ମୁହଁ ଖୋଲିଲା ରାଜୁ ମଣ୍ଡଳ, ସିମ୍ ବକ୍ସ ପଛରେ ବାଂଲାଦେଶୀ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସିମ୍ ବକ୍ସ ଠାବ ମାମଲାରେ ଗିରଫ ହୋଇଥିବା ରାଜୁ ମଣ୍ଡଳକୁ କମିଶନରେଟ ପୋଲିସ ୫ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡ ବେଳେ ରାଜୁ ସିମ ବକ୍ସ ମାମଲାରେ ମୁହଁ ଖୋଲିଛି । ଭୁବନେଶ୍ୱର ପରି କଟକରେ ମଧ୍ୟ ସିମ୍‌ବକ୍ସ କାର୍ଯ୍ୟ କରୁଥିବା ନେଇ ସୂଚନା ଦେଇଥିଲା । ଏହା ପଛରେ ବାଂଲାଦେଶୀର ସପୃକ୍ତି ଥିବା ସେ ସ୍ୱିକାର କରିଛି । ପରେ କଟକ ପୋଲିସ ସହାୟତାରେ ଭୁବନେଶ୍ୱର ସ୍ପେଶାଲ ସ୍କ୍ୱାର୍ଡ ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳରୁ ସିମ୍‌ବକ୍ସ ଠାବ କରିଥିଲା ।

ରାଜେନ୍ଦ୍ର ନଗରରେ ଥିବା ଏକ ଭଡ଼ା ଘରୁ ପୋଲିସ ୫ଟି ଆକ୍ଟିଭ ସିମ୍ ବକ୍ସ, ୨୩୬ ଆକ୍ଟିଭ ସିମ୍‌କାର୍ଡ, ୩୦ଟି ଏକ୍ସଟ୍ରା ସିମ୍‌, ମୋଡେମ, ରାଉଟର ଓ ଅନ୍ୟାନ୍ୟ ଜିନିଷ ଠାବ କରିଛି । କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ସିମ୍ ବକ୍ସ ଜବତ କରି ଘଟଣାର ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ୨୦୨୩ ଡିସେମ୍ବର ମାସରେ ରାଜୁ ମଣ୍ଡଳ କପଡା ବ୍ୟବସାୟ ଲାଗି କଟକ ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳରେ ମାସିକ ୮ହଜାର ଟଙ୍କାରେ ଏକ ଘର ଭଡା ନେଇଥିଲା । ଫୋନ ପେ’ ମାଧ୍ୟମରେ ସେ ଭଡା ଟଙ୍କା ପୈଠ କରୁଥିଲେ ।

ପରେ ସେଠାରେ ସିମ୍ ବକ୍ସ ଲଗାଯାଇଥିଲା । ଏହି ସିମ୍ ବକ୍ସକୁ ବାଂଲାଦେଶର ଆଶାଦୁର କଟକ ଆସି ଏହାକୁ ଫିଟିଂ କରିଥିଲେ । ରାଜୁ ମଣ୍ଡଳ ଏହାର ରକ୍ଷଣାବ୍ୟକ୍ଷଣ କରୁଥିଲା । ଆଶାଦୁରର ଭିସା ଏବେ ଭ୍ୟାଲିଡ ଥିବା ବେଳେ ଆସନ୍ତା ଅକ୍ଟୋବର ୨୪ତାରିଖ ପର୍ଯ୍ୟନ୍ତ ଭ୍ୟାଲିଡ ଅଛି । ସେ ୨୦୨୩ ଅକ୍ଟୋବରରେ ୨୧ ତାରିଖରେ ଅଗରତାଲା ଦେଇ ଭାରତକୁ ଆସିଥିଲେ । ପରେ ସେହିବର୍ଷ ଡିସେମ୍ବର ୨୪ ତାରିଖରେ ପଶ୍ଚିମବଙ୍ଗର ହରିଦାସପୁର ଦେଇ ବାଂଲାଦେଶ ଯାଇଥିଲେ । ପଶ୍ଚିମବଙ୍ଗ ୨୪ ପ୍ରଗଣାରେ ରହୁଥିବା ରାଜୁ ମଣ୍ଡଳ ସପ୍ତାହେ ତଳେ ଓଡ଼ିଶା ଆସି ସିମ୍ ବକ୍ସର ମେଣ୍ଟେନାନ୍ସ କରୁଥିଲେ । ବିଶେଷ କରି ରାଜୁ ଇଣ୍ଟରନେଟ୍ ଓ ଇଲେକ୍ଟ୍ରିସିଟିର ମେଣ୍ଟେନାନ୍ସ କରୁଥିଲେ ।

ଉଲ୍ଲେଖଥାଉ କି, କିଛି ଦିନ ତଳେ ଭୁବନେଶ୍ୱରରୁ ଏକ ସିମ୍ ବକ୍ସ ଜବତ ହୋଇଥିଲା । ଏହି ଅଭିଯୋଗରେ ପୋଲିସ ରାଜୁ ମଣ୍ଡଳକୁ ଗିରଫ କରିଥିଲା । ଅଧିକ ତଥ୍ୟ ଜାଣିବା ଲାଗି କମିଶନରେଟ୍ ପୋଲିସ ତାକୁ ୫ଦିନିଆ ରିମାଣ୍ଡରେ ଆଣିଥିଲା । ଆଜି ଦିନ ତମାମ ପୋଲିସ ତାକୁ ଜେରା କରିଥିଲା । ଜେରା ବେଳେ କଟକରେ ଏକ ଭଡ଼ା ଘରେ ସିମ୍ ବକ୍ସ ଚାଲୁଥିବା କହିଥିଲା । ତା’ପରେ ପୋଲିସ ତାଙ୍କୁ ସାଙ୍ଗରେ ନେଇ କଟକ ଯାଇଥିଲା । ଆଉ ସିମ୍ ବକ୍ସ ଜବତ କରିଥିଲା ।

ସିମ୍ ବକ୍ସ କଣ ?

ସିମ୍ ବକ୍ସ ଏକ ଡିଭାଇସ ହୋଇଥିବା ବେଳେ ସେଥିରୁ ବିଶ୍ୱର ଯେ କୌଣସି ସ୍ଥାନକୁ କଲ୍ ଓ ଗ୍ରୁପ୍ ମେସେଜ୍ ମଧ୍ୟ କରାଯାଇପାରିବ । ହେଲେ କଲ୍ କେଉଁଠୁ ଯାଉଛି ଏବଂ ତାହା ବିଦେଶୀ କଲ୍ ବୋଲି ରିସିଭରଙ୍କୁ ଜଣାପଡ଼ିନଥାଏ । ବିଶେଷଜ୍ଞଙ୍କ ମତରେ ସିମ୍ ବକ୍ସ ବ୍ୟବହାର କରି ଆତଙ୍କବାଦୀ ନେଟୱାର୍କ ପରିଚାଳନା, ସାଇବ ଠକେଇ ଏବଂ ବିଦେଶକୁ ଗୁପ୍ତ ତଥ୍ୟ ପ୍ରଦାନ ଭଳି ସାଂଘାତିକ ଅପରାଧ ଘଟାଯାଇପାରେ ।


Reporterspen