State cabinet : ଘରୋଇ ଡିଲରଙ୍କ କାର୍ଯ୍ୟକାଳ ଦେଢ଼ବର୍ଷ ବୃଦ୍ଧି ପାଇଛି

Reporterspen

State cabinet : ଭୁବନେଶ୍ୱର(ରିପୋଟର୍ସପେନ୍‌) : ରାଜ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସାଧାରଣ ବଂଟନ ବ୍ୟବସ୍ଥାରେ ରାଜ୍ୟରେ କାର୍ଯ୍ୟରତ ୫୨୯୧ଜଣ ଘରୋଇ ଡିଲରଙ୍କ କାର୍ଯ୍ୟକାଳ ଆଉ ଦେଢ଼ବର୍ଷ ବୃଦ୍ଧି ପାଇଛି । ସେହିପରି ବିଭିନ୍ନ କୋର୍ଟ ଓ ଟ୍ରିବ୍ୟୁନାଲରେ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଡଭୋକେଟ୍ ଜେନେରାଲଙ୍କ ଫି’କୁ ମଧ୍ୟ ସରକାର ହାରାହାରି ୫ଗୁଣ ବଢ଼ାଇଛନ୍ତି । ଏସବୁ ପ୍ରସ୍ତାବ ସମେତ ମୋଟ ୭ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓଡ଼ିଶା ସାଧାରଣ ବଂଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ,୨୦୧୬’ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଫଳରେ ଘରୋଇ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲରମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଆଉ ଦେଢ଼ବର୍ଷ ଅର୍ଥାତ୍ ଆସନ୍ତା ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଘରୋଇ ଡିଲରମାନଙ୍କ କାର୍ଯ୍ୟକାଳ ଚଳିତବର୍ଷ ସେପ୍ଟେମ୍ବର ୩୦ତାରିଖରେ ଶେଷ ହେଉଛି । ସମସ୍ତ ଘରୋଇ ଡିଲାରଙ୍କୁ ଏକକାଳୀନ ଉଚ୍ଛେଦ କରିବାରେ ପ୍ରଶାସନିକ ଅସୁବିଧା ଓ ସାଧାରଣ ବଂଟନରେ ଅବ୍ୟବସ୍ଥାର ଆଶଙ୍କା ରହିଥିବାରୁ ସେମାନଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ୨୦୧୫ ନଭେମ୍ବର ମାସରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ କାର୍ଯ୍ୟକାରୀ ହେଉଛି ଓ ଏହି ଆଇନରେ ୬ମାସ ମଧ୍ୟରେ ଘରୋଇ ଡିଲର ବ୍ୟବସ୍ଥା ଉଚ୍ଛେଦ ପାଇଁ ପ୍ରାବଧାନ ଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ କାର୍ଯ୍ୟକାଳ ବାରମ୍ବାର ବଢ଼ାଇ ଚାଲିଛନ୍ତି । ବିଜେଡି ସରକାର ଏହି ଘରୋଇ ଡିଲରଙ୍କ କାର୍ଯ୍ୟକାଳକୁ ଥରକରେ ୬ମାସରୁ ଏକବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରୁଥିବାବେଳେ ବିଜେପି ସରକାର ଆଜି ଦେଢ଼ବର୍ଷ ପାଇଁ ବଢ଼ାଇ ଦେଇଛନ୍ତି । ରାଜ୍ୟରେ ସାଧାରଣ ବଂଟନ ବ୍ୟବସ୍ଥାରେ ମୋଟ ୧୧୯୩୧ଟି ସୁଲଭ ମୂଲ୍ୟ ଦୋକାନ ରହିଛି । ସେଥିରୁ ୫୨୯୧ଟି ଘରୋଇ ଡିଲରଙ୍କ ଦ୍ୱାରା ପରିଚାଳିତ ହେଉଛି । ଆନୁଷ୍ଠାନିକ ଖାଉଟି ଡିଲର କେନ୍ଦ୍ର ଯଥା-ପଂଚାୟତ ଦ୍ୱାରା ପରିଚାଳିତ ୪୦୨୮ଟି , ମହିଳା ଏସଏଚଜିଙ୍କ ଦ୍ୱାରା ୨୧୬୧ଟି, ଏସଏଚଜିଙ୍କ ଦବାରା ୧୬୧ଟି

ସେହିପରି ଆଡଭୋକେଟ୍ ଜେନେରାଲ(ଏଜି)ଙ୍କ ଫି’ ସଂଶୋଧନ ପ୍ରସ୍ତାବକୁ ପିଛିଲା ଭାବେ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଶେଷଥର ପାଇଁ ୨୦୧୬ ଏପ୍ରିଲ ୨୧ତାରିଖରେ ଏଜିଙ୍କ ଫି’ ସଂଶୋଧିତ ହୋଇଥିଲା । ସୁପ୍ରିମକୋର୍ଟ, ହାଇକୋର୍ଟ, ବିଭିନ୍ନ ଟ୍ରିବ୍ୟୁନାଲରେ ସରକାରଙ୍କ ପକ୍ଷରୁ ମାମଲା ଲଢ଼ିବା ପାଇଁ ଏଜିଙ୍କ ଫି’କୁ ରାଜ୍ୟ ସରକାର ପ୍ରାୟ ୬ଗୁଣ ବୃଦ୍ଧି କରିଛନ୍ତି ।

ସରକାର ଆଇନ ପରାମର୍ଶଦାତା ଭାବେ ମାସିକ ରିଟେନର ଫି’ ବାବଦରେ ୫୦ହଜାର ଟଙ୍କା ପରିବର୍ତ୍ତେ ୩ଲକ୍ଷ ଟଙ୍କା ପାଇବେ । ସେହିପରି ସୁପ୍ରିମକୋର୍ଟରେ କୌଣସି ମାମଲାରେ ହାଜର ହେବା ପାଇଁ ଥରକୁ ୫୫୦୦୦ ଟଙ୍କା, ଆଟର୍ଣ୍ଣି ଜେନେରାଲଙ୍କୁ ସହାୟତା ପାଇଁ ସୁପ୍ରିମକୋର୍ଟରେ ଉପସ୍ଥିତ ହେଲେ ଦୈନିକ ୩୫ହଜାର ଟଙ୍କା, କୌଣସି କାର୍ଯ୍ୟ ସମ୍ପାଦନ ପାଇଁ  ସଦରମହକୁମା ବାହାରକୁ ଗଲେ ଦୈନିକ ୩୫ହଜାର ଟଙ୍କା, କଟକରେ କୌଣସି କୋର୍ଟ, ଟ୍ରିବ୍ୟୁନାଲ ଓ ଆୟୋଗରେ ହାଜର ହେଲେ ଦୈନିକ ୩୦ହଜାର ଟଙ୍କାର ଫି’ ସରକାର ଦେବେ । ସେହିପରି ଭାରତର ସମ୍ବିଧାନର ଅନୁଚ୍ଛେଦ ୨୨୬ ଓ ୨୨୭ ଅନୁସାରେ କାର୍ଯ୍ୟବିଧିରେ ହାଇକୋର୍ଟରେ ଉପସ୍ଥିତ ପାଇଁ ଦୈନିକ ୩୦ହଜାର ଟଙ୍କା ଫି’ ମିଳିବ ବୋଲି ଜଣାପଡ଼ିଛି । ସେବା ସମବାୟ ସମିତି ଦ୍ୱାରା ୨୪୬ଟି ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ୪୨ଟି ସୁଲଭ ମୂଲ୍ୟ ଦୋକାନ ପରିଚାଳିତ ହେଉଛି ।


Reporterspen