ଆମକୁ ସୁସ୍ଥ ଗଣତନ୍ତ୍ର ଏବଂ ସ୍ୱଚ୍ଛ ନିର୍ବାଚନ ଦରକାର: ବିଜେପି

0 413

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାରତୀୟ ନିର୍ବାଚନ ଆୟୋଗଙ୍କ ଛାଟ ପରେ ବାଧ୍ୟ ହୋଇ କିଛି ବରିଷ୍ଠ ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କୁ ବଦଳି କରାଗଲା । ଦୀର୍ଘ ୯ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ପୋଲିସ ଆଇଜି ଡି.ଏସ.କୁଟ୍ଟେ କ୍ଷମତାର ଅପବ୍ୟବହାର କରି ସରକାରୀ ଅଧିକାରୀଙ୍କ ଜରିଆରେ ଶାସକ ବିଜେଡି ସପକ୍ଷରେ ଭୋଟ ହାତେଇବାର ବେଆଇନ କାର୍ଯ୍ୟ କରୁଛନ୍ତି । ଭାରତୀୟ ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି । ଅନ୍ୟ ପଟେ ସରକାରୀ କଳ ଓ ବଳର ଅପବ୍ୟବହାର କରି ଭୋଟ ହାତେଇବାର ମନ୍ଦ ଉଦ୍ଦେଶ୍ୟରୁ ନିବୃତ ହେଲା ନାହିଁ ଶାସକ ବିଜେଡି । ଗତ ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟୀତ୍ୱରେ ଥିବା ତତ୍କାଳୀନ ପୋଲିସ ଡିଆଇଜି ଆଶିଷ ସିଂହ ପଦନ୍ନୋତି ପାଇବା ପରେ ଅନ୍ୟତ୍ର ପୋଷ୍ଟିଂ ପାଇଥିଲେ ।

ନିର୍ବାଚନରେ ଶାସକ ବିଜେଡି ସପକ୍ଷରେ ନିର୍ବାଚନ ପରିଚାଳନା କାର୍ଯ୍ୟ କରିଥିବା ଅନେକ ପ୍ରମାଣ ରହିଛି । ନିର୍ବାଚନ ଆୟୋଗଙ୍କ ଛାଟ ପରେ ରାଜ୍ୟ ସରକାର ପୁଣି ଥରେ ଚଂଚକତା କରି ଆଇଜି ର‌୍ୟାଂକକୁ ପଦନ୍ନୋତି ପାଇଥିବା ଶ୍ରୀ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟୀତ୍ୱ ନ୍ୟସ୍ତ କରିଛନ୍ତି । ସେହିପରି ଉତରାଂଚଳ ପୋଲିସ ଆଇଜି ଶ୍ରୀ ସତ୍ୟବ୍ରତ ଭୋଇ ମଧ୍ୟ ନିଜ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି । ଶାସନ ବ୍ୟବସ୍ଥାରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ଶାସକ ବିଜେଡି ପାଇଁ ପକ୍ଷପାତିତା କରିବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ । ଏହା ଦ୍ୱାରା ରାଜ୍ୟରେ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରଭାବିତ ହେବ ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ।

ଶାସକ ବିଜୁ ଜନତା ଦଳ ନିର୍ବାଚନ ଜିତିବା ପାଇଁ ସରକାରୀ ଅଫିସରମାନଙ୍କୁ ଦଳୀୟ କର୍ମୀ ଭଳି କାର୍ଯ୍ୟ କରାଉଛନ୍ତି । ବରିଷ୍ଠ ସରକାରୀ ଅଧିକାରୀମାନେ ମୋବାଇଲରେ ଚୋରା ସିମ୍ ପକାଇ ଜନତାଙ୍କୁ ଧମକ ଦେବା ସହ ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରାଉଛନ୍ତି । ବିଜେଡି ଏଭଳି ହୀନକାର୍ଯ୍ୟ ପାଇଁ ବିଜେପି ବାରମ୍ବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ନିର୍ବାଚନକୁ ଜେଣତେଣ ଜିତିବା ଲାଳସାରେ ରାଜ୍ୟ ସରକାର ସବୁ ନିୟମକାନୁନକୁ ଭୁଲି ଯାଉଛନ୍ତି । ଏହା ସଂପୂର୍ଣ୍ଣ ଦଣ୍ଡନୀୟ ଅପରାଧ ବୋଲି ଶ୍ରୀ ଶର୍ମା କହିଛନ୍ତି ।

ରାଜ୍ୟର ଗୃହ ବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ହେଉଛି ଗଞ୍ଜାମ । କିନ୍ତୁ ସେଠାରେ ଭୋଟରଧାରୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ନିର୍ବାଚନ ଆସିଲେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଅଂଚଳ ରକ୍ତମୁଖା ହୋଇଯାଏ । ଶାସକ ଦଳ ବିରୋଧରେ ଯିଏ ମୁହଁ ଖୋଲେ ସେ ମୃତ୍ୟୁ ବରଣ କରେ । ଶାସକ ଦଳ ହିଞ୍ଜିଳିରେ ନିଜର ଦବଦବା ଦେଖାଇ ବିରୋଧୀଙ୍କ ମୁହଁକୁ ବନ୍ଦ କରିବା ସହ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ପୋଷା ଗୁଣ୍ଡା ଭଳି କାମ କରାଏ । ଗଞ୍ଜାମ ଜିଲ୍ଲାରେ ହତ୍ୟା ରେକର୍ଡ ଦିନକୁ ଦିନ ବଢ଼ୁଛି । ଗତ ବର୍ଷ ୧୦୦ରୁ ଉର୍ଦ୍ଧ୍ୱ ହତ୍ୟା ଘଟିଛି । ଚଳିତ ବର୍ଷ ବର୍ତମାନ ସୁଦ୍ଧା ୧୩ରୁ ଉର୍ଦ୍ଧ୍ୱ ହତ୍ୟାକାଣ୍ଡ ଘଟିସାରିଛି । ଏଭଳି ସମ୍ବେଦନଶୀଳ ଅଂଚଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଏବଂ ବର୍ତମାନ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ଡ.ପ୍ରଦୀପ ପାଣିଗ୍ରାହୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଅଣଦେଖା କରାଯାଇ ସିକ୍ୟୁରିଟି ହଟାଇ ଦିଆଯାଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଗତ ୨୦୨୨ ମସିହା ଅଗଷ୍ଟ ୧୫ ତାରିଖ, ୨୦୨୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ପୋଲିସ ଉପସ୍ଥିତିରେ ଆକ୍ରମଣ କରାଯିବା ସତ୍ୱେ ସୁରକ୍ଷା ପ୍ରଦାନ କରାନଯିବା ପଛରେ ବିରାଟ ଷଡଯନ୍ତ୍ର ରହିଛି ବୋଲି ସାଂସଦ ପ୍ରାର୍ଥୀ ଡ.ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।

ଜିଲ୍ଲାପାଳ, ଏସ୍‌ପି, ଆଇଆଇସି, ବିଡିଓ, ତହସିଲଦାର ସିମ୍ କାର୍ଡ ଇସ୍ୟୁ କରି କାହାକୁ କାହାକୁ କଲ କରୁଛନ୍ତି ତାହାର ତଦନ୍ତ କରାଯାଉ । ଏହା ଦ୍ୱାରା ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୯ର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ଏପରିକି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମକୁ ଲୁଚି ଅନେକ ବେଆଇନ ଭାବେ କାର୍ଯ୍ୟ କରୁଛି ଶାସକ ବିଜେଡି । ଆମକୁ ସୁସ୍ଥ ଗଣତନ୍ତ୍ର ଏବଂ ସ୍ୱଚ୍ଛ ନିର୍ବାଚନ ଦରକାର । ସବୁ ରାଜନୈତିକ ଦଳ ଉପରେ ଇସିଆଇର ଗାଇଡ୍‌ଲାଇନ ଲାଗୁ ହେଉ ବୋଲି ବୋଲି ଶ୍ରୀ ପାଣିଗ୍ରାହି ଦାବି କରିଛନ୍ତି ।

ଏହି ଅବସରରେ ରାଜ୍ୟ ସଂପାଦିକା ଶ୍ରୀମତୀ କସ୍ତୁରୀ ମିଶ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy