ସୌମ୍ୟରଂଜନ ବିଜେପିରେ ସାମିଲ ହେବେ!

0 1,038

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବରିଷ୍ଠ ନେତା ତଥା ଖଣ୍ଡପଡ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବିଜେପିରେ ସାମିଲ ହୋଇପାରନ୍ତି । ଏନେଇ ବିଜେପି ସହ ତାଙ୍କର ଆଲୋଚନା ଶେଷ ହୋଇଥିବା ଜଣାପଡିଛି । ଖୁବଶୀଘ୍ର ସେ ବିଜେପିରେ ସାମିଲ ହୋଇ ନୂଆ ରାଜନୀତି ସମୀକରଣ ସୃଷ୍ଟି କରିବେ ବୋଲି କୁହାଯାଉଛି ।

ଶ୍ରୀ ପଟ୍ଟନାୟକ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ବିଜେଡିରେ ମିଶିବା ପରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୯ରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇ ଖଣ୍ଡପଡାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜ୍ୟରେ ସେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ରେକର୍ଡ ମଧ୍ୟ କରିଥିଲେ । ହେଲେ ବିଜେଡି ସରକାର ତାଙ୍କୁ ମନ୍ତ୍ରୀ ପଦ ନଦେବାରୁ ସେ ଅସନ୍ତୁଷ୍ଟ ହୋଇଥିଲେ । ପରେ ସରକାରଙ୍କ ବିରୋଧରେ ନିଜ ସମ୍ପାଦନାରେ ପ୍ରକାଶ ପାଉଥିବା ଖବରକାଗଜରେ କଟାକ୍ଷ କରିବା ସହ ଗଣମାଧ୍ୟମରେ ବିବତ୍ତି ନେଇ ଚର୍ଚ୍ଚାକୁ ଆସିଥିଲେ ।

ଏହା ପରେ କର୍ମଚାରୀଙ୍କ ନାଁରେ ଋଣ ନେଇ ଠକେଇ କରିବା ନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହୋଇଥିଲା । ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଖୋଳତାଡ କରିଥିଲେ । ଏହି ଘଟଣା ସେତେବେଳେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଥିଲେ । ଏପରିକି ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ପରେ ସେ ରାଜନୀତିରୁ ଦୂରେଇ ରହିବା ସହ ସମ୍ବାଦ ଓ କନକ ଟିଭିରୁ ଅବ୍ୟାହତି ନେଇଥିଲେ ।

ବେଶ କିଛିଦିନ ନିରବ ରହିବା ପରେ ଏବେ ସେ ପୁଣି ସକ୍ରିୟ ରାଜନୀତିକୁ ଆସିବାକୁ ଯାଉଛନ୍ତି । କୁହାଯାଉଥିଲା, ସେ ପୁଣି ଥରେ ବିଜେଡିକୁ ଫେରିବେ । ମାତ୍ର ତାହା ହେଲା ନାହିଁ । ଏଥର ତାଙ୍କର ପୁରୁଣା ଦଳ ବିଜେପିକୁ ଫେରିବାକୁ ଯାଉଛନ୍ତି । ବିଜେପିରେ ମିଶିବା ପରେ ସେ ନୂଆ ରାଜନୀତି ସମୀକରଣ କରିବେ ବୋଲି ଜଣାପଡିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy