ସ୍ୱାଧିନ ଭାବେ ନିର୍ବାଚନ ଲଢିବେ ସୌମ୍ୟ!

0 498

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସବୁ କଳ୍ପନା-ଜଳ୍ପନାର ଅବସାନ ଘଟିଛି । ବରିଷ୍ଠ ନେତା ତଥା ଖଣ୍ଡପଡ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏବେ ସ୍ୱାଧିନ ଭାବେ ନିର୍ବାଚନ ଲଢିବାକୁ ମନସ୍ଥିର କରିଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରୁ ସୌମ୍ୟ ସ୍ୱାଧିନ ଭାବେ ଲଢିବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି ।

ଗତ କିଛିଦିନ ହେଲା ସୌମ୍ୟଙ୍କୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଥିଲା । ସେ ବିଜେଡି ଫେରିବା ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ତେବେ ଅପମାନକୁ ଭୂଲି ସୌମ୍ୟ ଆଉ ବିଜେଡି ନଫେରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଏନେଇ ବିଜେପି ସହ ତାଙ୍କର ଆଲୋଚନା ଶେଷ ହୋଇଥିଲା । ମାତ୍ର ଶେଷ ମୁହୂର୍ତ୍ତରୁ ତାଙ୍କର ଅଙ୍କ ଛିଡିନଥିଲା । ତେଣୁ ସେ ବିଜେପିକୁ ମଧ୍ୟ ଯାଇନଥିଲେ ।

ପ୍ରାର୍ଥୀପତ୍ର ଦାଖଲ ଶେଷ ହେବାକୁ ଆଉ ମାତ୍ର କିଛିଦିନ ଥିବା ବେଳେ ସେ ସ୍ୱାଧିନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଏପରିକି ଏନେଇ ୬ ସେଟ୍ ପ୍ରାର୍ଥୀପତ୍ର ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି । ପ୍ରଥମ ସିଟ୍ ଭାବେ ସୌମ୍ୟ ଘଷିପୁରାକୁ ବାଛିଥିବା ବେଳେ ଖଣ୍ଡପଡାକୁ ବିକଳ୍ପ ଭାବେ ରଖିଛନ୍ତି । ଆସନ୍ତା ୬ ତାରିଖରେ ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି । ସେହିପରି ଖଣ୍ଡପଡାରୁ ଯଦି ଅନୁଭବ ପଟ୍ଟନାୟକ ସ୍ୱାଧିନ ଭାବେ ପ୍ରାର୍ଥୀ ନ ହୁଅନ୍ତି, ତେବେ ସୌମ୍ୟ ଖଣ୍ଡପଡାରୁ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବା ସମ୍ଭାବନା ରହିଛି । ତେବେ ସ୍ୱାଧିନ ଭାବେ ସୌମ୍ୟ ନିର୍ବାଚନ ଲଢିବା ଏକ ପ୍ରକାର ଫାଇନାଲ ବୋଲି ଜଣାପଡିଛି ।

ଉଲ୍ଲେଖଥାଉ କି, ଶ୍ରୀ ପଟ୍ଟନାୟକ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ବିଜେଡିରେ ମିଶିବା ପରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୯ରେ ସେ ରାଜ୍ୟସଭା ସାଂସାଦ ପଦରୁ ଇସ୍ତଫା ଦେଇ ଖଣ୍ଡପଡାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜ୍ୟରେ ସେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ରେକର୍ଡ ମଧ୍ୟ କରିଥିଲେ । ହେଲେ ବିଜେଡି ସରକାର ତାଙ୍କୁ ମନ୍ତ୍ରୀ ପଦ ନଦେବାରୁ ସେ ଅସନ୍ତୁଷ୍ଟ ହୋଇଥିଲେ । ପରେ ସରକାରଙ୍କ ବିରୋଧରେ ନିଜ ସମ୍ପାଦନାରେ ପ୍ରକାଶ ପାଉଥିବା ଖବରକାଗଜରେ କଟାକ୍ଷ କରିବା ସହ ଗଣମାଧ୍ୟମରେ ସରକାର ବିରୋଧି ବିବୃତ୍ତି ନେଇ ଚର୍ଚ୍ଚାକୁ ଆସିଥିଲେ ।

ଏହା ପରେ ତାଙ୍କ ବିରୋଧରେ କର୍ମଚାରୀଙ୍କ ନାଁରେ ଋଣ ଠକେଇ କରିବା ନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହୋଇଥିଲା । ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଖୋଳତାଡ କରିଥିଲେ । ଏହି ଘଟଣା ସେତେବେଳେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଥିଲେ । ଏପରିକି ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ପରେ ସେ ରାଜନୀତିରୁ ଦୂରେଇ ରହିବା ସହ ସମ୍ବାଦ ଓ କନକ ଟିଭିରୁ ଅବ୍ୟାହତି ନେଇଥିଲେ । ବେଶ କିଛିଦିନ ନିରବ ରହିବା ପରେ ଏବେ ସେ ପୁଣି ସକ୍ରିୟ ରାଜନୀତିକୁ ଆସିବାକୁ ଯାଉଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy