ଯଦି ମୁଁ ଦୁର୍ନୀତି କରିଛି, ତେବେ ମୋତେ ବାନ୍ଧୁନ, ମୁଁ ରେଡ୍ଡି ଅଛି । ୪ମାସ ହେଲା କାହିଁକି ଚୁପ ବସିଛ? ଗୋଟେ ୧୫ବର୍ଷ ତଳର କେସକୁ ନେଇ ତୁମ୍ବିତୋଫାନ କରୁଛ । ଆରେ ବାନ୍ଧ ମୋତେ ମୁଁ ରେଡ୍ଡି.. । ହେଲେ ଯାଜପୁରର ବିକାଶକୁ ରୋକି ପାରିବନାହିଁ, ଡେଭଲପ ହେବ, ଅଲବତ ହେବ । ବିରୋଧୀ ଓ ଗଣମାଧ୍ୟମ ଚକ୍ରାନ୍ତରେ ଯାଜପୁରର ଡେଭଲପ ବନ୍ଦ ହେବ ନାହିଁ ବୋଲି ବବି ଖୋଲା ମଞ୍ଚରୁ ଆହ୍ନାନ ଦେଇଛନ୍ତି । ଯାହା ବିରୋଧୀ ଶିବିରକୁ ହଲଚଲ କରିଦେଇଛି ।

ଉଲ୍ଲେଖଥାଉ କି, ନିଜ ବିଧାୟକ ପାଣ୍ଠି, ସାଂସଦ ପାଣ୍ଠି ସହିତ ରାଜ୍ୟସଭା ସାଂସଦ ଓ ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠି ଆଣି ଜିଲ୍ଲାର ବିକାଶ କରିଥିଲେ । ଗତ ୪ ବର୍ଷରେ ୧୧ ରାଜ୍ୟସଭା ସାଂସଦଙ୍କ ୧୫ କୋଟି ଟଙ୍କା ଯାଜପୁର ବିକାଶରେ ଖର୍ଚ୍ଚ ହୋଇଥିଲା । ଗତ ୩ ବର୍ଷରେ ଖାଲି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୩ ହଜାର ୭୪ କୋଟିର ଅନୁଦାନ ମିଳିଛି । ଏହି ଅନୁଦାନ ଅର୍ଥରେ ଜିଲ୍ଲାରେ ୪୩୭ଟି ପ୍ରକଳ୍ପ କାମ ସରିଥିବା ବେଳେ ୨୫୫ଟି ପ୍ରକଳ୍ପ କାମ ଚାଲୁ ରହିଛି । ଆଉ ୧ ହଜାର ୩୭ଟି ପ୍ରକଳ୍ପ କାମ ଚୁଡାନ୍ତ ହୋଇ କାମ ଆରମ୍ଭ ଅପେକ୍ଷାରେ ରହିଛି । ସେହିପରି ଯାଜପୁରର ଇଷ୍ଟଦେବୀ ତଥା ବିଶ୍ୱପ୍ରସିଦ୍ଧ ମାଆ ବିରଜା ମନ୍ଦିର ପ୍ରକଳ୍ପ ପାଇଁ ୯ କୋଟିରୁ ଅଧିକ ଅନୁଦାନ ମିଳିଛି । ପ୍ରକଳ୍ପ କାମ ଲାଗି ଜାଗା ଉଚ୍ଛେଦ କାମ ଚାଲୁରହିଛି । ସେହିପରି ଏନ୍‌ସି କଲେଜ ବିକାଶ ଲାଗି ୩ କୋଟିର ଅନୁଦାନ ମିଳିଛି ।

ମୁଖ୍ୟମନ୍ତ୍ରୀ ଓ ଏକାଧିକ ସାଂସଦ-ବିଧାୟକଙ୍କ ଫାଣ୍ଡି ନେଇ ବବି ଯାଜପୁର ବିକାଶରେ ଖର୍ଚ୍ଚ କରିଥିବାରୁ ଏହାକୁ ନେଇ ଗତ କିଛିଦିନ ହେଲା ଗଣମାଧ୍ୟମରେ ତୁମ୍ବିତୋଫାନ ହେଉଛି । ହେଲେ ଏନେଇ ବବି କୋଣସି ପ୍ରତିକ୍ରିୟା ଦେଉନଥିଲେ । ଗତକାଲି ବବିଙ୍କ ଖୋଲା ଆହ୍ୱାନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।


Reporterspen