ଦେଶରେ ଭାଇଚାରା ବଢିଲେ ଆମର ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେବ: ଧର୍ମେନ୍ଦ୍ର ପ୍ରଧାନ

0 387

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ‘ନୂଆଁଖାଇ-୨୦୨୩’ ଅବସରରେ ସମ୍ବଲପୁରୀ ଭାଷାରେ ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ପର୍ବର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଏହି ଅବସରରେ ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ହଜଖାସ୍ ମନ୍ଦିରରେ ମା’ ସମଲେଶ୍ୱରୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଓଡ଼ିଆ ଭାଇ ଭଉଣୀଙ୍କ ସହ ନୂଆଁଖାଇ ପାଳିଛନ୍ତି ।

ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଇ ଓ ସମସ୍ତ ଆରାଧ୍ୟା ଦେବୀଙ୍କୁ ପ୍ରଣାମ ଜଣାଇ ଭିଡିଓ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମର ମହାନ ପର୍ବ ‘ନୂଆଁଖାଇ’ ଆଜି ପାଳନ ହେଉଛି । ଏହି ଅବସରରେ ମାଆ, ଭଉଣୀ, ଦାଦା ଭାଇ ମାନଙ୍କୁ ମୋର “ନୂଆଁଖାଇ ଜୁହାର୍‌” । ୨୦୨୨ ମସିହାରୁ ଭାରତ ଅମୃତକାଳରେ ପ୍ରବେଶ କରିସାରିଛି । ଏହି ଅମୃତକାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ବଳିଷ୍ଠ ନେତୃତ୍ୱ କାରଣରୁ ଭାରତ ‘ବସୁଧୈବ କୁଟୁମ୍ବକମ୍‌’ ନୀତିକୁ ପ୍ରାଧାନ୍ୟ ଦେଇଛି । ନୂଆଁଖାଇ ମଧ୍ୟ ସାରା ଦୁନିଆର ମଙ୍ଗଳ କଥାକୁ ପ୍ରାଧାନ୍ୟ ଦେଉଛି ।

ଅମୃତକାଳରେ ଆମେ ସମସ୍ତେ ମିଳିମିଶି ପରିଶ୍ରମ କରିବା ଏବଂ ଭାରତକୁ ବିକଶିତ ଦେଶରେ ପରିଣତ କରିବା । ନୂଆଁଖାଇ ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ସନ୍ଦେଶ ଦେଉଛି । ମିଳିମିଶି କରି ରହିଲେ ହିଁ ପରିବାର, ସମାଜ ଏବଂ ଦେଶରେ ଭାଇଚାରା ବଢିବ । ଦେଶରେ ଭାଇଚାରା ବଢିଲେ ହିଁ ଆମର ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେବ । ଆମେ ସମସ୍ତେ ମିଶିକରି ନୂଆଁଖାଇର ଭାଇଚାରା ବାର୍ତ୍ତାକୁ ସମଗ୍ର ଦୁନିଆରେ ପ୍ରଚାର ପ୍ରସାର କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଆଜିର ଦିନ ଆମର ପରିଶ୍ରମୀ ଅନ୍ନଦାତାଙ୍କୁ କୃତଜ୍ଞତା ଜଣାଇବାର ଦିନ । କେନ୍ଦ୍ରମନ୍ତ୍ରୀ ଏହି ଶୁଭ ଅବସରରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy