ପ୍ରତି ସ୍କୁଲରେ ସ୍ୱତନ୍ତ୍ର ‘ଜଳ ବିରତି’ ହେବ : ଗଣଶିକ୍ଷା ବିଭାଗ

0 536

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରବଳ ରୌଦ୍ରତାପରୁ ରକ୍ଷା ପାଇବା ଲାଗି ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ଏଥର ନୂଆ ପଦକ୍ଷେପ ନେଇଛି। ପ୍ରତି ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍‍ ଶିକ୍ଷାଧିକାରୀଙ୍କୁ ଏହି ନିଷ୍ପତ୍ତି ନିର୍ଦ୍ଦେଶ ଆକାରରେ ଜଣାଇ ଦିଆଯାଇଛି।। ଏହି ନିଷ୍ପତ୍ତି ଅନୁସାରେ ପ୍ରତି ସ୍କୁଲରେ ସ୍ୱତନ୍ତ୍ର ‘ଜଳ ବିରତି’ ହେବ। ଏହି ବିରତିରେ ପିଲାମାନେ ପାଣି ପିଇବାକୁ ସମୟ ପାଇବେ। ଗ୍ରୀଷ୍ମ ଯୋଗୁ ଦେହରେ ଜଳାଭାବକୁ ରୋକିବା ତଥା ପିଲାଙ୍କୁ ନିୟମିତ ବ୍ୟବଧାନରେ ଜଳ ପିଇବାକୁ ଉତ୍ସାହିତ କରିବା ଏହି ବିରତିର ଲକ୍ଷ୍ୟ ରହିବ।

ଗଣଶିକ୍ଷା ବିଭାଗର ଚିଠି ଅନୁସାରେ ସ୍କୁଲ୍‍ରେ ୩ଟି ଜଳ ବିରତି ହେବ। ଗୋଟିଏ ସକାଳ ସୋଢ଼େ ଆଠଟାରେ। ଦ୍ୱିତୀୟଟି ସକାଳ ୧୦ଟା ଏବଂ ତୃତୀୟ ଜଳବିରତି ୧୧ଟାରେ ହେବ।

ପୂର୍ବରୁ ପିଲାଙ୍କୁ ରୌଦ୍ରତାପରୁ ରକ୍ଷା କରିବା ଲାଗି ସକାଳୁଆ ସ୍କୁଲ୍‍ ଘୋଷଣା କରାଯାଇଥିଲା। ଏହି ଅନୁସାରେ ଏପ୍ରିଲ୍‍ ୨ ତାରିଖରୁ ସବୁ ସ୍କୁଲ୍‍ ସକାଳ ୭ଟାରୁ ହେଉଛି। ଏବେ ଏହି ନିଷ୍ପତ୍ତି ଫଳରେ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‍ ରହିବ ତଥା ତାଙ୍କ ଉପରେ ମାନସିକ ଚାପ ପଡ଼ିବ ନାହିଁ ବୋଲି କୁହାଯାଇଛି।

ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ୁଛି। ଗ୍ରୀଷ୍ମ ପ୍ରବାହ ଆହୁରି ତିନିଦିନ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  ଏହି ସମୟରେ ସମସ୍ତଙ୍କୁ ସତର୍କତା ରକ୍ଷା ପାଇଁ ଆହ୍ୱାନ ଦିଆଯାଇଛି। ଖରାବେଳେ ବାହାରକୁ ନବାହାରିବା ତଥା ଜରୁରୀ ସମୟରେ ବାହାରକୁ ଯିବାକୁ ହେଲେ ଆବଶ୍ୟକ ସତର୍କତା ଗ୍ରହଣ କରିବାକୁ କୁହାଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy