ଧମକ ଦେଇ ଟିକେଟ ହାତେଇବେ ବୁନୁ, ଭକୁଆ ହେବେ ବାଇଁଆ!

0 614

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ଅଙ୍କ ଛିଡୁନି । ବୁନୁ ଓ ବାଇଁଆ କଳିକୁ ନେଇ ଦଳ ଅଡୁଆରେ ପଡିଛି । ବିଜେଡି ପ୍ରାର୍ଥୀ କିଏ ହେବେ? କାହାକୁ ଭରସା କରିବେ ସୁପ୍ରିମୋ? ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢୁଥିବା ବେଳେ ବୁନୁ ଦଳ ମୁଖିଆଙ୍କୁ ଧମକ ଦେଇ ଟିକେଟ ଛଡାଇ ନେବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ସୋସିଆଲ ମିଡ଼ିଆରେ ବୁଲୁଥିବା ଚାର୍ଟ, ପୋଷ୍ଟ ଓ ବାଇଟ ଏହାର ପ୍ରମାଣ । ଏହାକୁ ଲକ୍ଷ୍ୟ କଲେ ୨୦୧୯ ଭଳି ଏଥର ମଧ୍ୟ ବୁନୁଙ୍କ ଧମକ ଆଗରେ ଦଳ ମୁଣ୍ଡ ନୁଆଁଇବା ପ୍ରାୟ ନିଶ୍ଚିତ । ବୁନୁଙ୍କୁ ଟିକେଟ ମିଳିଲେ, ବାଇଁଆ ପୁଣି ଥରେ ଭକୁଆ ହେବ ଏଥିରେ ସନ୍ଦେହ ନାହିଁ ।

ଭାଇରାଲ ହେଉଥିିବା ଚାଟରୁ ଜଣାପଡୁଛି, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ପୁଣି ଥରେ ଟିକେଟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ପାଇଁ ଏସ୍‌ଏଚଜି ମହିଳାଙ୍କୁ କୁହାଯାଇଛି । ଏଥିସହ ହ୍ୱାଟ୍ସଆପରେ ମେସେଜ ଦେଇ, ଏସଏଚଜି ମହିଳାଙ୍କୁ ଆସନ୍ତାକାଲି ଅପରାହ୍ଣରେ ଲକ୍ଷ୍ମୀସାଗର ମେଲଣ ପଡିଆରେ ଏକାଠି ହେବାକୁ କୁହାଯାଇଛି । ଏପିରିକି ଯିଏ ନଯିବେ ତାଙ୍କୁ ଗ୍ରୁପରୁ ବହିଷ୍କାର କରାଯିବା ସହ ସବୁ ସୁବିଧାରୁ ବଂଚିତ କରାଯିବ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି ।

ସେହିପରି ଉଠାଦୋକାନୀ ସଂଘ, ଅଟୋ ଚାଳକ ସଂଘ, ବସ୍ତି ସଂଘ ସମେତ ସବୁ ସଂଘର ପ୍ରେସିଡେଂଟ ଓ ସେକ୍ରେଟାରୀଙ୍କୁ ବୁନୁଙ୍କୁ ଟିକେଟ ନଦେଲେ ଭୋଟ ବର୍ଜନ ହେବ ବୋଲି ସୋସିଆଲ ମିଡ଼ିଆରେ ପୋଷ୍ଟ କରିବାକୁ କୁହାଯାଇଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ବାଧ୍ୟ କରାଯାଉଛି । ପୋଷ୍ଟ ଓ ଚାର୍ଟ କରିଥିବା କେତେକ ସଂଘ, କର୍ମକର୍ତ୍ତା ନିଜ ନାମ ଗୋପନ ରଖି ଚାପରେ ଏହା କରିଛନ୍ତି ବୋଲି ଖୁଲାସା କରିଛନ୍ତି । ତେବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟକୁ ନେଇ କନ୍ଦଳ ବଢି ଚାଲିଥିବାରୁ, ସୁପ୍ରିମୋଙ୍କ ଉପରେ ଚାପ ପକାଇବାକୁ ବୁନୁ ଏଭଳି ଉଦ୍ୟମ କରୁଥିବ ଚର୍ଚ୍ଚା ହେଉଛି ।

ଉଲ୍ଲେଖଥାଉ କି, ୨୦୧୯ରେ ଭାଇରାଲ ଭିଡ଼ିଓକୁ ନେଇ ବୁନୁ ବିବାଦୀୟ ସ୍ଥିତିକୁ ଆସିଥିଲେ । ବିରୋଧିମାନେ ହୋହଲ୍ଲା ଓ ରାସ୍ତାରୋକ କରିବା ପରେ ଦଳ ତାଙ୍କୁ ଟିକେଟ ନଦେବାକୁ ନିଷ୍ପତ୍ତି ନେଇଥିଲା । ପରେ ତାଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରିଥିଲା । ମାତ୍ର ସେ ଦଳକୁ ଧମକ ଦେଇ ଏକ ପ୍ରକାର ଟିକେଟ ଛଡାଇ ଆଣିବାରେ ସକ୍ଷମ ହୋଇଥିଲେ । ୨୦୨୪ରେ ମଧ୍ୟ ସେ ଦଳକୁ ଧମକ ଦେଇ ଟିକେଟ ହାତେଇବା ଏକ ପ୍ରକାର ନିଶ୍ଚିତ ହୋଇଛି ।

ଅନ୍ୟପକ୍ଷରେ ଦୀର୍ଘ ୨୫ ଧରି ଦଳ ପାଇଁ କାମ କରୁଥିବା ବାଇଁଆ ଏଥର ବିଧାୟକ ହେବା ସ୍ୱପ୍ନ ଦେଖିଥିଲେ । ଏଥିପାଇଁ ଦଳର ସ୍ୱାର୍ଥ ଲାଗି ଦିନରାତି ଏକ୍‌କରି ପରିଶ୍ରମ କରୁଥିଲେ । ଦଳ ତାଙ୍କୁ ଟିକେଟ ଦେବାକୁ ଏକ ପ୍ରକାର ନିଷ୍ପତ୍ତି ନେଇସାରିଥିଲା । ମାତ୍ର ବୁନୁଙ୍କ ଧମକ ଓ ଚାପ ଆଗରେ ଦଳ ମୁଖିଆ ହାର ମାନିବାକୁ ଯାଉଛନ୍ତି । ଫଳରେ ୨୦୧୯ ଭଳି ଏଥର ମଧ୍ୟ ବାଇଁଆ ଓରଫ ଅମରେଶ ଜେନା ଭକୁଆ ହେବେ, ଏଥିରେ ସନ୍ଦେହ ନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy