ଭୁବନେଶ୍ୱର, (ରିପୋଟର୍ସ ପେନ୍): ଧୀରେ ଧୀରେ ଖୋଲିବାରେ ଲାଗିଛି ସିମ୍ବକ୍ସ ଘଟଣାର ରହସ୍ୟ । ପୋଲିସ ଓ ଏନଆଏମ ଟିମର ଘନଘନ ଜେରାରେ ସତ ଓଗାଳିଛି ଏଜେଣ୍ଟ ରଜୁ ମଣ୍ଡଳ । ଢାକାରେ ବସି ଆସାଦୁର ଭୁବନେଶ୍ୱର ଓ ରାଂଚିରେ ବସିଥିବା ସିମ୍ ବକ୍ସକୁ ଅପରେଟ୍ କରିବା ସହ କେଂଟ୍ରାଲ କରୁଥିଲା । ଏପରିକି ଆତଙ୍କି ଆଡ୍ଡାକୁ ଏଥିରୁ କଲ୍ ଯାଉଥିôବା ନେଇ ସେ ସୁରାକ ଦେଇଛି । ଏଥିସହିତ ସେ ଆସାଦୁରର ଫାଇଲ ଫଟୋ ମଧ୍ୟ ପୋଲିସକୁ ଦେଇଛି ।
ପୋଲିସ କମିଶନର ସଞ୍ଜୀବ ପଣ୍ଡା ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱର ଓ ରାଂଚିରେ ବସିଥିବା ସିମ୍ ବକ୍ସରେ ସ୍କାର୍ଟ ସୁଇଚ୍ ଲାଗିଥିଲା । ମାଷ୍ଟରମାଣ୍ଡ ଆସାଦୁର ଢାକାରେ ରହି ଏହାକୁ କଣ୍ଟ୍ରୋଲ କରୁଥିଲା । ଢାକାରେ ଆସାଦୁର ଅଇକନ୍ ଟେକ୍ନୋଲୋଜୀ ନାମକ ଏକ ସଫୱେୟାର କଂପାନୀ ଚଳାଇଥିଲା । ସେ ଉକ୍ତ କଂପାନୀର ମାଲିକ ହୋଇଥିବା ବେଳେ ତାହାକୁ ନିଜେ ପରିଚାଳନା କରୁଥିଲା ।
ଆସାଦୁର ଅତି ସତର୍କତାର ସହ କଟକ, ଭୁବନେଶ୍ୱର ଓ ରାଞ୍ଚିରେ ଘର ଭଡ଼ା ନେଇ ସିମ୍ ବକ୍ସ ଲଗାଇଥିଲା । ଏହାର ରକ୍ଷଣାବେକ୍ଷଣ ନିମନ୍ତେ ସେ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ରଖିଥିଲେ । ରାଜୁ ଏହି ସମସ୍ତ ସ୍ଥାନକୁ ଭିନ୍ନ ଭିନ୍ନ ସମୟରେ ଯାଇ ବୁଝାସୁଝା କରିବା ସହ ସମସ୍ତ ସିମ୍ବକ୍ସର ତଦାରଖ କରୁଥିଲା । ଏଥିସହ ମାଲିକମାନଙ୍କର ଯେପରି ସନ୍ଦେହ ନ ହେବ ନିଦ୍ଧାରିତ ସମୟରେ ଭଡ଼ା ବି ଦେଉଥିଲା ।
ଆସାଦୁର ଭାରତରେ ଦୁଇ ମାସ ରହିଥିଲା । ସେ ଅଗରତାଲା ବାଟେ ଆସି ପଶ୍ଚିମବଙ୍ଗ ବାଟେ ଯାଇଛି । ତେବେ ସେ ଓଡ଼ିଶାରେ କେତେ ଦିନ ରହିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି । ତେବେ ଆସାଦୁରର ଫଟୋ ମିଳି ସାରିଥିବା ପୋଲିସ କମିଶନର କହିଛନ୍ତି ।
ରାଜୁ ମଣ୍ଡଳକୁ ପଚରାଉଚରାରୁ ୩ଟି ଇଂଟରନେଟ କନେକ୍ସନ ନିଆଯାଇ ୮ଶହରୁ ଊର୍ଦ୍ଧ୍ୱ ସିମ୍ ଅପରେଟ କରାଯାଉଥିବା ଜଣାଯାଇଛି । ତେବେ ଏହି ସିମ୍ ଦ୍ୱାରା କାହା କାହା ପାଖକୁ କଲ ଯାଇଥିଲା ତାହାର ତଦନ୍ତ କରାଯିବ ବୋଲି କମିଶନର କହିଛନ୍ତି ।
ଗିରଫ ରାଜୁ ମଣ୍ଡଳର ୫ ଦିନିଆ ରିମାଣ୍ଡ ଅବଧବ ଆଜି ସରୁଥିବା ବେଳେ ଆହୁରି ପଚରାଉଚରା ପାଇଁ କମିଶନରେଟ ପୋଲିସ ଆଉ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବା ଜଣାଯାଇଛି । ଏଥିସହ ପୋଲିସ ଆସାଦୁର ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି । ଯଥେଷ୍ଟ ପ୍ରମାଣ ସଂଗ୍ରହ ହେଲେ ଆସାଦୁରକୁ ଗିରଫ ନିମନ୍ତେ କମିଶନରେଟ ପୋଲିସ ଇଂଟରପୋଲର ସହାୟତା ଲୋଡ଼ିପାରେ ।
ଉଲ୍ଲେଖଥାଉକି, କମିଶନରେଟ ପୋଲିସ ପ୍ରଥମ ଭୁବନେଶ୍ୱରରୁ ଏକ ଭଡ଼ା ଘରୁ ସିମ୍ ବକ୍ସ ଜବତ କରିଥିଲା । ଏହି ଘଟଣାରେ ପୋଲିସ ରାଜୁ ମଣ୍ଡଳଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କୁ ପଚରାଉଚରା କରିବାରୁ ସେ କଟକରେ ଓ ରାଂଚିରେ ବି ସିମ୍ବକ୍ସ ଲଗାଇଥିବା କହିଥିଲେ । ଏହାପରେ ପୋଲିସ ତାଙ୍କୁ ଧରି ଉଭୟ ସ୍ଥାନରୁ ସିମ୍ବକ୍ସ ଜବତ କରିଛି । ଏହି ଘଟଣାରେ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି ।