ମେଣ୍ଟ ହେଲେ ବିଜେପିରେ ମିଶିଥିବା ନେତା କଂଗ୍ରେସ ଯିବେ?

0 903

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମେଣ୍ଟ ହେବା ନେଇ ଆଭାସ ମିଳିବା ପରେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ନେତାଙ୍କ ଛାତି ଧଡଧଡ ହେଲାଣି । ବିପି ହାଇ ସାଙ୍ଗକୁ ଚିନ୍ତା ଘାରିଲାଣି । ବିଜେପିରେ ମିଶିବା ପରେ ବିଜେଡିକୁ କଟୁ ସମାଲୋଚନା କରୁଥିବା ଏହି ନେତାମାନେ ଏବେ କ’ଣ କରିବେ? ମେଣ୍ଟ ପରେ ବିଜେଡି କେବେ ବି ସେମାନଙ୍କୁ ଗ୍ରହଣ କରିବ ନାହିଁ, ଏକଥା ସ୍ପଷ୍ଟ । ତେବେ ବିଜେଡି ପରି ପୁଣି ବିଜେପିରେ କ’ଣ କୋଣଠେସା ହୋଇ ପଡିରହିବେ ନା ବିକଳ୍ପ ଚିନ୍ତା କରିବେ? ସାଧାରଣରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବିଜେପିରେ ଯୋଗ ଦେଇଥିବା କିଛି ନେତା ଏବେ କଂଗ୍ରେସରେ ମିଶିବା ନେଇ ଯୋଗାଯୋଗ ଆରମ୍ଭ କରିଥିବା ଜଣାପଡିଛି ।

ନିକଟରେ ବିଜେଡିର ହେଭିୱେଟ ନେତା ପ୍ରଦୀପ ପାଣିଗ୍ରାହୀ, ଦେବାଶିଷ ନାୟକ, ପ୍ରଶାନ୍ତ ଜଗଦେବ, ନବୀନ ନନ୍ଦ ଓ ଅରବିନ୍ଦ ଢାଲି ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି । ସେହି ସମୟରେ ସେମାନେ ବିଜେଡି ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ । ଏମାନେ ସମସ୍ତେ ବିଜେଡିକୁ ସମସ୍ୟାରେ ପକାଇବା ସମ୍ଭାବନା ରହିଛି । ବିଜେଡି ମଧ୍ୟ ଏମାନଙ୍କୁ ପରୋକ୍ଷରେ ଭୟ କରୁଛି ଓ ଏମାନଙ୍କୁ କୌଣସିମତେ କ୍ଷମତାକୁ ନଆଣିବାକୁ ରଣନୀତି ମଧ୍ୟ ପ୍ରସ୍ତୁତ କରିଛି । ମାତ୍ର ଏବେ ଯଦି ମେଣ୍ଟ ହୁଏ, ତେବେ ଏମାନଙ୍କ ଅବସ୍ଥା କ’ଣ ହେବ?

ରାଜନୈତିକ ସମୀକ୍ଷକଙ୍କ ମତରେ, ମେଣ୍ଟ ହେଲେ ବିଜେଡି ସର୍ବପ୍ରଥମେ ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ନଦେବାକୁ ବିଜେପି ପାଖରେ ଦାବି କରିବ । କାରଣ ପ୍ରଦୀପ ପାଣିଗ୍ରାହୀ ଏବେ ଘାଇଲା ବାଘ ସଦୃଶ ରହିଛନ୍ତି । ଯେକୌଣସି ପ୍ରକାରରେ ସେ ବିଜେଡିକୁ ପଛରୁ ଛୁରାଘାତ କରିବାକୁ ଚେଷ୍ଠା କରିବେ । ତେଣୁ ତାଙ୍କୁ ଦଳରୁ ବିଦା ହେଉ କିମ୍ବା କୋମାରେ ରଖିବାକୁ ବିଜେଡି ଚେଷ୍ଠା କରିବ । ମେଣ୍ଟ ହେଲେ ପ୍ରଦୀପଙ୍କ ପତିଆରା ନିଶ୍ଚିତ ଭାବେ ହ୍ରାସ ପାଇବ, ଏହା ନିଃସନ୍ଦେହ ।

ବିଜେଡିର ଦ୍ୱିତୀୟ ଟାର୍ଗେଟକୁ ଆସିବେ ପ୍ରଶାନ୍ତ ଜଗଦେବ । ବିଜେଡି ପ୍ରଶାନ୍ତଙ୍କୁ ମଧ୍ୟ କୌଣସି ମତେ ବିଧାନସଭାକୁ ପୁରାଇ ନଦେବାକୁ ଚେଷ୍ଠା କରିବ । ଗୁଣ୍ଡାଗର୍ଦ୍ଦି କରି ବିଜେଡିକୁ ବଦନାମ କରିବା ଓ ପରେ ବିଜେପିରେ ମଶି ବିଜେଡିକୁ ସମାଲୋନା କରିଥିବାରୁ ଏହାକୁ କେବେବି ବରଦାସ୍ତ କରିବ ନାହିଁ । ସେହିପରି ଦୀର୍ଘଦିନ ହେଲା କୋଣଠେସା ହୋଇ ରହିଥିବା ଦେବାଶିଷ ନାୟକ, ନବୀନ ନନ୍ଦ ଓ ଅରବିନ୍ଦ ଢାଲିଙ୍କୁ ମଧ୍ୟ ବିଜେଡି ଗ୍ରହଣ କରିବ ନାହିଁ । ସେମାନଙ୍କୁ ଟେକ୍ନିକାଲି ହ୍ୟାଣ୍ଡେଲ କରି ବିଜେପିରେ ମଧ୍ୟ ତାଙ୍କୁ ଏକଘରିଆ କରି ରଖିବାକୁ ପ୍ରୟାସ କରିବ ।

ତେଣୁ ବିଜେପିରେ ରହି ବିଜେଡି ଦ୍ୱାରା ଅପଦସ୍ତ ହେବା ଓ ଅସ୍ତିତ୍ୱ ହରାଇବାକୁ କୌଣସି ନେତା ଚାହିଁବେ ନାହିଁ । ତେଣୁ ମେଣ୍ଟ ଘୋଷଣା ପରେ ଏହି ନେତାମାନେ ବିଜେପି ସହ ସମ୍ପର୍କ ଛିନ୍ନ କରି ବିରୋଧୀ ଶିବିରକୁ ଯିବା ଲାଗି ଉଦ୍ୟମ କରିବେ, ଏଥିରେ ସନ୍ଦେହ ନାହିଁ । ସେମାନଙ୍କ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି । ଶ୍ରୀକାନ୍ତ ଜେନା କଂଗ୍ରେସରେ ମିିଶିବା ପରେ ଏମାନଙ୍କ ଯିବା ରାସ୍ତା ମଧ୍ୟ ଖୋଲିଯାଇଛି । କାରଣ ବିରୋଧ ଦଳରେ ଥିଲେ ମଧ୍ୟ ଦେବାଶିଷ ନାୟକ ଓ ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ସେହି କାରଣରୁ ଦେବାଶିଷ ନାୟକ ମଧ୍ୟସ୍ଥିରେ ବିଜେପିରେ ସଦ୍ୟ ଯୋଗ ଦେଇଥିବା ନେତା କଂଗ୍ରେସ ଶିବିରକୁ ଯାଇପାରନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy