‘ଅତାବିରା ଓ ଭଟଲିରେ ଜନସମୁଦ୍ର ବିରୋଧୀଙ୍କ ମନୋବଳ ଭାଙ୍ଗି ଦେଇଛି’

0 160

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ଧୁଆଁଧାର ପ୍ରଚାର କରିଛନ୍ତି। ଆଜି ସକାଳେ ସେ ପଦମ୍‌ପୁର ଓ ବିଜେପୁରରେ ନିର୍ବାଚନ ପ୍ରଚାର କରିଥିବା ବେଳେ ଅପରାହ୍ନରେ ଅତାବିରା ଓ ଭଟଲିରେ ପ୍ରଚାର କରି ବିରୋଧୀ ବିଜେପି ଦଳ ଉପରେ, ବିଶେଷ କରି କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି।

ସେ କହିଥିଲେ ଯେ ଆଜିର ଜନସମୁଦ୍ରକୁ ଦେଖି ବିରୋଧୀଙ୍କ ମନୋବଳ ଭାଙ୍ଗି ଯାଇଛି। ସେମାନେ ହତାଶ ହୋଇ ପଡିଛନ୍ତି। ସେ ପୁଣି କହିଲେ ଯେ ବିରୋଧୀ ଦଳ ନିଜେ କାମ କରିବେନି କି କାହାକୁ କରାଇ ମଧ୍ୟ ଦେବେ ନାହିଁ । ମିଛରେ ଆଖି ବନ୍ଦ କରି ଶୋଇଥିବା ଲୋକକୁ ଉଠାଇବ କିଏ?
ଚାଷୀମାନଙ୍କ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ୨୦୧୪ ରୁ ୨୦୧୯ ଓ ୨୦୨୪ ସବୁବେଳେ ସେମାନେ ଗୋଟିଏ ପ୍ରତିଶ୍ରୁତି ଦେଇ ଆସିଛନ୍ତି। ଏମ୍‍.ଏସ୍‍.ପି ଦୁଇଗୁଣ କରିବେ। ୧୦ ବର୍ଷ ଗଲାଣି, କଲେନି, ଆଉ କ’ଣ କରିବେ? ସେହିପରି ଫସଲ ବୀମା ସରଳ କରିବା ପାଇଁ ପ୍ରତିଶୃତି ଦେଇଥିଲେ, କଲେ କି? କିନ୍ତୁ ଆମର ମୁଖ୍ୟମନ୍ତ୍ରୀ ଫସଲ ବୀମାର ପ୍ରିମିୟମ ଦେଲେ, ଚାଷୀ ଭାଇଙ୍କ ବୋଝ ହାଲକା କେଲେ ।

ମା’ ସମଲେଇ ସେମାନଙ୍କୁ ସଦ୍‍ବୁଦ୍ଧି ଦିଅନ୍ତୁ, ବିକାଶକୁ ସେମାନେ ବିରୋଧ କରନ୍ତୁ ନାହିଁ । ଲୋକଙ୍କ କାମରେ ବାଧା ଦିଅନ୍ତୁ ନାହି। ପଡୋଶୀ ରାଜ୍ୟ ଛତିଶଗଡର ଉଦାହରଣ ଦେଇ ସେ କହିଲେ ଯେ ସେଠାରେ ବାରମ୍ବାର ଇଂଜିନ୍‌ ଚେଞ୍ଜ ହେଉଛି। ତାଙ୍କ ତେଲ ସରି ଯାଉଛି। ଯଦି ଡବଲ ଇଂଜିନ୍‌ ଏତେ ଭଲ, ତାହେଲେ ଲୋକ କାହିଁକି ଭରଷା କରୁ ନାହାନ୍ତି? ସେଠି ନକ୍ସଲ ସମସ୍ୟା ସୁଧୁରୁନାହିଁ କାହିଁକି? ଓଡିଶାରେ ମୁଖ୍ୟମନ୍ତ୍ରୀ ବିକାଶ କରି ନକ୍ସଲ ସମସ୍ୟା ଦୂର କରିଛନ୍ତି।

ଓଡ଼ିଶା ମା’ ର ସେବା ମୁଖ୍ୟମନ୍ତ୍ରୀଙ୍କର ଧର୍ମ। ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି। ନବୀନ ସରକାରରେ ସବୁ ବର୍ଗର ଲୋକଙ୍କ ଉନ୍ନତି ହୋଇଛି। ସଶକ୍ତିକରଣ ହୋଇଛି। ନବୀନ ସରକାର ହେଉଛି ମା’ମାନଙ୍କ ସରକାର, ଚାଷୀ ଭାଇଭଉଣୀଙ୍କ ସରକାର, ଯୁବକମାନଙ୍କ ସରକାର।

ବିରୋଧୀ ଦଳ ଆସିଲେ ନବୀନ ସରକାରଙ୍କ ସବୁ ଭଲ କାମ ବନ୍ଦ କରିଦେବେ। ମିଶନ ଶକ୍ତି , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମମତା, ଲକ୍ଷ୍ମୀ ଯୋଜନା ଆଦି ସବୁ ଭଲ କାମକୁ ସେମାନେ ବନ୍ଦ କରିଦେବେ ବୋଲି ପାଣ୍ଡିଆନ କହିଥିଲେ।

ସେ କହିଲେ ଯେ ନବୀନ ପଟ୍ଟନାୟକ ଲୋକଙ୍କୁ କାମର ହିସାବ ଦିଅନ୍ତି । ଅନ୍ୟ କେଉଁ ମୁଖ୍ୟମନ୍ତ୍ରୀ ଦିଅନ୍ତି କି ? ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ସବୁ କାମର ଗୋଟି ଗୋଟି ହିସାବ ଦେଉଛି। ଭେଡେନ୍‍କୁ ଏନ୍‍.ଏ.ସି. କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ୱେଶ୍ୱର ମନ୍ଦିର ପାଇଁ ୨ କୋଟି ୬୦ ଲକ୍ଷ ଟଙ୍କା । ରାମଚଣ୍ଡି ମନ୍ଦିର ପାଇଁ ୧ କୋଟି ୪୦ ଲକ୍ଷ, ଅତାବିରା ମା ଦୁର୍ଗା ମନ୍ଦିର ପାଇଁ ୮୦ ଲକ୍ଷ, ଗିରିଗୋବର୍ଦ୍ଧନ ପୀଠ ପର୍ଯ୍ୟଟନ ବିକାଶ ପାଇଁ ୩୦ ଲକ୍ଷ, ସୁନି ମସ୍‌ଜିଦ୍‌ ପାଇଁ ୨୦ ଲକ୍ଷ ଟଙ୍କା ଦେଇଛନ୍ତି।

ସେହିପରି ଭଟଲିରେ କହିଥିଲେ ଯେ ଭଟଲିର ଦୁର୍ଗା ମନ୍ଦିର ପାଇଁ ୫୦ ଲକ୍ଷ, ଅଲେଖ ମହିମା ପୀଠ ପାଇଁ ୫୦ ଲକ୍ଷ, ଅମ୍ବାଭୋନାରେ ରାସ୍ତା ଓ ସ୍କୁଲ ପାଇଁ ୪.୬୦ କୋଟି, ପର୍‌ବତ୍‌ର ଗୁମ୍ଫା ପର୍ଯ୍ୟଟନ ବିକାଶ ପାଇଁ ୧.୮୦ କୋଟି ଟଙ୍କା, ମହାନଦୀ ମହୁଲପାଲିରେ ୧୦୦ କୋଟି ଟଙ୍କାରେ ସେତୁ କରାଯାଇଛି । ବରଗଡ କ୍ୟାନ୍‌ସର ହସ୍ପିଟାଲ ପାଇଁ ଆପଣମାନଙ୍କ ବହୁ ଦିନର ଦାବୀ ମୁଖ୍ୟମନ୍ତ୍ରୀ ପୂରଣ କରି ହସ୍ପିଟାଲ ପ୍ରତିଷ୍ଠା କରିଛନ୍ତି।

ଶେଷରେ ସେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଲକ୍ଷାଧିକ ଭୋଟରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy