ବିଜେପିରେ ଯୋଗଦେଲେ ଚଳଚିତ୍ର ଅଭିନେତା ଅରିନ୍ଦମ ରାୟ

0 326

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ଓଡିଶାବାସୀଙ୍କ ସ୍ୱାର୍ଥକୁ ବିଜେଡି କ୍ରମାଗତ ଉପେକ୍ଷା କରୁଛି । ବିଜୁ ଜନତା ଦଳରେ ନେତା ଓ କର୍ମୀଙ୍କୁ ଅବହେଳା କରାଯାଉଛି । ବିଜେଡିରେ ନେତାଙ୍କୁ ସମ୍ମାନ ଓ ଇଜ୍ଜତ ନାହିଁ । ଯେଉଁଠି ନେତା ହୋଇ ରାଜ୍ୟ ମୁଖିଆଙ୍କୁ ଭେଟିବାରେ ଅସମର୍ଥ ହେଉଛି, ସେଠି ଓଡ଼ିଶାବାସୀଙ୍କ ସମସ୍ୟାକୁ କାହା ପାଖରେ କହି ସମାଧାନ କରିବି? ବିଜେଡିରେ ଗଣତାନ୍ତ୍ରୀକ ବ୍ୟବସ୍ଥା ଭୁଷୁଡି ପଡିଛି । ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ବିଜେପିର ନୀତି ଆଦର୍ଶ ଅନୁପ୍ରାଣିତ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ବିକଶିତ ଓଡିଶା ଓ ବିକଶିତ ଭାରତର ସଂକଳ୍ପକୁ ସିଦ୍ଧି କରିବା ପାଇଁ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରିବି ବୋଲି ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ବିଜେଡି ସାଧାରଣ ସଂପାଦକ ତଥା ବିଶିଷ୍ଟ ଚଳଚିତ୍ର ଅଭିନେତା ଶ୍ରୀ ଅରିନ୍ଦମ ରାୟ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟ।।ଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ଅରିନ୍ଦମ ରାୟ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି କେନ୍ଦ୍ରାପଡା ନିର୍ବାଚନମଣ୍ଡଳିର ଅବସରପ୍ରାପ୍ତ ଅତିରିକ୍ତ ଅଡିଟର ଜେନେରାଲ ଶ୍ରୀ ସୁରଥ ସେଠୀଙ୍କ ସମେତ ଜିତେନ୍ଦ୍ର ନାଥ, ଶ୍ରୀଧର ସେଠୀ, ଭାବଗ୍ରାହୀ ସେଠୀ, ପ୍ରସନ୍ନ କୁମାର ପରୀଡା, ବିଶ୍ୱଜିତ୍ ନାଥଶର୍ମା, ଧୀରେନ ଘଡାଇ, ହେମନ୍ତ କୁମାର ବିଶ୍ୱାଳ, ଧରଣୀଧର ପ୍ରଧାନ, ପତିତପାବନ ପରୀଡା, ଅଭିରାମ ଶର୍ମା, ବୈକୁଣ୍ଠ ରାଉତ, ଆୟୁଷ ଶୁଭଙ୍କର ସାମଲ, ତନ୍ମୟ ପ୍ରକାଶ ରାଉତ, ସ୍ଥିତିପ୍ରଜ୍ଞା ନନ୍ଦ, ରାଜେଶ ସିଂହ, ରୋଶ୍ନାମୟୀ ସ୍ୱାଇଁ, ଦିବ୍ୟ ସିଂହ, ରାକେଶ ସିଂହ ପ୍ରମୁଖ ଆନୁଷ୍ଠାନିକ ବିଜେପିରେ ସାମିଲ ହୋଇଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବା ଶ୍ରୀ ରାୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ପୁର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।
ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସଂଗଠନ ସୁଦୃଢ଼ ହେଉଛି । ଓଡ଼ିଶାରେ ଯେଉଁ ଅଗଣତାନ୍ତ୍ରିକ ସରକାର ଚାଲିଛି ତାକୁ ହଟାଇବା ପାଇଁ ଓଡ଼ିଶାର ବିଭିନ୍ନ ବର୍ଗର ଲୋକମାନେ ଭାରତୀୟ ଜନତା ପାର୍ଟି ଉପରେ ଭରସା କରି ଯୋଗଦାନ ଦେଉଛନ୍ତି । ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ ଓ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଯାତ୍ରାକୁ ଓଡ଼ିଶାରେ ଆଗେଇ ନେବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ମନୋଜ ମହାପାତ୍ର, ଜ୍ଞାନ ବେଉରିଆ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy