କାମ ନ କରି ବେଇମାନୀ କରୁଛି ବିଜେଡି ସରକାର: ମୋଦୀ

0 168

ଭୁବନେଶ୍ୱର/ବ୍ରହ୍ମପୁର, (ରିପୋଟର୍ସ ପେନ୍‌): ଓଡିଶାର ବିକାଶ ପାଇଁ ମୋଦୀ ସରକାର ଅର୍ଥ ଯୋଗାଉଛି । ଏଥିନିମନ୍ତେ ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି । ଉକ୍ତ ଟଙ୍କାକୁ ଏଠା ସରକାର ଠିକ୍ ଭାବେ ଖର୍ଚ୍ଚ କରିପାରିଲେନି । ମୋଦି ମାଗଣା ଚାଉଳ ଦେଉଛି, ଏଠାକାର ସରକାର ସେଥିରେ ନିଜ ଫଟୋ ଛାପୁଛି । ଗାଁ-ଗହଳୀର ରାସ୍ତା ଲାଗି କେନ୍ଦ୍ର ଟଙ୍କା ଦେଉଛି, ଏଠି ରାସ୍ତାଟିଏ ହେଉନି । କେବଳ କେନ୍ଦ୍ର ଯୋଜନାରେ ନିଜର ମୋହର ମାରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ବିଜେଡି ସରକାର ନିଜେ କିଛି କରିନାହାନ୍ତି, ତେଣୁ ଏଭଳି ବେଇମାନୀ କରିବାକୁ ପଡୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ବ୍ରହ୍ମପୁର ଠାରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆସନ୍ତା ମାସ ୪ ତାରିଖରେ ସମଗ୍ର ଦେଶରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ । ସେହିଦିନ ଦିନ ଓଡିଶାର କାୟା ବଦଳିଯିବ । ଦୀର୍ଘ ୨୫ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାରର ଜୁନ୍ ୪ ତାରିଖ ହେଉଛି ଏକ୍ସପାରୀ ଡେଟ୍ ।’ ଚଳିତ ନିର୍ବାଚନରେ ଓଡିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଆସିବ । ବିଜେପି ଯାହା କହିଥାଏ, ତାହା କରିକି ଦେଖାଇଥାଏ । ଆସନ୍ତା ମାସ ୪ ତାରିଖରେ ବିଜେଡି ସରକାରର ଏକ୍ସପାରୀ ଡେଟ ଲେଖାଅଛି । ୬ ଜୁନ୍‌ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୁଡାନ୍ତ ହେବ । ୧୦ ଜୁନ୍‌ରେ ଭୁବନେଶ୍ୱର ଠାରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ । ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା ।

ମୋଦୀ କହିଛନ୍ତି, ଓଡିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତିତ ହୋଇଛି । ଓଡିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି । ଓଡିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି । ଓଡିଶାକୁ ମହାପ୍ରଭୁ ପ୍ରାକୃତିକ ସଂପଦରେ ଭରି ଦେଇଛନ୍ତି । ଏହାସତ୍ୱ ଏତେ ଧନୀ ଓଡିଶାର ଲୋକ କାହିଁକି ଗରିବ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମୋଦି ।

ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନେତାଙ୍କ ଲୁଟ୍ ଏହି ପାପ ପାଇଁ ଦାୟୀ । ଓଡିଶାରେ ବିଜେଡିର ଛୋଟ ଛୋଟ ନେତା ବି ଖୁବ୍ ବଡ ବଡ କମ୍ପାନୀର ମାଲିକ । କିନ୍ତୁ ଏଠାକାର ଲୋକ ଗରୀବ । ଓଡିଶା ଧନୀ, କିନ୍ତୁ ଏହାର ଜନତା ଗରୀବ । ଏହି ସାଂଘାତିକ ପାପ ପ୍ରଥମେ କଂଗ୍ରେସ ଓ ବିଜେଡି କରିଛନ୍ତି । ଏବେ ଆମେ ଏହା ସୁଧାରିବାକୁ ପଣ କରିଛୁ । ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି । ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କେନ୍ଦ୍ର ସରକାର ମାଗଣା ଚିକିତ୍ସା ସେବା ଲାଗି ଆୟୁଷ୍ମାନ ଯୋଜନା ଯୋଗାଉଛନ୍ତି । ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି । ଲୋକଙ୍କୁ ଚିକିତ୍ସା ମିଳି ନ ପାରିବାର ଦୋଷୀ ଏଠାର ବିଜେଡି ସରକାର । ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଲେ ସଙ୍ଗେ ସଙ୍ଗେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ । ତେଣୁ ଏଠାରେ ବିଜେପି ସରକାର ହେବା ବହୁତ ଜରୁରୀ ବୋଲି କହିଛନ୍ତି ମୋଦି ।

ଏଥିସହ ସେ କହିଛନ୍ତି, ବିଜେଡି ସରକାର ମହିଳାଙ୍କ ହିତକୁ ଗୁରୁତ୍ୱ ଦେଉନାହାନ୍ତି । ବିଜେପି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ । ସୁଭଦ୍ରା ଯୋଜନା ଓଡିଶାର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରାଯିବାକୁ ଯୋଜନା ହୋଇଛି । ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବିଜେପି ସରକାର ।

ଓଡିଶାର ଝିଅକୁ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ବିଜେପି ଦେଶର ସବୁଠାରୁ ବଡ ପଦବୀ ଦେଇଛି । ଦୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡିଶା ପାଇଁ ବହୁତ କିଛି କରିବି । ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ଏ ପୁଅ ଓଡିଶା ପାଇଁ ବହୁତ କିଛି କରିବ । ଓଡିଆ ସଂସ୍କୃତି ପ୍ରତି ସମର୍ପିତ ବିଜେପିର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ବନିବ । ଓଡିଶାର ଯୁବକଙ୍କ ମଧ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ । ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡିଶାକୁ ନମ୍ବର ୱାନ୍ କରିବୁ ।

ଯେଉଁଠି ବିଜେପିକୁ ସୁଯୋଗ ମିଳିଛି, ସେଠି ବିକାଶ ଗତିଶୀଳ ହେଉଛି । ଓଡିଶାରେ ଡବଲ ଇଂଜିନ ସରକାର ହେଲେ ତ୍ୱରିତ ବିକାଶ ହେବ । ଓଡିଶାର ତ୍ୱରିତ ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଦେଉଛି । ମୋଦି ବିକଶିତ ଭାରତ, ବିକଶିତ ଓଡିଶାର ସଂକଳ୍ପ ନେଇଛି । ଏଥିସହ ଅଧିକରୁ ଅଧିକ ଘରକୁ ଯିବାକୁ ସମସ୍ତଙ୍କୁ ପରାମର୍ଶ ଦେଲେ ମୋଦି । ଏଥିସହ କହିଲେ ପ୍ରତି ଘରକୁ ଯାଇ ମୋ’ ତରଫରୁ ଜୟ ଜଗନ୍ନାଥ ଜଣାଇବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ଏହି ସଭାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଆସ୍କା ଲୋକସଭା ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର ମଧ୍ୟ ସମ୍ବୋଧନ କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy