ହାତ ଛାଡି ଶଙ୍ଖ ଫୁଙ୍କିବେ ଗଣେଶ୍ୱର ବେହେରା!

0 1,327

ଆଜି ମିଶବେ ପ୍ରକାଶ ଓ ସୁରେନ୍ଦ୍ର

ଭୁବନେଶ୍ୱର/କେନ୍ଦ୍ରାପଡା, (ରିପୋଟର୍ସ ପେନ୍‌): ମେଣ୍ଟ ଚର୍ଚ୍ଚା ଥମିବା ପରେ ଏବେ ନେତାଙ୍କ ଦଳ ଡିଆଁ ପର୍ବ ଜୋରଦାର ଆରମ୍ଭ ହୋଇଛି । ଏହି କ୍ରମରେ ଆଜି କଂଗ୍ରେସର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ଓ ବିଜେପି ନେତା ପ୍ରକାଶ ବେହେରା ନିଜ ଦଳ ଛାଡି ବିଜେଡିରେ ସାମିଲ ହେବାକୁ ଯାଉଛନ୍ତି । ତେବେ କେନ୍ଦ୍ରପଡାର ଚର୍ଚ୍ଚିତ କଂଗ୍ରେସ ନେତା ଗଣେଶ୍ୱର ବେହେରା ମଧ୍ୟ ହାତ ଛାଡି ଏବେ ଶଙ୍ଖ ଫୁଙ୍କିବାକୁ ସଜବାଜ ହେଉଛନ୍ତି । ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

କେନ୍ଦ୍ରାପଡା କଂଗ୍ରେସ ରାଜନୀତିର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ଗଣେଶ୍ୱର ବେହେରା । ଯଦିଓ ସେ କ୍ରମାଗତ ଭାବେ ପରାଜିତ ହେଉଛନ୍ତି, ତଥାପି ତାଙ୍କର ଲୋକ ସମ୍ପର୍କ ଯୋଗୁଁ କଂଗ୍ରେସ ସଂଗଠନକୁ ସଜାଡି ରଖିପାରିଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦାର୍ଶନ ପୂର୍ବକ ଏକ ବିଶାଳ ରାଲି କରି ସେ ନିଜର ଉପସ୍ଥିତ ଜାହିର କରିଥିଲେ । ୨୦୧୯ରେ ମାତ୍ର ୫ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିବାରୁ ଏଥର ବିପୁଳ ଭୋଟରେ ବିଜୟୀ ହେବାକୁ ରଣନୀତି ଆରମ୍ଭ କରିଥିଲେ । ମାତ୍ର ବିରୋଧି ଶୂନ୍ୟ ଚାହୁଁଥିବା ବିଜେଡିର ନଜର ତାଙ୍କ ଉପରେ ପଡିଛି ।

୨୦୧୯ରେ ଶଶିଭୂଷଣ ବେହେରା ‘ଉଡା ଚଢେଇ’ ଭାବେ ଆସି ନୀବନ ପଟ୍ଟନାୟକଙ୍କ ହାୱାରେ ବିଜୟୀ ହୋଇଥିଲେ । ମାତ୍ର କୌଣସି ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ନଥିଲେ । ଏପରିକି ତୃଣମୂଳସ୍ତରରେ ସଂଗଠନକୁ ସଜାଡି ରଖିପାରିନଥିଲେ । ବରଂ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରି ବିବାଦୀୟ ହୋଇପଡିଥିଲେ । ଫଳସ୍ୱରୂପ ତାଙ୍କୁ ନିଜ ଦଳର କର୍ମୀମାନେ ଅଣ୍ଡାମାଡ କରିବାକୁ ବାଧ୍ୟ ହୋଇଥିଲେ । ତେଣୁ ଚଳିତ ଥର ଦଳ ଗୋଟିଏ ନିର୍ବିବାଦୀୟ ପ୍ରାର୍ଥୀ ଖୋଜୁଥିବା ବେଳେ ଗଣେଶ୍ୱରଙ୍କ ଉପରେ ନଜର ପଡିଥିଲା । ଦଳ ଗଣେଶ୍ୱରଙ୍କୁ ଅଫର ଦେଇଥିବା ବେଳେ ଏକ ନିଶ୍ଚିତ ସୁଯୋଗକୁ ମଧ୍ୟ ସେ ହାତଛଡା କରିବାକୁ ଚାହୁଁନାହାନ୍ତି ।

ବିଜେଡିର ବରିଷ୍ଠ ନେତାଙ୍କ ସହ ଗଣେଶ୍ୱରଙ୍କ ଆଲୋଚନା ମଧ୍ୟ ଶେଷ ହୋଇଛି । କିନ୍ତୁ ନିଜ ସମର୍ଥକଙ୍କୁ ବୁଝାଇବା ଲାଗି ଗଣେଶ୍ୱର କିଛିଦିନ ସମୟ ନେଇଥିବା ଜଣାପଡିଛି । ତେବେ ଖୁବଶୀଘ୍ର ସେ କଂଗ୍ରେସ ଛାଡି ବିଜେଡିରେ ମିଶିବେ । ବିଜେଡିରେ ମିଶିବା ପରେ ସେ କେନ୍ଦ୍ରାପଡ଼ା ଆସନରୁ ଲଢିବା ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ କଂଗ୍ରେସର ବଲାଙ୍ଗୀର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସଂ ଭୋଇ ଗତକାଲି କଂଗ୍ରେସ ଛାଡିଥିବା ବେଳେ ଆଜି ବିଜେଡିରେ ମିଶିବେ । ସେହିପରି ବିଜେପି ନେତା ପ୍ରକାଶ ବେହେରା ବିଜେପିରୁ ଇସ୍ତଫା ଦେଇଛନ୍ତି । ଆଜି ସେ ଶଙ୍ଖ ଭବନରେ ବିଜେଡିରେ ମିଶିବେ ବୋଲି ଜଣାପଡିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy