Similipal Tiger Reserve: ଅକ୍ଟୋବର ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

Reporterspen

Similipal Tiger Reserve: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟ ପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୋମବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଦୈନିକ ଚାରି ଚକିଆ ଯାନ କଳିଆଣି ତନଖି ଫାଟକ (ଯଶିପୁର) ପଟୁ ୩୫ ଗାଡି ଓ ପିଠାବଟା (ବାରିପଦା) ତନଖି ଫାଟକ ଦେଇ ୨୫ ଗାଡି ଜଙ୍ଗଲ ଭିତରକୁ ପ୍ରବେଶ କରିବ ବୋଲି ସ୍ଥିରୀକୃତ ହୋଇଛି। ସେହିପରି ଏଥର ତାଳବନ୍ଧ, ଜାମୁଆଣି ଓ ଗୁଡୁଗୁଡିଆ ସକାଳ ୫.୩୦ ଓ ଅପରାହ୍ନ ୩ଟା ରେ ନୂତନ ୩୫ଟି ଖୋଲା ଜିପ୍ ବା ସଫାରୀ ଗାଡିରେ ୫ଘଣ୍ଟା ଲେଖାଏଁ ବୁଲିବାର ମଜା ନେବେ ପର୍ଯ୍ୟଟକ।

ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ। ପ୍ରତି ପର୍ଯ୍ୟଟକଙ୍କ ପିଚ୍ଛା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବା ପାଇଁ ପର୍ଯ୍ୟଟକ ମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ପର୍ଯ୍ୟଟକମାନେ ନେବା ଉପରେ କଟକଣା ଜାରି କରାଯାଇଛି। ଶିମିଳିପାଳରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକ ମାନେ (www.ecotourism.com) ୱେବସାଇଟରେ ଅଗ୍ରୀମ ବୁକିଂ କରି ପାରିବେ।

ପ୍ରତି ବର୍ଷ ବର୍ଷାଋତୁ ଯୋଗୁଁ ଜୁନ ମାସ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ ଏବଂ ନଭେମ୍ବର ପହିଲାରେ ଖୋଲିଥାଏ। ତେବେ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଗତ ବର୍ଷ ଅକ୍ଟୋବର ୧୪ରୁ ଖୋଲିଥିଲା । ସେହିପରି ଚଳିତ ବର୍ଷ ୧୦ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲୁଛି। ଉକ୍ତ ଜୈବମଣ୍ଡଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି ରହିଛି। ଯେଉଁଥିପାଇଁ ଏହା ଭାରତର ବାଘ, ଏସୀୟ ହାତୀ ଓ ଗୟଳ ପରି ତିନି ପ୍ରଜାତି ପ୍ରାଣୀର ବୃହତ୍ତ ବାସସ୍ଥଳୀ ହୋଇପାରିଛି। ଏଥିସହିତ ଏହି ଜୈବମଣ୍ଡଳରେ ହଜାରେ ପ୍ରଜାତିର ସପୁଷ୍ପକ ଉଦ୍ଭଦ ସହିତ ୧୦୪ ପ୍ରଜାତିର ଅର୍କିଡ୍ ଓ ବରେହିପାଣି, ଯୋରନ୍ଦା,ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ।


Reporterspen