ସମ୍ବଲପୁରରେ ହେବ ବିଗ୍‌-ଫାଇଟ୍‌, କର୍ମୀ ଉତ୍ସାହିତ

0 333

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସମ୍ବଲପୁର ଲୋକସଭା ଆସନ ଉପରେ ଏବେ ସାରା ରାଜ୍ୟବାସୀଙ୍କ ନଜର ରହିଛି । ଏହି ଆସନରୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳର ହେଭିୱେଟ ନେତାଙ୍କ ମଧ୍ୟରେ ବିଗ-ଫାଇଟ୍ ହେବାକୁ ଯାଉଛି । ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଛନ୍ତି । ଏହି ବିଗ୍‌ଫାଇଟକୁ ନେଇ ବିଜେପି ଓ ବିଜେଡି କର୍ମୀମାନେ ଉତ୍ସାହିତ ଥିବା ବେଳେ ଏପର୍ଯ୍ୟନ୍ତ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ ।

ରାଜ୍ୟର ନମ୍ବର ୱାନ୍ ତଥା ପ୍ରଭାବଶାଳୀ ବିଜେପି ନେତା ଭାବେ ପରିଚିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଆସନରୁ ପ୍ରାର୍ଥୀ ହେବା ପରେ ତାଙ୍କ ସମର୍ଥକ ଓ ଦଳୀୟ କର୍ମୀମାନେ ଉତ୍ସାହିତ ହୋଇପଡିଛନ୍ତି । ଏବେ ଠାରୁ ସେମାନେ ପ୍ରଚାର ଓ ପ୍ରସାର ଆରମ୍ଭ କରିଦେଇଛନ୍ତି । ଏପରିକି ବିଜେପିର ନେତାମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଇସ୍ତାହାରକୁ ନେଇ ଲୋକଙ୍କ ପାଖକୁ ଯିବା ସହ ଧର୍ମେନ୍ଦ୍ରଙ୍କ ସପକ୍ଷରେ ପ୍ରଚାର ଚଳାଇଛନ୍ତି । କେନ୍ଦ୍ରମନ୍ତ୍ରୀ ସମୟରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ପାଇଁ ଯେଉଁ ବିକାଶମୂଳକ କାର୍ଯ୍ୟ କରିଥିଲେ, ତାହାକୁ ପୁଞ୍ଜି କରି ସେ ଭୋଟରଙ୍କ ପାଖକୁ ଯିବାକୁ ପ୍ରୟାସ କରୁଛନ୍ତି । ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ବିଜେପି କର୍ମୀଙ୍କ ଉତ୍ସାହ ଶତପ୍ରତିଶତ ବଢିଯାଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଶେଷରେ ଧର୍ମେନ୍ଦ୍ରଙ୍କ ସହ ଫାଇଟ୍ କରିବାକୁ ହେଲେ ଜଣେ ହେଭିୱେଟ୍‌କୁ ଟିକେଟ ଦେବାକୁ ଦଳ ନିଷ୍ପତ୍ତି ନେଇଥିଲା । ଶେଷରେ ଦଳର ବିନ୍ଧାଣୀ କୁହାଯାଉଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ମୈଦାନକୁ ଓହ୍ଲାଇବାକୁ ପଡିଛି । ବବିଙ୍କ ନାଁ ଦଳ ଘୋଷଣା କରିବା ପରେ ସମ୍ବଲପୁର ସମେତ ସାରା ରାଜ୍ୟରେ ବିଜେଡି ଶିବିରରେ ଉତ୍ସାହ ଖେଳି ଯାଇଛି । ଉତ୍ସାହିତ କର୍ମୀମାନେ ଦୁଇ ଯୋଦ୍ଧାଙ୍କ ମଧ୍ୟ ହେବାକୁ ଥିବା ବିଗଫାଇଟକୁ ନେଇ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ସେ ଯାହା ହେଉ, ସମ୍ବଲପୁରରେ ଏଥର ବିଗ୍‌-ଫାଇଟ ହେବା ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ଉଲ୍ଲେଖଥାଉ କି, ସମ୍ବଲପୁର ଲୋକସଭା ଅଧିନରେ ୩ଟି ଜିଲ୍ଲାର ୭ଟି ବିଧାନସଭା ଆସନ ରହିଛି । ସେଗୁଡିକ ହେଲା, କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ, ଛେଣ୍ଡିପଦା ଓ ଆଠମଲ୍ଲିକ । ଏହି ଆସନ ମଧ୍ୟରୁ ୪ଟି ବିଧାନସଭା ବିଜେଡି ଦଖଲରେ ଥିବା ବେଳେ ୩ଟି ବିଜେପି ଦଖଲ କରିଛି । ଏହାକୁ ଅନୁଶୀଳନ କଲେ ବିଧାନସଭା ଆସନରେ ମଧ୍ୟ ଫାଇଟ ହେବା ନିଶ୍ଚିତ । ତେବେ ଦେଖାଯାଉ ଏହି ବିଗ୍‌ଫାଇଟରେ କିଏ ବାଜି ମାରୁଛି ଓ କିଏ ମାଟି କାମୁଡୁଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy