Rasulgarh Murder case: ଭୁବନେଶ୍ୱର (ରିପୋଟର୍ସ ପେନ୍): ଡୁମୁଡୁମାରେ ପ୍ଲାନଂ କଲେ, ସକାଳୁ ଘର ପାଖରୁ ପିଛା କଲେ, ରସୁଲଗଡ ପାଖରେ ଚୋଟ ପରେ ଚୋଟ ମାରିଲେ । ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଦୟା ନଦୀରେ ଗାଧୋଇ ପ୍ରାୟୋଶ୍ଚିତ କରି ନୟାଗଡ଼ ପଳାଇଲେ । ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାଏକ ହତ୍ୟାକାଣ୍ଡର ଅଭିଯୁକ୍ତମାନେ ଧରାପଡିବା ପରେ ପୋଲିସକୁ ଏଭଳି ବୟାନ ଦେଇଥିଲେ । ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରାକେଶ ନାୟକ ଓରଫ ଅଣ୍ଡା ଓ ପତ୍ନୀ ଲକି ଓରଫ ଲକ୍ଷ୍ମୀ ନାୟକ । ଏହି ଘଟଣାରେ ସୁଶାନ୍ତ ନାଏକ ଫେରାର ଅଛି ।
ପୋଲିସ ସୂଚନା ଅନୁସାରେ, ସହଦେବ ହତ୍ୟା ଘଟଣାରେ ଗୋଟିଏ ଗୋଷ୍ଠୀ ଯୋଜନା ପ୍ରସ୍ତୁତ କରିଥିଲେ । ଗତ ଡିସେମ୍ବର ମାସରୁ ତଥା ଯେତେବେଳେ ବ୍ରାଉନସୁଗର ମାମଲାରେ ମୁଖ୍ୟ ଅଭିଯୁକ୍ତ ଲିପିକା ନାଏକ ଗିରଫ ହେଲା, ସେତେବେଳେ ସହଦେବ ବିରୋଧୀମାନେ ଏକଜୁଟ ହୋଇ ତାଙ୍କୁ ରାସ୍ତାରୁ ହଟାଇବା ଲାଗି ନିଷ୍ପତ୍ତି ନେଇଥିଲେ । ଗତ ୫ ତାରିଖ ଦିନ ଲିପିକା ଜେଲରୁ ବାହାରିବା ପରେ ଏହାକୁ ଚୁଡାନ୍ତ ରୂପରେଖ ଦେବାକୁ ସ୍ଥିର କରାଯାଇଥିଲା । ୭ ତାରିଖ ରାତିରେ ଏନେଇ ଡୁମୁଡୁମାରେ ରହୁଥିବା ଫେରାର ଅଭିଯୁକ୍ତ ସୁଶାନ୍ତ ନାଏକଙ୍କ ଘରେ ଗୁପ୍ତ ବୈଠକ ବସିଥିଲା । ୮ ତାରିଖ ଦିନ ଯୋଜନକୁ ବାସ୍ତବ ରୂପ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଘଟଣାଦିନ ତଥା ୮ ତାରିଖ ଦିନ ଏକ ପଲସର ବାଇକରେ ରକି ନାଏକ ଓ ସୁଶାନ୍ତ ନାଏକ କେଦାରପଲ୍ଲୀ ବସ୍ତି ପାଖରୁ ସହଦେବକୁ ପିଛା କରିଥିଲେ । ସହଦେବା ଝିଅକୁ ରାମ ମନ୍ଦିର ପାଖ ସ୍କୁଲରେ ଝିଅକୁ ଛାଡି ରସୁଲଗଡ ଆଡକୁ ଯିବାରୁ ସେ ଲକ୍ଷ୍ମୀଧର ନାଏକକୁ ଖବର ଦେଇଥିଲେ । ପରେ ତା’ ପଛରେ ଦୁଇଟି ବାଇକରେ ୪ଜଣ ପିଛା କରିଥିଲେ । ରାସ୍ତାରେ ଦୁଇଥର ଆକ୍ରମଣ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ପରେ ରସୁଲଗଡ ଓଭରବ୍ରିଜ ପାଖରେ ତାକୁ ହଠାତ ଅଟକାଇଥିଲେ । ସେ କିଛି ବୁଝିବା ଆଗରୁ ଲକ୍ଷ୍ମୀଧର ଓ ଲକି ଲଗାତର ତାକୁ ଖଣ୍ଡାରେ ହାଣି ଚାଲିଥିଲେ । ପ୍ରାୟ ୧୦/୧୨ ଚୋଟ ମାରିବା ପରେ ତା’ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିଲା ।
ପୋଲିସ ଘଟଣାର ତଦନ୍ତ କରି ୫ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଦୁଇଟି ବାଇକ, ୪ଟି ମୋବାଇଲ ଓ ଦୁଇଟି ବ୍ୟାଗ ଜବତ କରାଯାଇଛି । ଏହି ଘଟଣାରେ ଫେରାର ଥିବା ସୁଶାନ୍ତ ନାଏକକୁ ଧରିବାକୁ ପୋଲିସ ଉଦ୍ୟମ କରୁଛି ।
କେମିତି ଖସିଗଲେ ଓ ଧରାପଡିଲେ?
ହତ୍ୟାକାଣ୍ଡ ଘଟାଇବା ପରେ ମାରଣାସ୍ତ୍ରକୁ ଗୋଟାଇ ଲିପିକା ଏକ ବ୍ୟାଗରେ ଭର୍ତ୍ତି କରିଥିଲେ । ପରେ ସମସ୍ତେ ଧଉଳି ଅଭିମୁଖେ ପଳାଇଥିଲେ । ସେଠାରେ ଏକ ନିଛାଟିଆ ଜାଗାରେ ମାରଣାସ୍ତ୍ରକୁ ପକାଇଦେଇଥିଲେ ଓ ନଦୀରେ ଗାଧୋଇଥିଲେ । ପିନ୍ଧିଥିବା ଡ୍ରେସକୁ ସେଠାରେ ଛାଡି ନୂଆ ଡ୍ରେସ ପିନ୍ଧି ଫେରାର ହୋଇଯାଇଥିଲେ । ପିପିଲି ଭାୟା ଜଟଣୀ-ଖୋର୍ଦ୍ଧା ଦେଇ ଅଭିଯୁକ୍ତମାନେ ନୟାଗଡ ଶରଣକୂଳକୁ ପଳାଇଯାଇଥିଲେ । ସେଠାରେ ଲକ୍ଷ୍ମୀଧରର ନିଜ ଘର ହୋଇଥିବାରୁ ସେଠାରେ କିଛି ସମୟ ରହି ରାଜ୍ୟ ବାହାରକୁ ଯିବାକୁ ଯୋଜନା କରୁଥିଲେ । ମାତ୍ର ତାହା ସଫଳ ହୋଇନଥିଲା ।
ଇତି ମଧ୍ୟରେ କମିଶନରେଟର ସ୍ପେଶାଲ ସ୍କ୍ୱାଡ ହତ୍ୟାକାରୀଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଥିଲା । ସିସିଟିଭି ଫୁଟେଜରୁ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଗାଡି ନମ୍ବରକୁ ଆଧାର କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା । ପରେ ସେମାନଙ୍କ ମୋବାଇଲକୁ ଆଧାର କରି ଲୋକେସନ ଯାଞ୍ଚ କରିଥିଲା । ହତ୍ୟାକାରୀମାନେ ସମସ୍ତ ଫୋନ ସୁଇଚ ଅଫ କରିଥିବା ବେଳେ ଗୋଟିଏ ଫୋନକୁ ଅନ୍ ଅଫ୍ କରୁଥିଲେ । ଯାହା ପୋଲିସକୁ ବେଶ ସହାୟକ ହୋଇଥିଲା । ଏହି ମୋବାଇଲ ଫୋନକୁ ଆଧାର କରି ପୋଲିସ ଟିମ ଶରଣକୂଳରେ ପହଞ୍ଚି ପ୍ରଥମେ ୩ ଓ ପରେ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ଫେରାର ଥିବା ସୁଶାନ୍ତ ଖସିଯାଇଥିବା ବେଳେ ପୋଲିସ ତାକୁ ଧରିବାକୁ ଉଦ୍ୟମ କରୁଛି ।
ପୋଲିସ ଲାଗି ଚାଲେଞ୍ଜ ଥିଲା
ଆନ୍ତଃଜାର୍ତୀୟ ପ୍ରଭାସୀ ଭାରତୀୟ ସମ୍ମିଳନୀ ଲାଗି ଭୁବନେଶ୍ୱର ସୁରକ୍ଷା ବଳୟରେ ରହିଛି । ପ୍ରାୟ ୬୦ ପ୍ଲାଟୁନ ଫୋର୍ସ ସହ କେନ୍ଦ୍ରୀୟ ଫୋର୍ସ, ଆତଙ୍କବାଦୀ ନିରୋଧୀ ଟିମ, ରାପିଡ ଆକ୍ସନ ଟିମ ସହ ଛକ ଛକରେ ଚେକପୋଷ୍ଟ କରାଯାଇଛି । ଏଭଳି ସୁରକ୍ଷା ବଳୟ ଭିତରେ ଥିବା ରାଜଧାନୀରେ ସକାଳୁ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିବା କମିଶନରେଟ ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଥିଲା । ପୋଲିସ କମିଶନର, ଡିଜି, ମୁଖ୍ୟସଚିବ ଏପରିକି ମୁଖ୍ୟମନ୍ତ୍ରୀ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଡିସିପିଙ୍କ ଉପରେ ଚାପ ପକାଇଥିଲେ । ଏହିପରିପ୍ରେକ୍ଷୀରେ ଡିସିପି ସ୍ପେଶାଲ ସ୍କ୍ୱାଡ ସହ ୩ଟି ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ମାତ୍ର ସବୁ ଚାପ ସ୍ପେଶାଲ ସ୍କ୍ୱାଡ ଏସିପି ହିମାଂଶୁ ସ୍ୱାଇଁଙ୍କ ଉପରେ ରହିଥିଲା । ସେ ଖାଇବା-ପିଇବା ଭୁଲି ହତ୍ୟାକାରୀକୁ ଧରିବା ଲାଗି ନିଜର ସମସ୍ତ ବଳ ଖଟାଇ ଦେଇଥିଲେ । ଶେଷରେ ଅପରାହ୍ଣରେ ୩ ଅଭିଯୁକ୍ତ ଧରାପଡିବା ପରେ ଚାପ କ୍ରମଶଃ ହ୍ରାସ ପାଇଥିଲା । ତେବେ ହିମାଂଶୁଙ୍କ କାର୍ଯ୍ୟକୁ ଡିସିପି ପ୍ରସଂଶା କରିଛନ୍ତି ।