କଂଗ୍ରେସ ଖେଳିଲା ଆଦିବାସୀ କାର୍ଡ, କାଡାମ ହେଲେ ବିଧାୟକ ଦଳନେତା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜେପି ସରକାର ଆସିବା ପରେ ଆଦିବାସୀ କାର୍ଡ ଖେଳି ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା । ଏହାକୁ ରାଜ୍ୟବାସୀ ସ୍ୱାଗତ କରିଥିଲେ । ଏହି ପଥକୁ ଅନୁସରଣ କରି କଂଗ୍ରେସ ମଧ୍ୟ ରାମଚନ୍ଦ୍ର କାଡାମଙ୍କୁ ବିଧାୟକ ଦଳ ନେତା କରିଛନ୍ତି । ଆଶା କରାଯାଉଥିଲା କଂଗ୍ରେସ ଅନୁଭବୀ ତାରା ପ୍ରସାଦ ବାହିନୀପତିଙ୍କୁ ବିଧାୟକ ଦଳନେତା ଭାବେ ନିର୍ବାଚିତ କରିବ । ମାତ୍ର ଶେଷ ମୁହୁର୍ତ୍ତରେ କାଡାମଙ୍କ ନାଁ ଘୋଷଣା କରି ଚର୍ଚ୍ଚାକୁ ଆସିଛି । ସେହିପରି ବିଧାନସଭା ପୂର୍ବରୁ ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗନଦେବାରୁ ଏହାକୁ ନେଇ ଦଳରେ ବିବାଦ ସୃଷ୍ଟି ହୋଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ସତ୍ୱେ ମଧ୍ୟ ବିରୋଧିଦଳ ନେତା ନବୀନ ପଟ୍ଟନାୟ ବୈଠକକୁ ଆସିନଥିଲେ ।

ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଦେଢ଼ ମାସ ପରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ସେହିପରି ଅଶୋକ ଦାସ ବିଧାୟକ ଦଳର ଉପନେତା ହୋଇଛନ୍ତି। ବିଧାୟକ ସିଏସ୍‌ ରାଜନ ଏକ୍କାଙ୍କୁ ମୁଖ୍ୟ ସଚେତକ କରାଯାଇଛି।  ଏନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କାଡାମ ପଟାଙ୍ଗୀ ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଛନ୍ତି। 

ଆସନ୍ତାକାଲିଠାରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ଏଥିରେ କଂଗ୍ରେସରୁ କେହି ସାମିଲ ହୋଇ ନଥିଲେ। କଂଗ୍ରେସର ବିଧାୟକ ଦଳ ନେତା ବଛା ହୋଇ ନଥିବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା। ଆଉ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖୋଦ୍ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଥିଲେ ଯେ କଂଗ୍ରେସ ଭଳି ଏକ ପୁରୁଣା ଦଳ ସର୍ବଦଳୀୟ ବୈଠକରେ ଯୋଗ ନଦେଇ ପାରିବା ଦୁର୍ଭାଗ୍ୟଜନକ।

ଅନ୍ୟପଟେ ବୈଠକରେ କଂଗ୍ରେସ ଯୋଗ ନ ଦେବାକୁ ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏତେ ପୁରୁଣା ଦଳ ହେଲେ ବିଧାୟକ ଦଳ ନେତା ବଛା ହୋଇପାରୁ ନାହିଁ। ଏହାକୁ ନେଇ କାହାକୁ କଣ ଦାୟୀ କରିବି, ମୁଁ ନିଜକୁ ଦାୟୀ କରୁଛି। ମୋତେ ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିଁ। ଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନି। ମୁଁ ପିସିସି ସଭାପତିଙ୍କୁ ପଚାରିଥିଲି ହେଲେ ସେ କହିଲେ ମୋତେ ନିର୍ଦ୍ଦେଶ ଆସିନି।

ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବୈଠକରେ କଂଗ୍ରେସ ଏବଂ ସିପିଏମର ନେତା ସାମିଲ ହୋଇନାହାନ୍ତି। ସେ କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ଦଳର ବିଧାୟକ ଦଳ ନେତା ସ୍ଥିର ହୋଇପାରିନଥିବାରୁ କେହି ବୈଠକରେ ସାମିଲ ହୋଇନାହାନ୍ତି । ସେହିପରି ବାମପନ୍ଥୀ ନେତା ଲକ୍ଷ୍ଣଣ ମୁଣ୍ଡାଙ୍କୁ ମଧ୍ୟ ସେ ଫୋନ୍ କରିଥିଲେ ବୋଲି କହିଛନ୍ତି। 


Reporterspen

Leave a Reply

!-- afp header code starts here -->