୪ ଦିନ ଯାଏଁ ୧ ନମ୍ବର ହାଟ ବନ୍ଦ!: କିଛି ପ୍ରଭାବ ପଡିବନି : କଞ୍ଚା ପରିବାର ମହାସଂଘ

0 741

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପାର୍କିଂ ସହିତ ଅନ୍ୟାନ୍ୟ ସମସ୍ୟାକୁ ନେଇ ଏକ ନମ୍ବର ହାଟ ବ୍ୟବସାୟୀମାନେ ଧାରଣାରେ ବସିଛନ୍ତି । ଫଳରେ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ‘ଏକ ନମ୍ବର ହାଟ’କୁ ମଙ୍ଗଳବାର ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଏହି ବନ୍ଦ ଯୋଗୁଁ ରାଜଧାନୀବାସୀଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି କଞ୍ଚା ପରିବା ବ୍ୟବସାୟୀ ମହାସଂଘ (୯ ଟି ସଂଘ ଅନ୍ତର୍କ୍ତୃକ୍ତ) କହିଛି ।

ହାଟ ବ୍ୟବସାୟୀମାନେ ଦାବି କରିଛନ୍ତି ଯେ, ଯେ ପର୍ଯ୍ୟନ୍ତ ପାର୍କିଂ ସମସ୍ୟାର ସମାଧାନ ହୋଇନାହିଁ ସେପର୍ଯ୍ୟନ୍ତ ହାଟ ବନ୍ଦ ରହିବ । ତେବେ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହ ଏହି ସମସ୍ୟା ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏଥିରୁ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ବ୍ୟବସାୟୀ ସଂଘ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ମାଗିଥିବା କଥା କହିଛନ୍ତି । ତେଣୁ ମଙ୍ଗଳବାର ପର୍ଯ୍ୟନ୍ତ ହାଟ ବନ୍ଦ ରଖିବାକୁ ସଙ୍ଘ ନିଷ୍ପତ୍ତି ନେଇଛି ।

ଅପରପକ୍ଷରେ ଏହି ବନ୍ଦକୁ କଞ୍ଚା ପରିବା ମହାସଂଘ ଦୃଢ ନିନ୍ଦା କରିବା ସହ ଏହାର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡିବ ନାହିଁ ବୋଲି ମହାସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି । ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ରାଜଧାନୀରୁ ସବୁଠାରୁ ବଡ ହାଟକୁ ସୁଚାରୁରୂପ ଚଳାଇବା ଲାଗି ବିଏମସି ଉଦ୍ୟମ କରୁଛି । ଟ୍ରାଫିକ ସମସ୍ୟାକୁ ଦୂର କରିବା ଲାଗି ବିଏମସି ସ୍ଥାୟୀ ପାର୍କିଂ ବ୍ୟବସ୍ଥା କରିଛି । ହାଟକୁ ଆସୁଥିବା ଗ୍ରାହକମାନେ କସ୍ତୁରୀବା ନାରିମହଲ ପଡିଆରେ ଗାଡି ପାର୍କିଂ କରିବାକୁ କୁହାଯାଇଛି । ସେହିପରି ଅସ୍ଥାୟୀ ଭାବେ କଞ୍ଚା ପରିବା ମଣ୍ଡି ନିକଟରେ କରାଯାଇଛି । ଏଠାରେ ଦିନ ୩ଟା ପରେ ଗାଡି ପାର୍କିଂ କରିବାକୁ କୁହାଯାଇଛି । ଯାହାକୁ ଲୋକେ ସ୍ୱାଗତ କରିବା ସହ ଟ୍ରାଫିକ ଓ ପାର୍କିଂ ସମସ୍ୟାର ସମାଧାନ ହୋଇଛି ।

ହେଲେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ମୁଷ୍ଠିମେୟ କୁଜି ନେତାଙ୍କ ପରୋଚନାରେ ହାଟକୁ ବନ୍ଦ କରି ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରୁଛି । ହେଲେ ଏଥିରେ ଲୋକଙ୍କର କୌଣସି ଅସୁବିଧା ହେବାର ନାହିଁ । କାରଣ ସମସ୍ତ ପରିବା ଦୋକାନ ସହ ହୋଲସେଲ ମଣ୍ଡି ଖୋଲା ରହିବ । ଏଥିସହି କଳିଙ୍ଗ ମାର୍କେଟ ମଧ୍ୟ ଖୋଲା ରହିବ । ଏକ ନମ୍ବର ହାଟରେ ମିଳୁଥିବା ସମସ୍ତ ଜିନିଷ ଆଖପାଖରେ ମଧ୍ୟ ମିଳୁଛି । ତେଣୁ ଲୋକଙ୍କର ନିତ୍ୟ ଆବଶ୍ୟକୀୟ ଜିନିଷ ପରିବାର ଦୋକାନ ଖୋଲା ରହୁଥିବାରୁ ସାଧାରଣ ଲୋକେ କୌଣସି ପ୍ରକାର ଅସୁବିଧାରେ ପଡିବେ ନାହିଁ ।

ଉଲ୍ଲେଖଥାଉ କି, ଏକ ନମ୍ବର ହାଟରେ ଏବେ ବେଆଇନ କାରବାର ବଢିଯାଇଛି । ସକାଳ ୯ଟାରୁ ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ଚୋରାମଦ କାରବାର ହେଉଥିବା ଅଭିଯୋଗ ହେଉଛି । ଏଥିସହିତ ବେଆଇନ ଭାବେ ହେଟେଲଗୁଡିକ ରାତିସାରା ଖୋଲା ରହୁଛି । ହାଟ ବନ୍ଦ ରହିଲେ ଚୋରା ଓ ବେଆଇନ କାରବାର ହ୍ରାସ ପାଇବ ବୋଲି ସ୍ଥାନୀୟ ଲୋକେ ଆଶାବ୍ୟକ୍ତ କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy