ବିଜେଡ଼ିରେ ଯୋଗଦେଲେ ଚିରଞ୍ଜୀବ ବିଶ୍ୱାଳ

0 421

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀମଙ୍ଗରାଜ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସକର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀମଙ୍ଗରାଜ ଓ ଡକ୍ଟର ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, କୌଣସି ସ୍ୱାର୍ଥ ନେଇ ବିଜେଡ଼ିରେ ସାମିଲ ହୋଇଛନ୍ତିା ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀକାର୍ଯ୍ୟ, ସ୍ୱଚ୍ଛଶାସନ, ନିର୍ମଳଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲି । ମହିଳା, ଯୁବପିଢ଼ି, ଚାଷୀଙ୍କ ପାଇଁ ବହୁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହଯୋଗ ଦେଇଥିବା ସମସ୍ତ କଂଗ୍ରେସକର୍ମୀଙ୍କୁ ଗ୍ରହଣକରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଶଙ୍ଖଭବନରେ ମିଶ୍ରଣପର୍ବ ପରେ ଚିରଞ୍ଜୀବ ନବୀନ ନିବାସ ଯାଇ ମାନ୍ୟବରମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ବିଜେଡିର ଯୁବନେତା ସ୍ମୃତିସିକ୍ତ ସାମନ୍ତରାୟ ଓରଫ ରାଣା ମଧ୍ୟ ଉପସ୍ଥିତ ଥିଲେ ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ଜଗତସିଂହପୁର ଜିଲ୍ଲାକଂଗ୍ରେସ ସଭାପତି ରବୀନ୍ଦ୍ରନାଥ ମହାନ୍ତି, ନାଉଗାଁବ୍ଲକ କଂଗ୍ରେସ କମିଟି ସଭାପତି ନିରଞ୍ଜନ ବେହୁରା, ଜଗତସିଂହପୁର ବ୍ଲକ କଂଗ୍ରେସ କମିଟି ସଭାପତି ଅଦୈତ ଚରଣଜେନା, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଦସ୍ୟ ଯୋଗୀନାଥ ବାହୁବଳେନ୍ଦ୍ର, ରାଜ୍ୟ ଛାତ୍ରକଂଗ୍ରେସ ଉପସଭାପତି ସୁନିଲମାଟିଆ, ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ନାଉଗାଁ ବ୍ଲକ ଉପାଧ୍ୟକ୍ଷା ମାମିନା ଦଳେଇ, ଜଗତସିଂହପୁର ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର ସୁବାସ ସାହୁ, ନାରାୟଣ ପ୍ରସାଦ ମହାନ୍ତି, ଦେବାଶିଷ ଛୋଟରାୟ, ସୁବୋଧ କୁମାର ସ୍ୱାଇଁ, ଗୋପାଳ ଛୋଟରାୟ, ସ୍ମୃତିରଂଜନ ଜେନା, ପ୍ରଦେଶ କଂଗ୍ରେସ କମିଟିରସାଧାରଣ ସମ୍ପାଦକ ଅଜୟ କେତନ ସାମଲଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy