ଅବାଧ, ମୁକ୍ତ ନିର୍ବାଚନ ପାଇଁ ଡିଆଇଜି ଆଶିଷ ସିଂହଙ୍କୁ ରାଜ୍ୟ ବାହାରକୁ ବଦଳି କରାଯାଉ: ସତ୍ୟବ୍ରତ ପଣ୍ଡା

0 249

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ହାରିଯିବାର ଭୟ ବିଜେଡିକୁ ଘାରିଛି । ନୀତିନିୟମକୁ ମାଡି ମକଚି ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ବାଚନ କାର୍ଯ୍ୟରେ ଲଗାଇବା ବିଜେଡିର ଚିରାଚରିତ ଢ଼ଙ୍ଗ । “ଅଙ୍ଗାରକୁ କ୍ଷୀରରେ ଯେତେ ଧୋଇଲେ ତାର ମଳିନତା ଯାଏ ନାହିଁ” । ସେହିପରି ବିଜେଡି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଘଂନର ଯେତେ ପ୍ରମାଣ ସାମ୍ନାକୁ ଆସିଲେ ମଧ୍ୟ ଏହି ଦଳ ପୁରୁଣା ଅଭ୍ୟାସକୁ ପରିବର୍ତନ କରିପାରୁନାହିଁ ।

ଉଦାହରଣ ସ୍ୱରୂପ ସର୍ବଭାରତୀୟ ପୋଲିସ ସେବା ଅଧିକାରୀ ଶ୍ରୀ ଆଶିଷ ସିଂହଙ୍କୁ ତାଙ୍କ ପୂର୍ବ ପଦବୀରୁ ହଟାଇ ଦେଇଥିଲେ କେନ୍ଦ୍ରୀୟ ନିର୍ବାଚନ କମିଶନର । ତଥାପି ସଧୁରିଲେ ନାହିଁ ଶ୍ରୀ ସିଂହ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନାକ ତଳେ ଅର୍ଥନୈତିକ ଅପରାଧଶାଖା କାର୍ଯ୍ୟାଳୟ ଷଷ୍ଠ ମହଲାରୁ ନିଜର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି ଶ୍ରୀ ସିଂହ । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଉର୍ଦ୍ଦିଷ୍ଟ ବିଜେଡିର ନଗଦ କଳାଟଙ୍କା ରାଜ୍ୟର ବିଭିନ୍ନ ସ୍ଥାନରେ ପହଂଚାଇବା ନିମନ୍ତେ ପୋଲିସ କଳର ଦୂରୁପଯୋଗ ତାଙ୍କ ହେପାଜତରେ ଚାଲିଛି । ଟେଲିଫୋନ ଯୋଗେ ପ୍ରତିପକ୍ଷଙ୍କୁ ଧମକ ଚମକ ଅଭିଯୋଗ ମଧ୍ୟ ଶ୍ରୀ ସିଂହଙ୍କ ବିରୋଧରେ ଅଛି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଶ୍ରୀ ସିଂହ କାର୍ଯ୍ୟରତ ଥିଲାବେଳେ ରାଜନୈତିକ ହତ୍ୟାକାଣ୍ଡ ଓ ବିରୋଧୀ ଦଳ ନେତାଙ୍କ ବିରୋଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଏକ ନିୟମିତ ଘଟଣାରେ ପରିଣତ ହୋଇଥିଲା । ଦୁର୍ଭାଗ୍ୟଜନକ ଭାବେ ନବୀନ ବାବୁ ଓ ବିଜେଡି ନେତୃତ୍ୱରେ ସମ୍ବିଧାନ ନିର୍ଦ୍ଧାରିତ “ଷ୍ଟିଲ୍ ଫ୍ରେମ୍ ବ୍ୟୁରୋକ୍ରାସି” ଦୁର୍ବଳ ହୋଇଯାଇଛି । ମୁଷ୍ଟିମେୟ ଅଣଓଡ଼ିଆ ସର୍ବଭାରତୀୟ ସେବା ଅଧିକାରୀ ସମ୍ବିଧାନ ଅପେକ୍ଷା ନିଜର ରାଜନୈତିକ ମୁନିବଙ୍କର ବଚସ୍କର ହେବାକୁ ଶ୍ରେୟସ୍କର ମଣୁଛନ୍ତି । ଏହା ଦେଶର ଗଣତନ୍ତ୍ର ବିରୋଧରେ ଏକ ଜଘନ୍ୟ ଷଡଯନ୍ତ୍ର । ତେଣୁ ରାଜ୍ୟ ତଥା ସମ୍ବିଧାନକୁ ସୁରକ୍ଷା ଦେବାର ଗୁରୁ ଦାୟିତ୍ୱ ବର୍ତମାନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ।

ଏଭଳି ପରିସ୍ଥିତିରେ ଶ୍ରୀ ସିଂହଙ୍କ ଫୋନକୁ ଜବତ କରି ନିର୍ବାଚନରେ ତାଙ୍କ ସଂପୃକ୍ତିର ବିଧିବଦ୍ଧ ତଦନ୍ତ ପାଇଁ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ତାହା ସହିତ ରାଜ୍ୟର ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଶ୍ରୀ ସିଂହକୁ ଅବିଳମ୍ବେ ରାଜ୍ୟ ବାହାରକୁ ବଦଳି କରିବା ପାଇଁ ଶ୍ରୀ ପଣ୍ଡା ଦାବି କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ନିୟତି ଗିରି, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy