ଜେନାଙ୍କୁ ଘାରିଲା ଜେନା ଡର!

0 769

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଜେନା ବାନମ ଜେନା । ଜେନାଙ୍କ ଘାରିଲା ଜେନା ଡର! ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଏଭଳି ଚର୍ଚ୍ଚା ରାଜନୀତି ପାଣିପାଗକୁ ଉଷ୍ମ କରିଦେଇଛି । ଏହି ଦୁଇ ଜେନା ହେଉଛନ୍ତି ବୁନୁ ଜେନା ଓରଫ ଅନନ୍ତ ନାରାୟଣ ଜେନା । ଯିଏ କି ଏବେ ବିଧାୟକ ଅଛନ୍ତି । ପୂର୍ବରୁ ଦୁଇ ଥର ମେୟର ମଧ୍ୟ ହୋଇଥିଲେ । ଆଉ ଜଣେ ଜେନା ହେଉଛନ୍ତି ‘ବାଇଁଆ’ ଜେନା ଓରଫ ଅମରେଶ ଜେନା । ‘ବାଇଁଆ’ ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସହ ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ।

ପୂର୍ବରୁ ଯଦିଓ ‘ବାଇଁଆ’ ବିଧାୟକ ଭାବେ ଲଢି ନାହାନ୍ତି, କିନ୍ତୁ ଏଥର ସେ ବୁନୁଙ୍କୁ ପାଣି ପିଆଇବା ପାଇଁ ସବୁ ପ୍ରକାର ଯୋଜନା ଫିଟ୍ କରିଛନ୍ତି । ‘ଉଇ ଫର ଭୁବନେଶ୍ୱର’ ଓ ଜୟ ଓଡ଼ିଶା ସଂଗଠନ ମୁଖ୍ୟ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସହ ମିଶି ସେ ମଧ୍ୟ ଭୁବନେଶ୍ୱରରେ ବିଜେଡି ସଂଗଠନକୁ ମଜବୁତ କରୁଛନ୍ତି । ଏପରିକି ‘ବାଇଁଆ’ ଓ ରୁଦ୍ର ଘରେ ଘରେ ଲୋକଙ୍କ ହୃଦୟରେ ବସିଯାଇଛନ୍ତି । ଯେଉଁ ବସ୍ତିବାସିନ୍ଦାଙ୍କୁ ନେଇ ବୁନୁ ରାଜନୀତି କରୁଥିଲେ, ତାର ସବୁ ବାଟ ବନ୍ଦ କରିଦେଇଛନ୍ତି ।

‘ବାଇଁଆ’ ଓ ରୁଦ୍ରଙ୍କ ସଂଗଠନ ଏବଂ କାର୍ଯ୍ୟକୁ ଦେଖି ବୁନୁଙ୍କ ଛାତିରେ ଛନକା ପଶିଯାଇଛି । ଏବେ ସେ ଏକ ପ୍ରକାର ବାଉଳିଚାଉଳି ହେଉଛନ୍ତି । ବାଇଁଆ-ରୁଦ୍ର ଡରରୁ ମୁକ୍ତି ପାଇବା ଲାଗି ନିଜ ପାଖରୁ ଦୂରେଇ ଦେଇଥିବା ନେତାଙ୍କୁ ଦେଖାଉଛନ୍ତି ଲୋଭ । କାହାକୁ ଠିକା କାମ ଦେବେ ତ କାହାକୁ କ୍ଷମତା ଲୋଭ ଦେଖାଇ ନିଜ ପାଖକୁ ଆଣିବାକୁ ଚେଷ୍ଠା କରୁଛନ୍ତି । ଆଉ କେତେକଙ୍କୁ ଧମକ ଚମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ବୁନୁଙ୍କ ଏଭଳି ଆଚରଣ ଏବେ ରାଜଧାନୀରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୩ ତାରିଖରେ ‘ବାଇଁଆ’ ଓରଫ ଅମରେଶ ଜେନା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ଯାଉଛନ୍ତି । ଏହି ବନ୍ଧୁମିଳନକୁ କେତେକ ‘ବାଇଁଆ’ଙ୍କ ଶକ୍ତି ପ୍ରଦର୍ଶନ ମଧ୍ୟ କହୁଛନ୍ତି । ଏହା ଜଣାପଡିବା ପରେ ଭୟରେ ଆତଙ୍କିତ ହୋଇପଡିଛନ୍ତି ବୁନୁ । ଏହି ସଭାକୁ ଭଣ୍ଡୁର କରିବା ଲାଗି କରୁଛନ୍ତି ହୀନ ଉଦ୍ୟମ । ନିର୍ବାଚନ ସମୟରେ ନିଜ ପାଖରୁ ଦୂରେଇ ଦେଇଥିବା କେତେକ ପୂର୍ବତନ କର୍ପୋରେଟରଙ୍କୁ ଦେଖାଉଛନ୍ତି ଠିକାଦାରୀ ଓ କ୍ଷମତାର ଲୋଭ । ଏପରିକି ଅର୍ଥ ଲୋଭ ସହ କେତେକଙ୍କୁ ଧମକଚମକ ଦେଇ କରୁଛନ୍ତି ଭୟଭୀତ ।

ଖାଲି ଏତିକିରେ ବୁନୁଙ୍କ ଭୟ କମିନାହିଁ । ବରଂ ‘ବାଇଁଆ’ ଜେନା ବନ୍ଧୁ ମିଳିନ ଆୟୋଜିତ କରୁଥିବା ଜାଗା ମାଲିକଙ୍କୁ ଅନୁମତି ନଦେବାକୁ ଧମକ ଦେଉଛନ୍ତି । ବୁନୁଙ୍କୁ ଏଭଳି କାର୍ଯ୍ୟରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଜଣେ ଟାଣୁଆ ମନ୍ତ୍ରୀ ମଧ୍ୟ ସହଯୋଗ କରୁଛନ୍ତି । ଏହି ଘଟଣା ଜଣାପଡିବା ପରେ ‘ବାଇଁଆ’ ଓ ତାଙ୍କ ସମର୍ଥକଙ୍କ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।

ଏଠାରେ ପ୍ରଶ୍ନ ଉଠୁଛି, ବିଧାୟକ ଓ ମନ୍ତ୍ରୀ ‘ବାଇଁଆ’ଙ୍କ ବନ୍ଧୁ ମିଳନକୁ କାହିଁକି ବିରୋଧ କରୁଛନ୍ତି? ‘ବାଇଁଆ’ଙ୍କ ଲୋକପ୍ରିୟତା ଆଗରେ ବୁନୁ କ’ଣ ଫିକା ପଡିଯାଉଛନ୍ତି କି? ନା ଏହି କାର୍ଯ୍ୟକ୍ରମ ପରେ ବୁନୁଙ୍କ ପତିଆରା କମିଯିବ? ଏମିତି କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ବୁନୁଙ୍କୁ ଏବେଠାରୁ ଟିକେଟ କଟିବାଭୟ ଘାରିଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy