“ସଂକଳ୍ପପତ୍ର”ର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବ ବିଜେପି : ଅପରାଜିତା ଷଡଙ୍ଗୀ

0 79

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡିଶା ହେଉଛି ଅନନ୍ତ ସମ୍ଭାବନାର ପ୍ରଦେଶ । ପ୍ରାକୃତିକ ଓ ମାନବ ସମ୍ପଦରେ ଭରପୁର ଓଡ଼ିଶା । ଓଡ଼ିଶାରେ ଦୀର୍ଘ ୨୫ବର୍ଷ ବିଜେଡି ସରକାରରେ ରହିଛି । ମୁଣ୍ଡ ପିଛା ଆୟରେ ଓଡ଼ିଶା ୨୫ନମ୍ବରରେ ଅଛି । ଅନ୍ତର୍ଜାତୀୟ ଶ୍ରମ ସଂସ୍ଥା ୨୦୨୪ ରିପୋର୍ଟ ଅନୁସାରେ-ଦେଶର ୨୨ଟି ରାଜ୍ୟର ଦରିଦ୍ର ହାରକୁ ନିଖୁଣ ଭାବେ ବର୍ଣ୍ଣନା କରିଛି ଏବଂ ଓଡ଼ିଶାର ସ୍ଥାନ ହେଉଛି ୨୨ । ୪୩ ପ୍ରତିଶତ ଶିକ୍ଷିତ ଯୁବକ ଓ ଯୁବତୀ ବେରୋଜଗାର ଅଛନ୍ତି ଓ ଏମାନେ ଅନ୍ୟ ରାଜ୍ୟ (ସୁରତ, ହାଇଦ୍ରାବାଦ, ବାଙ୍ଗାଲୋର, କେରଳର ଇଟାଭାଟି)କୁ ଦାଦନ ଖଟିବାକୁ ଯାଉଛନ୍ତି ।

ବିଜେପି ସରକାର ଓଡ଼ିଶାରେ ଆସିଲା ପରେ “ସବୁ ହାତକୁ କାମ, ସବୁ କ୍ଷେତକୁ ପାଣି ଓ ସବୁ ମଣ୍ଡ ଉପରେ ଛାତ”ର ସଂକଳ୍ପର ପ୍ରତିଶୃତିକୁ ପୂରଣ କରିବ । ୨୦୨୯ସୁଦ୍ଧା ୧ କୋଟି ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ହେବ । ବିଜେପି ସଂକଳ୍ପ ପତ୍ରର ଲକ୍ଷ୍ୟ ହେଉଛି ସମସ୍ତଙ୍କ କଲ୍ୟାଣ ଏବଂ ସାମଗ୍ରିକ ବିକାଶ ସହିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା, ଦୁର୍ନୀତିର ମୂଳତ୍ପୋଟାନ, ଆଗାମୀ ଭବିଷ୍ୟତ ନିର୍ମାଣ, ମହିଳା ଓ ଯୁବବର୍ଗର ବିକାଶ, କୃଷକର ଆର୍ଥୀକ ଅଭିବୃଦ୍ଧି ବୋଲି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ବିଜେପିର ସଂକଳ୍ପ ହେଉଛି, ବିକଶିତ ଓଡ଼ିଶା ଗଠନ । ଜଳ ଜୀବନ ମିଶନ ଅନ୍ତର୍ଗତ ଆଗାମୀ ଦିନରେ ଓଡ଼ିଶାରେ ୨୬ଲକ୍ଷ ଘର ପର୍ଯ୍ୟନ୍ତ ପାଇପ ଯୋଗେ ପାଣି ଯୋଗାଇ ଦିଆଯିବ । କେନ୍ଦ୍ର ସରକାର ଏହି ଯୋଜନା ଦ୍ୱାରା ଓଡିଶାକୁ ୧୦ହଜାର କୋଟି ଦେଲେ କିନ୍ତୁ ଆଜି ବି ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ । ଓଡ଼ିଶା ସରକାର ସକ୍ରିୟ ନୁହନ୍ତି । ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ଟଙ୍କା ଦେବାକୁ ବସିଛନ୍ତି କିନ୍ତୁ ରାଜ୍ୟ ସରକାର ତାହା ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ଲକ୍ଷ ଗ୍ରାମାଂଚଳ ଓ ୫ଲକ୍ଷ ସହରାଂଚଳରେ ଘର ତିଆରି କରାଯିବ । କିନ୍ତୁ ପୋଟାର୍ଲରେ ନାମ ଚଢ଼ାଇବା ପାଇଁ ନବୀନ ବାବୁ ଯୋଗ୍ୟ ହିତାଧିକାରୀଙ୍କ ଲିଷ୍ଟ ଦେଲେ ନାହିଁ । ଏଥିପାଇଁ ଅର୍ଥ ବରାଦ କରିବାରେ ବିଳମ୍ବ ହେଲା । ଲୋକେ ଆବାସ ନପାଇ ଚାଳଘରରେ ରହୁଛନ୍ତି । ବିଜେପି ସରକାରକୁ ଆସିଲେ ସଂକଳ୍ପ ପତ୍ରରେ ଥିବା ସମସ୍ତ ପ୍ରତିଶୃତିକୁ ଅକ୍ଷର ଅକ୍ଷର ପାଳନ କରିବ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।

ନବୀନ ବାବୁ ଭୋଟ ନେବା ପାଇଁ ରାଜଧାନୀର ବସ୍ତିମାନଙ୍କରେ ଜାଗାମିଶନର ହୋର୍ଡିଂ ଲଗାଇଛନ୍ତି କିନ୍ତୁ ଏଯାଏଁ ପଟ୍ଟା ଦେଇନାହାନ୍ତି । ବିଜେପି ସରକାରକୁ ଆସିଲେ ପ୍ରତି ପରିବାରକୁ ୬ଶହ ସ୍କୋୟାରଫୁଟର ଜମି ଯୋଗାଇଦେବ । ୪୦ ରୁ ୬୦ବର୍ଷର ବୁଣାକାର ପରିବାରକୁ ୩ହଜାର ଟଙ୍କା ଦିଆଯିବ ଓ ୬୦ରୁ ଊର୍ଦ୍ଧ୍ୱ ବୁଣାକାରଙ୍କୁ ୩,୫୦୦ ଦିଆଯିବ । ଆଦିବାସୀ ଭାଇଭଉଣୀଙ୍କ ପାଇଁ ୫୦୦କୋଟି ଟଙ୍କା ବିନିମୟରେ “ମୁଖ୍ୟମନ୍ତ୍ରୀ ଆରୋଗ୍ୟ ନିଧି” ଯୋଜନା କାର୍ଯ୍ୟକାରୀ କରାଯିବ । କୃଷି କଲ୍ୟାଣ ବିଜେପିର ପ୍ରଥମ ପ୍ରାଥମିକତା ରହିବ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।

ବିଜେପି ସରକାରକୁ ଆସିଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ସହ ଜଳଖିଆ ପାଇଁ ଆପୁର୍ତି ଯୋଜନା ଆରମ୍ଭ ହେବ । ମଧ୍ୟ, ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ଟି କ୍ୟାନସର ହସ୍ପିଟାଲ ହେବ । ସବୁ ଚିନିକଳ କାର୍ଯ୍ୟକ୍ଷମ କରାଯିବ ।ଅଢ଼େଇ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଓଡ଼ିଶାକୁ ଆଣିବ । ବିଜେଡି ସରକାର ବନ୍ଦ କରିଥିବା ୩ଟି ଟେକ୍ସଟାଇଲ ମିଲ ଆଇ ୭ଟା ସ୍ପିନିଂ କାରଖାନାକୁ କାର୍ଯ୍ୟକ୍ଷମ କରାଯିବ । ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ଦେବ । ବିଜେପି ସରକାରକୁ ଆସିଲେ ମାତୃଶକ୍ତି ଯୋଜନା ଆରମ୍ଭ କରିବ । ଗର୍ଭବତୀ ମହିଳାଙ୍କ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ପାଇଁ “ସୁଗମ ଯୋଜନା” ଆରମ୍ଭ କରିବ । ଗର୍ଭବର୍ତୀ ମହିଳାଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ଜାରୀ କରିବୁ । ୧୮ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ନିଜ ଟଙ୍କା ଫେରି ପାଇବେ । କାର୍ଯ୍ୟରତ ଅଙ୍ଗନବାଡି ଦିଦିଙ୍କର ମାସିକ ଦରମା ୧୨ହଜାର ଓ ହେଲପରଙ୍କ ଦରମା ୮୦୦୦କୁ ବଢ଼ାଇବ । ସୁଭଦ୍ରା ଯୋଜନାରେ ୫୦ହଜାରର କ୍ୟାସ ଭାଉଚର ମହିଳାଙ୍କୁ ଦିଆଯିବ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।

୨୦୧୬, ୨୦୧୮, ୨୦୨୨ରେ ମେକ୍ ଇନ୍ ଓଡ଼ିଶା ରାଜ୍ୟ ସରକାର କରିଥିଲେ, ଯାହା ପ୍ରହସନରେ ପରିଣତ ହୋଇଛି । ୨୦୧୬ ରେ ୨ଲକ୍ଷ ୩ହଜାର କୋଟି ଟଙ୍କାର କମ୍ପାନୀ ସହ ଡିଲ୍ କଲେ ଓ କହିଥିଲେ ୧ଲକ୍ଷ ୪୦ହଜାର ଲୋକ ଚାକିରି ପାଇବେ । ୨୦୧୮ରେ ୪ଲକ୍ଷ୨୩ହଜାର କୋଟି ଟଙ୍କାର କମ୍ପାନୀ ସହ ଡିଲ୍ କଲେ ଏବଂ ୫ଲକ୍ଷ ୫୧ହଜାର ଚାକିରୀ ମିଳିବ । ମେକ୍ ଇନ ନାଁରେ ନବୀନ ବାବୁ ଓଡ଼ିଶାର ସରଳ ଲୋକଙ୍କୁ ଧକ୍କା ଦେଇଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଗଲେ, ରାଜ୍ୟରେ ବିଜେଡି ସରକାର ଏହାର ଜବାବ୍ ରଖୁନାହାନ୍ତି ।

ଆଗାମୀ ପିଢ଼ିର ନିର୍ମାଣ ବିଜେପିର ଲକ୍ଷ୍ୟ । ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ବଡ ଭୂମିକା ରହିଛି । କିନ୍ତୁ ତାହାକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଏସ୍‌ଏଚଜି ମାଧ୍ୟମରେ ରାଜ୍ୟ ସରକାର ଭୂଆଁ ବୁଲାଉଛନ୍ତି । ରାଜ୍ୟ ସରକାରଙ୍କର ମହିଳାଙ୍କ ପ୍ରତି ଯଦି ଦରଦ ଅଛି ତାହାଲେ ମହିଳାମାନଙ୍କୁ ଭୋଟ ବ୍ୟାଙ୍କ କରିବାରୁ ଦୂରେଇ ରୁହନ୍ତୁ । ମହିଳାଙ୍କ ଆତ୍ମସମ୍ମାନ ରଖନ୍ତୁ ରାଜ୍ୟ ସରକାର । ମୋଦି ସରକାର ଯାହା କୁହେ ତାହା କରେ, ଯାହା କରିପାରିବ ନାହିଁ ତାହା କୁହେଁ ନାହିଁ । ସଂକଳ୍ପରୁ ସିଦ୍ଧି ମିଳିବା ପର୍ଯ୍ୟନ୍ତ ବିଜେପି କାର୍ଯ୍ୟ କରେ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy