Smitarani Death case: ଲିକୁଙ୍କ ଛତ୍ରଛୟାରେ ରୂପେଶ, ସ୍ମିତାରାଣୀ ଫାଇଲ ଖୋଲିବ ତ…

Reporterspen

Smitarani Death case: ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହାରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାର ପୁନଃ ତଦନ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ମାତ୍ର ସେ ଘୋଷଣା କରିବାର ପ୍ରାୟ ୬ମାସ ବିତିଗଲାଣି, ହେଲେ ଫାଇଲ ଖୋଲୁନି । ଏହାକୁ ନେଇ ତାଙ୍କ ପରିବାର ଲୋକେ ଚିନ୍ତା ପ୍ରକଟ କରୁଥିବା ବେଳେ ଏହି ମାମଲାରେ ଗିରଫ ହୋଇଥିବା ତତକାଳୀନ ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ର ବିଧାୟକ ହିମାଂଶୁ ସାହୁ ଓରଫ ଲିକୁଙ୍କ ଛତ୍ରଛାୟାରେ ଥିବାରୁ ସନ୍ଦେହ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ୨୦୧୯ ଅକ୍ଟୋବର ୧୬ ତାରିଖରେ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ ଦେହ ତତକାଳୀନ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସର ବାଥରୁମରୁ ମିଳିଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ତୁମ୍ବିତୋଫାନ ହେବାରୁ ପୋଲିସ ରୂପେଶଙ୍କୁ ଗିରଫ କରିଥିଲା । ମାତ୍ର ରୂପେଶ ବିଜେଡି ନେତା ତଥା ତତକାଳୀନ ବିଧାୟକଙ୍କ ଛତ୍ରଛାୟାରେ ଥିବାରୁ ପୋଲିସ ଘଟଣାକୁ ହାଲକା ଭାବେ ନେଇଥିଲା । ଫଳସ୍ୱରୂପ ତଦନ୍ତ ଆଉ ଆଗକୁ ବଢିନଥିଲା ଓ ରୂପେଶଙ୍କୁ ହାଇକୋର୍ଟରୁ ଜାମିନ ମଧ୍ୟ ମିଳିଥିଲା ।

ଏହାକୁ ନେଇ ସେତେବେଳେ ବିଜେପି ନେତମାନେ ହୋହଲ୍ଲା କରିଥିଲେ । ଘଟଣାରେ ବିଜେଡି ନେତାଙ୍କ ହାତ ଥିବା ନେଇ ଦାବି କରିଥିଲେ । ଲିକୁ ସାହୁ ମଧ୍ୟ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ । ପରବର୍ତ୍ତୀ ସମୟରେ ବିଜେପି ସରକାରକୁ ଆସିବା ପରେ୨୦୨୪ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ଯାଜପୁର ଗସ୍ତରେ ଯାଇଥିବା ବେଳେ ସ୍ମିତାରାଣୀ ମୃତ୍ୟୁ ଘଟଣାର ପୁନଃତଦନ୍ତ କରାଯିବା ନେଇ ଘୋଷଣା କରିଥିଲେ । ଏପରି କି ଏଥିରେ ଯେଉଁମାନଙ୍କର ସଂପୃକ୍ତି ସାମ୍ନାକୁ ଆସିବ, ସେମାନଙ୍କୁ ଗୋଟି ଗୋଟି କରି ବନ୍ଧାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଇତି ମଧ୍ୟରେ ଠିକାଦାର ତଥା ସ୍ମିତାରାଣୀ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ରୂପେଶ ଲିକୁ ସାହୁଙ୍କ ଛତ୍ରଛାୟା ଅଛନ୍ତି । ରୂପେଶଙ୍କୁ ବିଧାୟକଙ୍କ ଘରେ ଓ ତାଙ୍କ ଆଖପାଖରେ ସବୁବେଳେ ଦେଖିବାକୁ ମିଳୁଛି । ଏପରିକି ଲିକୁଙ୍କ ମା’ଙ୍କ ସାଙ୍ଗରେ ମଧ୍ୟ ଦେଖିବାକୁ ମିଳୁଛି । କୁହାଯାଉଛି ରୂପେଶ ଏବେ ବିଧାୟକ ଲିକୁଙ୍କ ଇସାରାରେ କାମ କରୁଛନ୍ତି । ଠିକାଦାରୀ ଠାରୁ ଆରମ୍ଭ କରି ଖଣି ବ୍ୟବସାୟ ପର୍ଯ୍ୟନ୍ତ ସବୁଥିରେ ରୁପେଶଙ୍କ ହସ୍ତକ୍ଷେପ ରହୁଛି । ସ୍ୱାଧିନ ଭାବେ ଜିତିଥିବା ଲିକୁ ସାହୁ ନିଜକୁ ବିଜେପି ବିଧାୟକ ବୋଲି ଦାବି କରୁଥିବା ବେଳେ ରୂପେଶଙ୍କୁ ପାଖରେ ରଖିବାକୁ ନେଇ ଯାଜପୁରରେ ବିଜେପି ନେତାମାନେ ମଧ୍ୟ ପ୍ରତିବାଦ କରିଥିଲେ । ହେଲେ କିଛି ସୁଫଳ ମିଳିନଥିଲା ।

ଏଠାରେ ପ୍ରଶ୍ନ ଉଠୁଛି, ଯେତେବେଳେ ସ୍ମିତାରାଣୀ ମାମଲାର ଅଭିଯୁକ୍ତ ରୁପେଶ ଲିକୁ ସାହୁଙ୍କ ଛାତ୍ରଛାୟାରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ଏହାର ପୁନଃତଦନ୍ତ ନିର୍ଦ୍ଦେଶ ଦେବେ ତ? ଲିକୁ ସାହୁଙ୍କ ଲାଗି ମୁଖ୍ୟମନ୍ତ୍ରୀ ନିଜ ଘୋଷଣାକୁ ଭୁଲିଗଲେ କି? ଯେଉଁ ରୁପେଶକୁ ବାନ୍ଧିବାକୁ ଦିନେ ବିଜେପି ଲିକୁ ସାହୁ ଦାବି କରୁଥିଲେ, ତାକୁ ଏବେ ନିଜର କଲେ କାହିଁକି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।


Reporterspen
!-- afp header code starts here -->