Samir dey passes away : ପରଲୋକରେ ବରିଷ୍ଠ ବିଜେପି ନେତା ସମୀର ଦେ, ମୁଖ୍ୟମନ୍ତ୍ରୀଙ୍କ ଶୋକ

Reporterspen

Samir dey passes away: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ପରଲୋକରେ ବିଜେପିର ବରିଷ୍ଠ ନେତା ସମୀର ଦେ। ସ୍ୱର୍ଗତ ଦେଙ୍କର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା କାରଣରୁ ଦୀର୍ଘଦିନ ଧରି ସେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ବେଳକୁ ୬୭ ବର୍ଷ ବୟସ ହୋଇଥିଲା।

ସୂଚନାଥାଉକି, ସମୀର ଦେ ୩ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ।

ଅସୁସ୍ଥ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କଟକର ଘରୋଇ ହସ୍ପିଟାଲରେ ତାଙ୍କର ଟ୍ରିଟମେଣ୍ଟ ହେଉଥିଲା। ଏମିତିକି ଗତ ଶୁକ୍ରବାର ତାଙ୍କୁ ମେଡ଼ିକାଲରେ ଭେଟିଥିଲେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ। ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦେଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଡେପୁଟି ସିଏମ ପ୍ରଭାତୀ ପରିଡା ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସେହିପରି ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡିଶାର ସଭାପତି ହେଲେ ସମୀର ଦେ। ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିଦ୍ୱର୍ନ୍ଦ୍ୱରେ ହେଲେ ନିର୍ବାଚିତ ହୋଇଥିଲେ ଶ୍ରୀ ଦେ।

ସମୀର ଦେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତାଙ୍କର ମିଷ୍ଟଭାଷୀ ବ୍ୟକ୍ତିତ୍ଵ ପାଇଁ ସେ ସବୁ ବର୍ଗର ଲୋକଙ୍କର ପ୍ରିୟପାତ୍ର ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକ ସହର ସହିତ ସାରା ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କର ଶେଷ କୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନୁଷ୍ଠିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ପରିବାର ବର୍ଗଙ୍କ ପ୍ରତି ସମ ବେଦନା ପ୍ରକାଶ କରିଛନ୍ତି।


Reporterspen