Rohit Sharma: ବୋର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ୧୪ ଡିସେମ୍ବରରୁ ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏବଂ କହିଛନ୍ତି ଯେ ସେ ଲମ୍ୱା ସମୟ ପର୍ଯ୍ୟନ୍ତ ଖେଳି ପାରୁଥିବା କ୍ରିକେଟର ନୁହଁନ୍ତି। ପୂର୍ବତନ କ୍ରିକେଟର ଡାରିଲ କୁଲିନ ରୋହିତଙ୍କୁ ଜଣେ ଓଜନିଆ ତଥା ଫ୍ଲାଟ୍ ଟ୍ରାକରେ ଖେଳୁଥିବା କ୍ରିକେଟର ବୋଲି ବର୍ଣ୍ଣନା କରିଛନ୍ତି।
ରୋହିତ ବର୍ତ୍ତମାନ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ବ୍ୟାଟିଂରେ ଫ୍ଲପ୍ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍ ଟେଷ୍ଟରେ ମଧ୍ୟ ତାଙ୍କ ବ୍ୟାଟ୍ ଶାନ୍ତ ରହିଥିଲା। ଇନସାଇଡ୍ ସ୍ପୋର୍ଟ ଅନୁଯାୟୀ, କୁଲିନ ରୋହିତଙ୍କ ଫିଟନେସ ଉପରେ ପ୍ରଶ୍ନ ଉଠାଇ କହିଥିଲେ-
ରୋହିତଙ୍କୁ ଦେଖନ୍ତୁ, ତାପରେ ବିରାଟକୁ। ସେମାନଙ୍କର ଶାରୀରିକ ସ୍ଥିତିର ପାର୍ଥକ୍ୟ ଦେଖନ୍ତୁ। ରୋହିତ ଅଧିକ ଓଜନିଆ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଖେଳିପାରୁଥିବା କ୍ରିକେଟର ନୁହଁନ୍ତି। ତାଙ୍କର ଫିଟନେସ୍ ଚାରି କିମ୍ବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବା ପରି ନୁହେଁ।
ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ରୋହିତ ମାତ୍ର ଏକ ପଚାଶ ସ୍କୋର କରିଥିଲେ। ସେ ଶେଷ ୧୨ ଟେଷ୍ଟ ଇନିଂସର ୮ ଥର ୧୦ ରନ୍ ତଳେ ଆଉଟ୍ ହୋଇଥିଲେ। ତାଙ୍କର ଫର୍ମ ଆଇସିସି ର଼୍ୟାଙ୍କିଙ୍ଗକୁ ମଧ୍ୟ ପ୍ରଭାବିତ କରିଛି। ଗତକାଲି ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ ସେ ଶ୍ରେଷ୍ଠ ୩୦ ବ୍ୟାଟ୍ସମ୍ୟାନ୍ ତାଲିକାରୁ ମଧ୍ୟ ବାଦ ପଡିଛନ୍ତି।
ଦ୍ୱିତୀୟ ସନ୍ତାନର ପିତା ହେବା ଯୋଗୁଁ ରୋହିତ ବୋର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ। ରୋହିତଙ୍କ ଅନୁପସ୍ଥିତିରେ ଜସପ୍ରୀତ ବୁମ୍ରା ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିଲେ। ଏହି ମ୍ୟାଚରେ ବୁମ୍ରା ଅଧିନାୟକ ଭାବେ ୨୯୫ ରନରେ ଦଳକୁ ଏକ ବଡ଼ ବିଜୟ ଦେଇଥିଲେ। ଆଡିଲେଡରେ ଖେଳାଯାଇଥିବା ପିଙ୍କ ବଲ୍ ଟେଷ୍ଟରେ ରୋହିତ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତ ଏହି ମ୍ୟାଚକୁ ୧୦ ୱିକେଟ୍ ବ୍ୟବଧାନରେ ହାରିଥିଲା। ଏହା ସହ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ରହିଛି।