Puri News: ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

Reporterspen

Puri News: ଭୁବନେଶ୍ୱର (ରିପୋଟର୍ସ ପେନ୍‌): କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଜମିଲାଣୀ ହବିଷ୍ଯାଳିଙ୍କ ଭିଡ଼। ରାଜ୍ୟ ସରକାରଙ୍କ ହବିଷ୍ଯାଳି ଯୋଜନାରେ ପଞ୍ଜିକୃତ କରିଥିବା ମାଆ ମାନେ ବି ଶ୍ରୀକ୍ଷେତ୍ର ଶିବିରରେ ପହଞ୍ଚିଛନ୍ତି। ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବାକୁ ଯାଉଛି। ପୁଣ୍ୟ ମାସ କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼ ଲଗାଇଛନ୍ତି ଭକ୍ତ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିରରେ ବି ବ୍ରତଧାରୀଙ୍କ ଗହଳି ଲାଗିଛି। ସେପଟେ ଆଜିଠାରୁ ହବିଷ୍ୟାଳି ମାଆ ମାନେ କାର୍ଷିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ଗ୍ରହଣ କରିବେ। ଏଣୁ କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳୀ ମାଆ ମାନେ ବ୍ରତ ପାଳନ ପାଇଁ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି।

ଯେଉଁମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିବା ହବିଷିଆଳି ଶିବିରରେ ମାଗଣାରେ ରହିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି ସେମାନେ ୪ଟି ହବିଷ୍ୟାଳି ଶିବିରରେ ରହିବେ। ସେଠାରେ ହବିଷ୍ୟାଳିମାନଙ୍କର ରହିବା, ଖାଇବା ଆଦିର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ବଣ୍ଟନ କରାଯିବ ବାକି ଯେଉଁମାନେ ନାମ ପଞ୍ଜୀକରଣ କରିନାହାନ୍ତି ସେମାନେ ଭଡ଼ାରେ ଅବା ମଠ, ମନ୍ଦିର ଆଦିରେ ରହି ବ୍ରତ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ପ୍ରତିବର୍ଷ ଭଳି ଚଳିତବର୍ଷ ବି କାର୍ତ୍ତିକ ବ୍ରତ ପାଳନ କରୁଥିବା ମା’ ମାନଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ରାଈଦାମୋଦର ବେଶ ଦର୍ଶନ ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି। ସେପଟେ କେଉଁ ଶିବିରରେ କେଉଁ ଜିଲ୍ଲାର ହବିଷିଆଳି ରହିବେ। ତା’ର ସାରଣୀ ମଧ୍ୟ ପ୍ରସ୍ତୁତ ହୋଇଛି। ଚଳିତବର୍ଷ ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ବଡ଼ଦାଣ୍ଡ ଅକ୍ଷୟପାତ୍ର ଫାଉଣ୍ଡେସନ୍ ଗୃହ, ବଗଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣମଣ୍ଡପରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି।

ହବିଷ୍ୟାଳି ଶିବିରରେ ମହାପ୍ରସାଦର ବ୍ୟବସ୍ଥା ସହ ଦୈନିକ ସନ୍ଧ୍ୟାରେ ପ୍ରବଚନ ଓ ଭଜନକୀର୍ତ୍ତନର ବ୍ୟବସ୍ଥା କରାଯାଇଛି। ଦୈନିକ ମହାପ୍ରଭୁଙ୍କ ଦର୍ଶନ ପରେ ଅନ୍ନଗ୍ରହଣ କରିଥାନ୍ତି ଏଥର ବି ବ୍ରତଧାରୀଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଇଛି। ପ୍ରଶାସନ ସକାଳେ ମହାପ୍ରଭୁଙ୍କ ଦର୍ଶନ କରାଇବା ପରେ ଅପରାହ୍ଣ ଅବା ସନ୍ଧ୍ୟାରେ ମହାପ୍ରସାଦ ସେବନର ବ୍ୟବସ୍ଥା କରିଛି।

ତେବେ ୧୪ ତାରିଖରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇସାରିଛି। ଶ୍ରୀଜିଉ ମାନେ ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି। ଏଥିସହିତ ମହାପ୍ରଭୁଙ୍କ ନିକଟରେ ବାଳଧୂପ ଲାଗୁଛି। କାର୍ତ୍ତିକ ମାସରେ ପ୍ରତିଦିନ ଭୋର୍ ୪ଟାରେ ଦ୍ବାରଫିଟା ନୀତି ସଂପନ୍ନ ହେଉଛି। ଦୈନନ୍ଦିନ ନୀତିକାନ୍ତି ପରେ ରାତି ୧୨ଟା ସୁଦ୍ଧା ପହୁଡ଼ କରିବାକୁ ଚୂଡ଼ାନ୍ତ ହୋଇଛି। ସେପଟେ ଏଥର ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପାଳିତ ହେବ। ସେହି ଅନୁସାରେ ୪ ଦିନ ମହାପ୍ରଭୁ ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ ।
ନଭେମ୍ବର ୧୧ ସୋମବାର ଦିନ ଅବକାଶ ପରେ ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହେବା ନ‌ଭେମ୍ବର ୧୨ରେ ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ ଓ ହରିଉତ୍‌ଥାପନ ନୀତି, ନଭେମ୍ବର ୧୩ରେ ବାଙ୍କଚୁଡ଼ ବେଶ ବା ବାମନ ବେଶ ଓ ଗରୁଡ଼ ଉତ୍‌ଥାପନ ନୀତି, ନଭେମ୍ବର ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ନଭେମ୍ବର ୧୫ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବା ଏହିଦିନ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ଭକ୍ତଙ୍କୁ ଦର୍ଶନ ଦେବେ।

ସେପଟେ କାର୍ତ୍ତିକ ଗହଳି ଯୋଗୁଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ ଟିକେ ପରିବର୍ତନ କରିଛନ୍ତି ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ। ଆସନ୍ତାକାଲି (୧୮ତାରିଖ) ଠାରୁ ଭକ୍ତମାନେ କେବଳ ସିଂହଦ୍ଵାର ଓ ପଶ୍ଚିମ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ସିଂହଦ୍ଵାର ବ୍ଯତିତ ଅନ୍ଯ ସମସ୍ତ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେବାୟତ ଓ ତାଙ୍କ ପରିବାର ପାଇଁ ଏହି ନିୟମ ଲାଗୁ ହେବନାହିଁ ବୋଲି ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି।


Reporterspen