Robbery: ଭାଇ-ଭଉଣୀଙ୍କ ଠାରୁ ଝାମ୍ପିନେଲେ ୩ ଲକ୍ଷ

Reporterspen

Robbery: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ପାର୍ବଣ ପୂର୍ବରୁ ଲୁଟେରାମାନେ କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତଆଜି ଦିନ ଦ୍ୱିପ୍ରହରରେ ଭାଇ-ଭଉଣୀଙ୍କ ଠାରୁ ୩.୨୫ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି । ରାଜଧାନୀର ବ୍ୟସ୍ତବହୁଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏପରି ଲୁଟ ଘଟଣା ଘଟିଛି । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅପରାଧୀମାନଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଛି ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ପ୍ରାଚୀ ଏନକ୍ଲେଭ ନିକଟରେ ରହୁଥିବା ଭାଇ-ଭଉଣୀ ଗୁରୁବାର ଦିନ ଷ୍ଟେଟବ୍ୟାଙ୍କରୁ ୩ଲକ୍ଷ ଟଙ୍କା ଉଠାଇବାକୁ ଯାଇଥିଲେ । ଦୁହେଁ ଚନ୍ଦ୍ରଶେଖରପୁର ଫେଜ-୨ ଶାଖାରୁ ୩ ଲକ୍ଷ ଟଙ୍କା ଉଠାଇବା ସହ ଗୋଟିଏ ବ୍ୟାଗରେ ଧରି ଘରକୁ ଫେରୁଥିଲେ । ମହିଳାଙ୍କ ବ୍ୟାଗରେ ଆଉ ୨୫ ହଜାର ଟଙ୍କା ରହିଥିଲା । ପ୍ରାୟ ୨ଟାରୁ ୨.୩୦ ମଧ୍ୟରେ ସେମାନେ ଟଙ୍କା ଧରି ଘରକୁ ଆସୁଥିଲେ । କିନ୍ତୁ ସେମାନଙ୍କୁ ଦୁଇ ଜଣ ଦୁର୍ବତ୍ତବ୍ୟାଙ୍କ ପାଖରୁ ବାଇକରେ ପିଛା କରୁଥିଲେ ।

ଏକଥା କିନ୍ତୁ ଭାଇଭଉଣୀ ଜାଣି ନଥିଲେ । ଏସବୁ ଭିତରେ ପ୍ରାଚୀ ଏନକ୍ଲେଭ ନିକଟରେ ଉଭୟ ପହଞ୍ଚିବା କ୍ଷଣି ଦୁଇ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ । କେହି କିଛି ବୁଝିବା ଆଗରୁ ମହିଳା ଜଣଙ୍କ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଭିଡ଼ି ନେଇ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ । ସେମାନେ ଚିତ୍କାର କରିଥିଲେ ହେଁ ଲୁଟେରାମାନେ ଫେରାର ଯାଇଥିଲେ । ଘଟଣା ପରେ ଭାଇଭଉଣୀ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


Reporterspen