Puri News: ପଞ୍ଚୁକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ‘ତ୍ରିବିକ୍ରମ ବେଶରେ’ରେ ଦର୍ଶନ ଦେଉଛନ୍ତି ମହାବାହୁ

Reporterspen

Puri News: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ଆଜି କାର୍ତ୍ତିକ ମାସ ପଞ୍ଚକର ତୃତୀୟ ଦିବସ । ଆଜିର ଦିନରେ  ଶ୍ରୀମନ୍ଦିରରେ ଠାକୁରମାନଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଛି । ଆଜି ସକାଳେ  ଶ୍ରୀଜୀଉଙ୍କ ଅବକାଶ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ବିଭୂଷିତ କରାଯାଇଥିଲା । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥିଲେ । ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଇଛି । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଛି । ଏହି ଚୂଳରେ ସ୍ଵର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଛି ।  ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ଵର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଛି । ଏଥି ସହିତ ଅନ୍ୟାନ୍ୟ ସ୍ଵର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଛି । କଥିତ ଅଛି ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ। ପଞ୍ଚସଖାବାଦୀ ତଥା ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ -ଭକ୍ତ ତଥା ମହନ୍ତମାନେ ଏହି ମନୋରମ ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି ।

ଆଡ଼କିଆ ବା ଠିଆକିଆ ବେଶ ମଧ୍ୟରେ ପ୍ରଭେଦ ଏହି କି ଯେ  ଠିଆକିଆ ବେଶରେ ସୁନାକିଆ ଲମ୍ବ ଭାବରେ ଖୋସା ନ ଯାଇ ଆଡ଼ବାଗରେ ଖୋସା ଯାଏ ଏବଂ ଡାଳିକିଆ ବେଶରେ ସୋଲର ଡାଳପତ୍ରରେ ସୁନାର କିଆପତ୍ର ଖଞ୍ଜାଯାଏ । ଏହି ସୁନାକିଆ ଗୁଡିକ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ପିନ୍ଧାଯାଇଥିବା ସୋଲ, କନା, ବେତ , ଜମ୍ବୁରା, କଇଁଥ ଅଠାରେ ନିର୍ମିତ ଚୂଳରେ ଖୋସାଯାଏ । ଚୂଳର ଶେଷରେ ଲଗାଯାଏ ସୁନାର ଚନ୍ଦ୍ରିକା । ସୁଭଦ୍ରାଙ୍କୁ ମଧ୍ୟ ଏହି ବେଶରେ ଗୋଟିଏ ସୁନା ଚନ୍ଦ୍ରିକାଦ୍ଵାରା ଶୋଭିତ କରାଯାଏ । ମାତ୍ର ତାଙ୍କ ମସ୍ତକରେ ଚୂଳ ଲାଗି କରା ନ ଯାଇ ସୁନା କିରୀଟ ଲଗାଯାଏ । ସବୁ ଠାକୁରମାନଙ୍କର ମୂଖର ଉପର ପାର୍ଶ୍ଵରେ ଦୁଇଟି ଲେଖାଏଁ ଆଡ଼କାନି ଲଗାଯାଇଥାଏ । ଏହି ବେଶରେ ଘାଗଡା ମାଳି , ବରକୋଳି ମାଳି , ପଦ୍ମମାଳି,ଗିନିମାଳି, ପଦକ ମାଳି ପିନ୍ଧାଯାଏ । ଏହା ବ୍ୟତୀତ ମହାପ୍ରଭୁଙ୍କୁ ଅନ୍ୟାନ୍ୟ ଅଳଙ୍କାର ମାଳି, ଶ୍ରୀପୟର, ଶ୍ରୀହସ୍ତ ଏବଂ ଆୟୁଧ ମଧ୍ୟ ଲାଗି କରାଯାଏ। ସେପଟେ ଏଥର ଚତୁର୍ଦ୍ଦଶୀ ତିଥି କ୍ଷୟ ପଡୁଥିବାରୁ ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ ହେବନାହିଁ।
ଏଣୁ ଆସନ୍ତାକାଲି ପବିତ୍ର ପଞ୍ଚୁକ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଅନନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ମହାପ୍ରଭୁ ରତ୍ନବେଦୀ ଉପରେ ରାଜା-ରାଜେଶ୍ୱର ଅର୍ଥାତ ସୁନାବେଶରେ ଦର୍ଶନ ଦେବେ। ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇ ଦର୍ଶନ ଦେବେ। ଏଣୁ ଦିନକୁ ଅପେକ୍ଷା କରିଛନ୍ତି ଲକ୍ଷଲକ୍ଷ ଭକ୍ତ ଓ ଦର୍ଶନାର୍ଥି।  ହବିଷ୍ଯାଳି ମାନେ ମଧ୍ୟ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ  ବେଶ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବା ସହ ଏ-ବର୍ଷର କାର୍ତ୍ତିକ ମାସକୁ ବିଦାୟ ଦେବେ। ସେପଟେ ଦର୍ଶନ ସୃଙ୍ଖଳିତ କରିବା ପାଇଁ ମରଚିକୋଟ ଛକ ନିକଟରୁ ଏକ ବିରାଟ ଅସ୍ଥାୟୀ ବ୍ଯାରିକେଡ ନିର୍ମାଣ କରାଯାଇଛି। ସିଂହଦ୍ଵାର ଦେଇ ମନ୍ଦିରକୁ ପ୍ରବେଶ କରିବା ସହ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି ଭକ୍ତ। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୩୮ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

Reporterspen