stabbing: ଅପରାଧୀ ବେଫିକର; ପୁଲିସ କନଷ୍ଟେବଳ ସମେତ ୨ ଜଣଙ୍କୁ ଛୁରା ମାଡ

Reporterspen

stabbing: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ଗତକାଲି ରାତିରେ ଜଣେ ଯୁବକଙ୍କ ଛୁରା ମାଡରେ ଜଣେ ପୁଲିସ କନଷ୍ଟେବଳ ଆହତ ହୋଇଛନ୍ତି । ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ । ଗାଡି ହର୍ଣ୍ଣ ମାରିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିବାରୁ ଅଭିଯୁକ୍ତଙ୍କ ଛୁରାମାଡରେ ଦୁଇ ଜଣ ଯୁବକଙ୍କ ସମେତ ଜଣେ ପୁଲିସ ବି ଆହତ ହୋଇଥିଲେ । ୩ ଆହତ ହେଲେଏ ଅନୁପ୍ ସାହୁ, ଅମିତ ଦାସ ଓ ସୁବ୍ରଜିତ୍ ବିହାରି । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଶ୍ରୀରାମନଗରର ଦୀପକ ନାୟକ । ତାଠାରୁ ଏକ ଛୁରୀ ଜବତ କରାଯାଇଛି ।

ସୂଚନା ଯୋଗ୍ୟଯେ, ଗୁରୁବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଶ୍ରୀରାମନଗର ଠାରେ ୪ ଯୁବକ ବସିଥିଲେ । ଏତିକିବେଳେ ଏକ ବାଇକରେ ଦୁଇ ଯୁବକ ଦ୍ରୁତ ଗତିରେ ଆସି ହର୍ଣ୍ଣ ମାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ପକ୍ଷଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଜଣେ ଯୁବକଙ୍କୁ ବାଇକରେ ଆସିଥିବା ଯୁବକ ଛୁରାମାଡ କରିଥିଲେ । ଖବର ପାଇ ତୁରନ୍ତ ପିସିଆର ଭ୍ୟାନ୍ ଶ୍ରୀରାମନଗରରେ ପହଞ୍ଚିଥିଲା । ପୁଲିସ ଅଭିଯୁକ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲେ । ଏପରିକି ହିତାହିତ ଜ୍ଞାନ ଭୁଲି ବସିଥିବା ଯୁବକ ଜଣକ ଜଣେ ପୁଲିସ କନଷ୍ଟେବଳଙ୍କୁ ମଧ୍ୟ ଛୁରା ମାଡ କରିବାକୁ ପଛାଇ ନଥିଲେ ।

ପରେ ଉଭୟ ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଚିକିତ୍ସିତ ହୋଇ ସେମାନେ ଘରକୁ ଫେରିଥିବା ଜଣାଯାଇଛି । ପୁଲିସ ଏହି ଘଟଣାର ତଦନ୍ତ ଚଳାଇ ରାତାରାତି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା । ଗତକାଲି ରାଜଧାନୀର ଏକ ବ୍ୟାଙ୍କ ସମ୍ମୁଖରୁ ସାଡେ ୩ ଲକ୍ଷ ଲୁଟ ହେବା ସହ ଖାରବେଳନଗରରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଲେ ଲୁଟେରା । ଏହାପରେ ରାତିରେ ହୋଇଥିଲା ପୁଲିସ ଓ ସ୍ଥାନୀୟ ଦୁଇ ଜଣ ଯୁବକଙ୍କୁ ଛୁରା ମାଡ । ପୁଲିସ ପାଟ୍ରୋଲିଂ କଡାକଡି ନକଲେ ଆଗାମୀ ଦିନରେ ଅପରାଧ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।


Reporterspen