ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ସଫଳ; ଲାଓସରୁ ଫେରୁଛନ୍ତି ଫସିଥିବା ୧୭ ଓଡିଆ ଶ୍ରମିକ

0 320

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଲାଓସରେ ଫସି ରହିଥିବା ୧୭ ଜଣ ଓଡିଆ ଶ୍ରମିକ ଆସନ୍ତା କାଲି ଓଡିଶାରେ ପହଞ୍ଚିବା ନେଇ ଦୂତାବାସ ତରଫରୁ ସୂଚନା ମିଳିଛି। ଫସିଥିବା ୧୭ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଗତ ମାସ ୨୭ ତାରିଖରେ ଶ୍ରୀ ପଣ୍ଡା ଏକ ଚିଠି ଲେଖି ନିବେଦନ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଓଡିଶାର କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ଆଳି, ରାଜକନିକା, ରାଜନଗର ନିର୍ବାଚନ ମଣ୍ଡଳୀର ୧୧ ଜଣ, ଢେଙ୍କାନାଳ- ୧, କେନ୍ଦୁଝର-୧, ଓ ଯାଜପୁର- ୪ ଜଣ ଶ୍ରମିକ ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଲାଓସ ଯାଇଥିଲେ, କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଚୁକ୍ତି ମୁତାବକ ଦରମା ନଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରୁଥିବା ପରିବାର ଲୋକଙ୍କୁ ଜଣାଇଥିଲେ।

ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଜରିଆରେ ବୈଜୟନ୍ତ ପଣ୍ଡାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ। ଦୂତାବାସର ତ୍ଵରିତ ପଦକ୍ଷେପ ପାଇଁ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି । ଏହି ଖବର ପାଇବା ପରେ ପରିବାର ଲୋକ ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି ଓ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy