Puri Jagannath Temple: ଭୁବନେଶ୍ୱର (ରିପୋଟର୍ସ ପେନ୍): ଶ୍ରୀମନ୍ଦିର ମେଘନାଦ ପାଚେରୀ ଫାଟ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ମେଘନାଦ ପାଚେରୀରେ ଫାଟ ଜଣାପଡିବା ପରେ ସେତେବେଳେ ଏଏସଆଇ ତାର କାମ ଆରମ୍ଭ କରିଥିଲା । ଏଏସଆଇ କାମ କରିବା ଭିତରେ ମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ସ୍ପଷ୍ଟ ଭାବରେ ଚିଠି ଲେଖାଯାଇଥିଲା । ଫାଟ ଗୁଡିକୁ ଚିହ୍ନଟ କରି ତାହାର ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ସ୍ଥାୟୀ ମରାମତି କରାଯାଉ ବୋଲି ଚିଠିରେ ଉଲେଖ ଥିଲା । ଏଏସଆଇ ସେ କାମକୁ ତ୍ୱରାନ୍ୱିତ କରିଛି ଏବଂ ଆମେ ଆଶା କରୁଛୁ ଫାଟକୁ ନେଇ ଯେଉଁ ସମସ୍ୟା ତାହାର ସମାଧାନ ଖୁବଶୀଘ୍ର ହେବ । ତେଣୁ ସେ ଦିଗରେ ଆମେ କାର୍ଯ୍ୟ ଆରମ୍ଭ କରିସାରିଛୁ ।
ପରିକ୍ରମା ପ୍ରକଳ୍ପ ସମୟରେ ଯେଉଁ ଉଚ୍ଛେଦ କରାଯାଇଥିଲା ସେ ସମୟରେ କିଛିଟା ଡ୍ୟାମେଜ ହେଇଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି । କାରଣ ଯାହା ବି ହେଉ କିପରି ସ୍ଥାୟୀ ମରାମତି କରାଯିବ ସେନେଇ ବ୍ୟବସ୍ଥା କରାଯାଉଛି । ଆନନ୍ଦ ବଜାରରେ ହାତ ଧୋଇବା ପାଣି ଝରିକି ଆସିବାର ଅଭିଯୋଗ ଆସିଛି । ସେ ଦିଗ ଗୁଡିକୁ ବି ଆମେ ଧ୍ୟାନ ଦେଇଛୁ ଏବଂ ସେକଥାକୁ ନେଇ ଏଏସଆଇ ମଧ୍ୟ ଯତ୍ନବାନ ଅଛି । ପ୍ରତିଟି ଦିଗକୁ ଧ୍ୟାନରେ ରଖି କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।