ଗେରୁଆ ପିନ୍ଧିବେ ଅମରେଶ ଓ ପ୍ରିୟଦର୍ଶୀ!

0 1,244

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ମଧ୍ୟ ଆସନ ଲାଗି ବିଜେଡି ଟିକେଟ ଦାବିଦାର ଅମରେଶ ଜେନା ଓରଫ ବାଇଁଆ ଓ ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗେରୁଆ ପିନ୍ଧିବାକୁ ସଜବାଜ ହେଉଛନ୍ତି । ଆଜି ପ୍ରିୟଦର୍ଶୀ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ବାଇଁଆ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି । ଏହି ଦୁଇ ନେତା ବିଜେଡି ଛାଡି ବିଜେପିରେ ମିଶିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି ।

ବାଇଁଆଙ୍କ ଟିକେଟ ନେଇ ଦଳ ଚିନ୍ତା କରୁଥିବା ବେଳେ ଏବେ ତାଙ୍କ ରାସ୍ତାରେ ଶ୍ରୀମୟୀ ମିଶ୍ର ଓ ଅନନ୍ତ ନାରାୟଣ ଜେନା ବାଧକ ସାଜିଛନ୍ତି । ଅନନ୍ତ ଓ ଶ୍ରୀମୟୀ ଆଶାୟୀ ଥିବାରୁ ବାଇଁଆଙ୍କୁ ଟିକେଟ ମିଳିବା କଷ୍ଟକର ବ୍ୟାପାର ହୋଇପାରେ । ସେହିପରି ଉତ୍ତରରପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳ ଟିକେଟ ଦେବାକୁ ମନା କରିଛି । ତେଣୁ ବିଧାୟକ ଭାବେ ଲଢିବାକୁ ଇଚ୍ଛା ପ୍ରକାଶ କରିଥିବା ବାଇଁଆ ଓ ପ୍ରିୟଦର୍ଶୀଙ୍କୁ ବିଜେପି କୋଳେଇ ନେବାକୁ ଚାହୁଁଛି । ଏନେଇ ବିଜେପି ଶିବିର ଦୁଇ ନେତାଙ୍କ ସହ ଆଲୋଚନା କରିବା ସହ ଗୀନ ସିଗନାଲ ମଧ୍ୟ ଦେଇଥିବା ଜଣାପଡିଛି ।

ବାଇଁଆଙ୍କ ଶକ୍ତି ପ୍ରଦର୍ଶନ ପରେ ବିଜେଡି ତାଙ୍କୁ ଅଣଦେଖା କରିପାରୁନଥିଲା । ଅନନ୍ତଙ୍କ ଲୋକପ୍ରିୟତା ହ୍ରାସ ଓ ବାଇଁଆଙ୍କ ଶକ୍ତି ପ୍ରଦର୍ଶନ ପରେ ଦଳ ବିକଳ୍ପ ଚିନ୍ତା କରିଥିଲା । ଅନନ୍ତ ଜେନାଙ୍କୁ ଭୁବନେଶ୍ୱର ସାଂସଦ ଓ ବାଇଁଆଙ୍କୁ ବିଧାୟକ ଟିକେଟ ଦେବାକୁ ଚିନ୍ତା କରୁଥିଲା । ହେଲେ ଏସବୁ ଭିତରେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିକୁ ଧସେଇ ପଶିଆସିଥିଲେ । ତେଣୁ ଦଳ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ପୁରସ୍କାର ଦେଇଛି । ମନ୍ମଥଙ୍କ ଆର୍ବିଭାବ ପରେ ଦଳର ଅଙ୍କ ସବୁ ଓଲଟପାଲଟ ହୋଇଯାଇଥିଲା ।

ଅନନ୍ତ ଓ ଶ୍ରୀମୟୀଙ୍କୁ ସନ୍ତୁଷ୍ଟ କରିବାକୁ ଦଳ ଏବେ ଭିନ୍ନ ଚିନ୍ତା କରୁଛି । ଦଳରେ ଅନନ୍ତଙ୍କ ଏଭଳି ଏକ ଶକ୍ତି କାମ କରୁଛି, ତାହାକୁ ମଙ୍ଗୁଆଳମାନେ ମଧ୍ୟ ଭୟ କରୁଛନ୍ତି । ତେଣୁ ଦଳ ଅନନ୍ତଙ୍କୁ ଟିକେଟ ଦେବାକୁ ଏକ ପ୍ରକାର ବାଧ୍ୟ ହୋଇପଡିଛି । ଯଦି ଅନନ୍ତଙ୍କୁ ଟିକେଟ ନଦିଏ, ତେବେ ଶ୍ରୀମୟୀଙ୍କୁ ସନ୍ତୁଷ୍ଟ କରିବାକୁ ମଧ୍ୟ ପଡିବ । ଏହି ଦୁଇ ନେତା ମଧ୍ୟ ଆସନ ଲାଗି ଆଶାୟୀ ଅଛନ୍ତି । ଦଳ ଯଦି ଏହି ଦୁହିଁଙ୍କ କଥା ବିଚାର କରେ, ତେବେ ବାଇଁଆଙ୍କୁ ଟିକେଟ ମିଳିବା କଷ୍ଟକର ହେବ । ତେଣୁ ବାଇଁଆଙ୍କୁ ଡାକି ଦଳର ମଙ୍ଗୁଆଳମାନେ ବୁଝାସୁଝା କରିବାକୁ ଚେଷ୍ଠା କରୁଛନ୍ତି । ମାତ୍ର ଏଥର ବାଇଁଆ ବୁଝିବାକୁ ନାରାଜ । ୨୫ ବର୍ଷ ଧରି ଦଳରେ କାମ କରି ଯଦି ସୁଫଳ ନମିଳେ, ତେବେ ସେ ବିକଳ୍ପ ରାସ୍ତା ଖୋଜିବେ ବୋଲି ମଧ୍ୟ ଚିନ୍ତା କରୁଛନ୍ତି ।

ସେହିପରି ଛାତ୍ର ଜୀବନରୁ ବିଜୁ ବାବୁଙ୍କ ଆଦର୍ଶରେ କାମ କରୁଥିବା ପ୍ରିୟଦର୍ଶୀ ମିଶ୍ରଙ୍କୁ ବିଜେଡି ଅଲୋଡା କରିଦେଇଥିଲା । ୨୦୧୯ ନିର୍ବାଚନ ପରଠାରୁ ଦଳ ତାଙ୍କୁ କୋଣଠେସା କରିଦେଇଥିଲା । କୌଣସି ଦଳୀୟ କାର୍ଯ୍ୟକ୍ରମ ହେଉ ଅବା ସାଙ୍ଗଠନିକ କାର୍ଯ୍ୟକ୍ରମ ସବୁଠି ତାଙ୍କୁ ବାରଣ କରାଯାଇଥିଲା । ଅସନ୍ତୁଷ୍ଟ ଥିବା ପ୍ରିୟଦର୍ଶୀ ଆଜି ବିଜେଡି ଛାଡି ବିକଳ୍ପ ଚିନ୍ତା କରୁଛନ୍ତି । ତେବେ ଏଥର ସେ ଉତ୍ତର ଆସନରୁ ପ୍ରାର୍ଥୀ ହେବା ନିଶ୍ଚିତ ବୋଲି ସେ ସ୍ପଷ୍ଟ କରିଛନ୍ତି । ଯଦି ବାଇଁଆ ଓ ପ୍ରିୟଦର୍ଶୀ ପଦ୍ମ ଧରନ୍ତି, ତେବେ ବିଜେଡିର ଅଧା ଭୋଟ ବିଜେପି ଖାତାକୁ ଯିବ । ଫଳରେ ବିଜେଡି ଏକ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସିଟ୍ ହରାଇବ ଏଥିରେ ସନ୍ଦେହନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy