ବିଜେଡି ଆପେ ଆପେ ଭାଙ୍ଗି ଚୁରମାର ହୋଇଯିବ: ପୀତାମ୍ବର ଆଚାର୍ଯ୍ୟ

0 93

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡିଶାବାସିଙ୍କ ସୁଖ ଦୁଃଖର ସାଥୀ ହେବା ପାଇଁ ଦୀର୍ଘ ୨୫ ବର୍ଷ ଧରି ଶାସକ ବିଜେଡିକୁ ଭୋଟ ଦେଇ ନିର୍ବାଚିତ କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହଁ ବରଂ ରାଉଣ୍ଡ ନେତା ସାଜିଛନ୍ତି । ବିଜୁ ବାବୁଙ୍କୁ ଭାରତରତ୍ନ ଦେବା ପାଇଁ ଦାବୀ କରୁଥିବା ବିଜେଡିର ପୋଷ୍ଟର ଆଉ ବ୍ୟାନରରେ ଗୁମାସ୍ତାଙ୍କ ଫଟୋ ଲାଗିଛି । ବିଜେଡିର ନେତାମାନେ ଶପଥ ପାଠ କରିଥିଲେ ଓଡିଶାବାସୀଙ୍କ ସେବା କରିବେ ବୋଲି, କିନ୍ତୁ ଏବେ ସେମାନେ ମଂଚରେ ଦେଖାଯାଉନାହାନ୍ତି ।

ବିଜେଡିର ନିର୍ବାଚିତ ଜନପ୍ରତିନିଧିମାନଙ୍କ ସ୍ୱାଭୀମାନକୁ ଜଳାଞ୍ଜଳୀ ଦିଆଯାଇ ପ୍ରଶାସକରୁ ନେତା ସାଜିଥିବା ପାଣ୍ଡିଆନଙ୍କ ପାଇଁ ଟେଂଟ ବାନ୍ଧୁଛନ୍ତି ଏବଂ ମଂଚ ତଳେ ରହୁ ଚେୟାର ପକାଇବା କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏହି କାରଣରୁ ପ୍ରତିଦିନ ଶହ ଶହ ବିଜେଡିର ସ୍ୱାଭିମାନୀ ନେତା ଓ କର୍ମୀ ବିଜେପିରେ ସାମିଲ ହେଉଛନ୍ତି । ବାହାରୁ ଆମଦାନୀ ନେତା, କ୍ରୀତଦାସ ଓ ଗୁମାସ୍ତାଙ୍କ ଉପରେ ନିର୍ଭରଶୀଳ ବିଜେଡି । ତେଣୁ ବିଜେଡିକୁ ଭାଙ୍ଗିବାର ଆବଶ୍ୟକ ନାହିଁ । ବିଜେଡି ଆପେ ଆପେ ଭାଙ୍ଗି ଚୁରମାର ହୋଇଯିବ ବୋଲି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡିକୁ ଭାଙ୍ଗିବାର ବିଜେପି ପ୍ରୟାସ କରୁଛି ବୋଲି ନେତାହୀନ ବିଜେଡିର ଦୁଇ ନମ୍ବର ନେତା ଗଣମାଧ୍ୟମରେ କହିବା ତାଙ୍କ ଅସହାୟତାକୁ ପ୍ରକାଶ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ବାବୁ ସଖୀ କଣ୍ଡେଇ ପାଲଟିଛନ୍ତି ଏବଂ କିଛି ନିର୍ଦ୍ଧିଷ୍ଟ ଅଣଓଡିଆ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନାମରେ ଭୋଗବିଳାସ କରିବାର ଷଡଯନ୍ତ୍ର ରଚାଯାଉଛି । ବିଜେଡି ନେତା, ମନ୍ତ୍ରୀ ଓ କର୍ମୀମାନଙ୍କ ଦୟନୀୟ ପରିସ୍ଥିତିକୁ ଓଡିଶାବାସୀ ଦେଖୁଛନ୍ତି ।

ଓଡିଆ ଅସ୍ମିତା କଥା ଦାବି କରୁଥିବା ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଭାଷଣ ଦେବାବେଳେ ପାରଳା ମହାରାଜାଙ୍କ ନାମ ଜଣାନାହିଁ । ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ସୁଆଣ୍ଡୋକୁ ଯାଇ ତାଙ୍କ ନାମକୁ ମଧ୍ୟ ଭୁଲି ଗଲେ । ଶ୍ରୀ ଜଗନ୍ନାଥ ମନ୍ଦିର ସ୍ଥାପନା କରିଥିବା ରାଜା ଇନ୍ଦ୍ରଦ୍ୟୁମ୍ନ ଗର୍ବ ଓ ଅହଂକାରରୁ ବଂଚି ରହିବା ପାଇଁ ବଂଶହୀନ ରହିବାକୁ ବ୍ରହ୍ମାଙ୍କଠାରୁ ବର ମାଗିଥିଲେ । ଅନ୍ୟ ପଟେ ରାଜ୍ୟ ରାଜସ୍ୱରୁ ୪୨୦୦ କୋଟି ଟଙ୍କା ଖର୍ଚ୍ଚ କରି ୪ଟି ପାଇଖାନା ନିର୍ମାଣ କରି, ପୁରାତନ ମଠ ମନ୍ଦିର, ଐତିହ୍ୟକୁ ଧ୍ୱଂସ କରି ମୁଁ କରିଛି ବୋଲି ମୁଖ୍ୟମନ୍ତ୍ରୀ ଏବଂ ବିଜେଡି କହିବୁଲିବା ଅତ୍ୟନ୍ତ ପରିତାପର ବିଷୟ । “ଜଗନ୍ନାଥ ପ୍ରକଳ୍ପ ମହାଦୁର୍ନୀତି ଓ ଘୋଟାଲା”ର ତଦନ୍ତ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଭ୍ରଷ୍ଟାଚାରୀ, ଅପାରଗ ବିଜେଡି ସରକାର ସ୍ପଷ୍ଟ ଦିବାଲୋକରେ ଓଡିଶାକୁ ଦୀର୍ଘ ୨୫ବର୍ଷ ଧରି ଲୁଣ୍ଠନ କରୁଛି । ମୁଖ୍ୟମନ୍ତ୍ରୀ ନିରବ ଜଡ ସାଜିଛନ୍ତି । ଅଣଓଡିଆମାନେ ଓଡ଼ିଶାର ଜନଜୀବନକୁ ଗ୍ରାସି ଗଲେଣି । ଭୋଟରଙ୍କୁ ୫୦୦ – ୧୦୦୦ ଟଙ୍କାର ପ୍ରଲୋଭନ ଦେଖାଇ ପୁଣି ୫ବର୍ଷ ଧରି ଓଡିଶାକୁ ଲୁଣ୍ଠନ ପାଇଁ ଷଡଯନ୍ତ୍ର କରୁଛନ୍ତି ବିଜେଡି । ଏହାକୁ ଓଡ଼ିଶାବାସୀ ବୁଝିଛନ୍ତି ଓ ଏହାର ଉଚିତ ଜବାବ ଦେବେ । ବିଜେଡିର ମୂଳଦୁଆ ଭୂଷୁଡି ପଡିଲାଣି । ନିଜେ ନିଜକୁ ବୁଡାଇ ଦେଲେଣି । ବିଜେଡିର ନେତାଙ୍କ ମରୁଡି ପଡିଲାଣି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

କେନ୍ଦ୍ରୀୟ ସହାୟତା ଓ ଅନୁଦାନ ଉପରେ ସଂପୂର୍ଣ୍ଣ ନିର୍ଭରିଶୀଳ ଓଡିଶାର ଆର୍ଥୀକ ମେରୁଦଣ୍ଡ । ମୋଦି ରାଜ୍ୟବାସୀଙ୍କୁ ମାଗଣା ଚାଉଳ ଦେଉଛନ୍ତି । ରାଜ୍ୟ ସରକାର ଚାଉଳ ବାଂଟିବା ନାମରେ ୨୭୮କୋଟି ଟଙ୍କାର ଅଖା ବ୍ୟାଗ କିଣି ମୋଦି ଚାଉଳକୁ ଲୋକଙ୍କୁ ଦେଇ ବାଃ ବାଃ ନେବାକୁ ବସିଲେ । ଏହି ଟଙ୍କାରେ ପାଖାପାଖି ୯୨ ଲକ୍ଷ କ୍ୱିଂଟାଲ ଚାଉଳ ବଂଟନ ସମ୍ଭବ ହୋଇଥାନ୍ତା । ଭୋଟ ରାଜନୀତି କରୁଥିବା ଶାସକ ବିଜେଡି ଅଖା ବସ୍ତା କିଣି ଦେଇ ୨୭୮କୋଟି ଟଙ୍କା ଖାଇଦେଲେ । ଏବେ ସେହି ଅଖା ବସ୍ତା ମୁମ୍ବାଇ ଓ ଅନ୍ୟାନ୍ୟ ଅଂଚଳରେ ୫୦ ଟଙ୍କାରେ ବିକ୍ରୀ ହେଉଥିବାର ଦୃଶ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେପି ସରକାର ଆସିଲେ ଅଖା ଘୋଟାଲର ବି ତଦନ୍ତ ହେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ବିଜେଡି ଜାଣିସାରିଲେଣି ଓଡ଼ିଶାର ଲୋକ ତାଙ୍କୁ ପ୍ରତ୍ୟାଖାନ କରୁଛନ୍ତି, ଏଥିଲାଗି ମୁଖ୍ୟମନ୍ତ୍ରୀ ବିଳିବିଳାଉଛନ୍ତି । ପ୍ରଶାସନିକ ଅଧିକାରୀମାନେ ନିଜ ଦାୟିତ୍ୱରୁ ଓହରି ଯାଇ ନେତା ହେବାକୁ ମନ ବଳେଇଛନ୍ତି । ପ୍ରଶାସକରୁ ନେତା ସାଜିଥିବା ବିଜେଡିର ଏହି ଗୁମାସ୍ତା ଜଣକ ସଂଘବଦ ଭାବରେ ଓଡ଼ିଶାକୁ ଖଣି, ପାଣି , ଠିକା ଚାକିରି, କଂଟ୍ରାକ୍ଟରୁ ଲୁଟିବାର ଷଡଯନ୍ତ୍ର କରୁଛନ୍ତି । ଓଡିଶାର ସବୁ ଥାଇ ବି ଓଡ଼ିଆ ଲୋକର ଦାଦନ ଖଟିବେ ବାହାର ରାଜ୍ୟକୁ ଯାଉଛନ୍ତି । ମହାମାରୀ କରୋନା ସଂକଟରେ ବାହାର ରାଜ୍ୟର ଚଷମା ଦୋକାନରୁ ଶହ ଶହ କୋଟି ଟଙ୍କାର ମାସ୍କ କିଣି ମିଛ ବିଲ୍ କରି ଓଡିଶାବାସୀଙ୍କୁ ଠକିଥିବା ବିଜେଡିକୁ କେବେହେଲେ କ୍ଷମା ମିଳିବ ନାହିଁ ଏବଂ ଏହାର ଉଚିତ୍ ଜବାବ୍ ଏଥର ଓଡିଶାବାସୀ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy