ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର, ଅମାନତ ଲାଗି ଲଢୁଛିି କଂଗ୍ରେସ

0 5,438

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋରଦାର ଚାଲିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ହେଭିୱେଟ୍ ନେତା ପ୍ରଚାରକୁ ଶାଣୀତ କରିଛନ୍ତି । ପ୍ରଚାରରୁ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାକୁ ଯାଉଥିବା ସ୍ପଷ୍ଟ ଜଣାପଡୁଥିବା ବେଳେ କଂଗ୍ରେସ ଯେମିତି ନିଜର ଅମାନତ ରଖିବାକୁ ଲଢୁଥିବା ସ୍ପଷ୍ଟବାରୀ ହୋଇପଡୁଛି ।

କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଭାବେ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ମୈଦାନକୁ ଓହ୍ଲାଇଛନ୍ତି । ସେହିପରି କଂଗ୍ରେସ ଜଣେ ଅନଭିଜ୍ଞ ଯୁବକ ସିଦ୍ଧାର୍ଥ ସ୍ୱରୂପ ଦାସଙ୍କୁ ଟିକେଟ ଦେଇଛି । ଏହି ତିନି ଦଳର ପ୍ରାର୍ଥୀମାନେ ପ୍ରଚାରକୁ ଶାଣୀତ କରିବା ଲାଗି ଷ୍ଟାର ପ୍ରଚାରକଙ୍କୁ ନେଇ ସଭା-ସମିତି ଓ ରୋଡ ସୋ’ ଜାରି ରଖିଛନ୍ତି । ବିଶେଷ କରି ବିଜେପି ଓ ବିଜେଡି ପ୍ରଚାର ମାହୋଲକୁ ସରଗରମ କରିଥିବା ବେଳେ କଂଗ୍ରେସ ଏକ ପ୍ରକାର ଅସହାୟ ହୋଇପଡିଛି । ପ୍ରଚାର ଓ ଜନମତକୁ ତର୍ଜମା କରିବା ପରେ ଏଥର କିନ୍ତୁ କେନ୍ଦ୍ରାପଡାରେ କଂଗ୍ରେସ ସାଂସଦ ପ୍ରାର୍ଥୀ ଅମାନତ ରଖିବା ଲାଗି ଫାଇଟ କରୁଥିବା ଜଣାପଡିଛି ।

ବିଗତଦିନର ତଥ୍ୟକୁ ଅନୁଧ୍ୟାନ କଲେ, ୨୦୦୯ରେ ବିଜେଡି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୫ଲକ୍ଷ ୨ ହଜାର ୬୩୫ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ରଞ୍ଜୀବ ବିଶ୍ୱାଳ ୩ଲକ୍ଷ ୭୫ ହଜାର ୫୨୮ ଖଣ୍ଡ ଭୋଟ ପାଇଥିଲେ । ବିଜେପି ମାତ୍ର ୮୦ ହଜାର ୩୯୨ ଖଣ୍ଡ ଭୋଟ ପାଇଥିଲା ।

୨୦୧୪ରେ ବିଜେଡିର ବୈଜୟନ୍ତ ପଣ୍ଡା ୬ଲକ୍ଷରୁ ଅଧିକ ଭୋଟ ପାଇଥିବା ବେଳେ କଂଗ୍ରେସର ଧରଣୀଧର ନାୟକ ୩ଲକ୍ଷ ୯୨ ହଜାର ୪୬୬ ଖଣ୍ଡ ଭୋଟ ପାଇଥିଲା । ବିଜେପିର ବିଷ୍ଣୁ ପ୍ରସାଦ ଦାସ ୧ଲକ୍ଷରୁ ଅଧିକ ଭୋଟ ପାଇଥିଲେ । ହେଲେ ୨୦୧୯ରେ କେନ୍ଦ୍ରାପଡା ଲୋକସଭାର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ବୈଜୟନ୍ତ ପଣ୍ଡା ବିଜେଡି ଛାଡି ବିଜେପିରୁ ପ୍ରାର୍ଥୀ ହେବା ପରେ କଂଗ୍ରେସ ଭୋଟ ଆଶାତୀତ ଭାବେ ହ୍ରାସ ପାଇଥିଲା ।

୨୦୧୯ରେ ବିଜେଡିର ଅନୁଭବ ମହାନ୍ତି ୬ଲକ୍ଷ ୨୮ ହଜାର ୯୩୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ବୈଜୟନ୍ତ ପଣ୍ଡା ୪ଲକ୍ଷ ୪୭ ହଜାର ୪୫୬ ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ମାତ୍ର ୧ଲକ୍ଷ ୧୩ ହଜାର ଭୋଟ ପାଇଥିଲା । ଏହା ପରଠାରୁ କଂଗ୍ରେସ ସଂଗଠନ ଭୂଷୁଡିବାରେ ଲାଗିଛି । ୨୦୨୪ରେ ଅନୁଭବ ମହାନ୍ତି ବିଜେପିରେ ମିଶିବାରେ ବୈଜୟନ୍ତଙ୍କ ଭୋଟ ବଢିବା ସମ୍ଭାବନା ରହିଛି । ଫଳରେ କଂଗ୍ରେସ ଗତଥର ଅପେକ୍ଷା ଆହୁରି କମ୍ ଭୋଟ ପାଇବା ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ କେନ୍ଦ୍ରାପଡା ଲୋକସଭା ମଣ୍ଡଳୀର କେନ୍ଦ୍ରାପଡା ଓ ଆଳି ବିଧାନସଭା ଆସନରେ କଂଗ୍ରେସ ବିରୋଧି ବିଜେଡିକୁ କଡା ଫାଇଟ ଦେଉଛି । ଆବଶ୍ୟକ ସ୍ଥଳେ ଏହି ଦୁଇ ଆସନରୁ କଂଗ୍ରେସ ବାଜିମାତ କରିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ହେଲେ ସାଂସଦ ପ୍ରାର୍ଥୀ ଅମାନତ ରକ୍ଷା କରିବାକୁ ଏକ ପ୍ରକାର ସଂଘର୍ଷ କରୁଥିବା ଜଣାପଡିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy