ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର

0 342

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା ଓ ତାଳଚେରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ଏବଂ ବିଧାନ ସଭା ପ୍ରାର୍ଥୀ ଶ୍ରୀ ମହେଶ ସାହୁ, ଡଃ ନୃସିଂହ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ବ୍ରଜ କିଶୋର ପ୍ରଧାନ ଓ ମୁକେଶ ପାଳଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଅନୁରୋଧ କରିଛନ୍ତି ।

ଆଜିର ଜନସଭାଗୁଡ଼ିକରେ ବିଜେପି ଦଳ ଉପରେ ଶାଣିତ ଆକ୍ରମଣ କରି ଦଳର ମୁଖା ଖୋଲିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀଙ୍କ ସବୁ ଛଳନାକୁ ଲୋକଙ୍କ ସାମନାରେ ଖୋଲିଛନ୍ତି ଶ୍ରୀ ପାଣ୍ଡିଆନ ।

ତାଳଚେରରେ ଏକ ବିଶାଳ ଜନସଭାରେ ସେ କହିଲେ କୋଇଲା ରୟାଲଟି ବିଷୟ ଉଠିଲେ କେନ୍ଦ୍ରମନ୍ତ୍ରୀ ରାଗୁଛନ୍ତି । କହୁଛନ୍ତି ଯେ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଓଡ଼ିଶାକୁ ବହୁତ ପଇସା ମିଳୁଛି, ରୟାଲଟି ବୃଦ୍ଧି ଦରକାର ନାହିଁ । କିନ୍ତୁ କେନ୍ଦ୍ର ସରକାରଙ୍କ ଏମ୍‍.ସି.ଏଲ୍‍. ଲାଭ କରୁଛି ୨୭ ହଜାର ୫୦୦ କୋଟି । ଟ୍ୟାକ୍‍ସକୁ ବାଦ୍‍ ଦେଲେ ଲାଭ କରୁଛି ୧୩ ହଜାର ୭୦୦ କୋଟି । କିନ୍ତୁ ଓଡ଼ିଶା ଏଥିରୁ ପାଉଛି ମାତ୍ର ୪ ହଜାର କୋଟି । ୨୦୦୪ରୁ କୋଇଲା ରୟାଲଟି ସଂଶୋଧନ ହୋଇନି । ଯଦି ରୟାଲଟି ସଂଶୋଧନ ହୋଇଥାନ୍ତା ତେବେ ଓଡ଼ିଶା ପାଇଥାନ୍ତା ୧୦ ହଜାର କୋଟି ଏବଂ ଡି.ଏମ୍‍.ଏଫ୍ ବାବଦରେ ମଧ୍ୟ ୨ ହଜାର କୋଟି । ସମୁଦାୟ ୧୨ ହଜାର କୋଟିରେ ଆପଣଙ୍କ ଅଞ୍ଚଳର ବ୍ୟାପକ ରୂପାନ୍ତରଣ ହୋଇପାରିଥାନ୍ତା । କିନ୍ତୁ ରୟାଲଟି କଥା କହିଲେ କେନ୍ଦ୍ରମନ୍ତ୍ରୀ ରାଗିକି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଓ ଅଶାଳୀନ ଭାଷାରେ ଗାଳି କରୁଛନ୍ତି । ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗାଳି ଦେବା ବହୁ ଦୁଃଖର କଥା । ବିଜେପୁର ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫୋପାଡ଼ିଲେ, ତା’ପରେ ୪୦ ହଜାର ଭୋଟରେ ହାରିଲେ । ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ଫେରିଲା ବେଳେ ଅଣ୍ଡା ମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଲେ । ଓଡ଼ିଶାର ଏହି ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ସହି ପାରିବେ କି ? ଆପଣମାନଙ୍କ ଆଶୀର୍ବାଦରେ ସେମାନେ ଏଥର ବି ପରାଜୟ ଗ୍ରହଣ କରିବେ

କେନ୍ଦ୍ରମନ୍ତ୍ରୀ ଆପଣଙ୍କ ଅଞ୍ଚଳର, ଦଶବର୍ଷ ହେଲା ମନ୍ତ୍ରୀ ଅଛନ୍ତି, ଖୁସିର କଥା, କିନ୍ତୁ ଆପଣଙ୍କ ଅଞ୍ଚଳ ପାଇଁ କ’ଣ କରିଛନ୍ତି, ଏ ମାଟିରେ ପୁଅ ହୋଇ କାହିଁକି କରିପାରିଲେ ନାହିଁ ? ନିଜ ଅଞ୍ଚଳ, ନିଜ ମାଟି ପାଇଁ କ’ଣ କରିଛନ୍ତି ? ମନ୍ତ୍ରୀ ହେବାର ୧୦ ବର୍ଷ ବିତିଲା କିନ୍ତୁ ନିଜ ଗାଁ ଲୋକଙ୍କ ମନକୁ ଜିଣିପାରିଲେ ନାହିଁ । ନିର୍ବାଚନ ମଣ୍ଡଳୀ ବଦଳାଇ ନିଜକୁ ସମ୍ୱଲପୁରକୁ କୋରିଅର କରିଦେଲେ । ଏବେ ସେଠି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି ।

ନବୀନ ପଟ୍ଟନାୟକ ଓଡ଼ିଶାର କୌଣସି ଜିଲ୍ଲାରେ ନିର୍ବାଚନ ଲଢ଼ିବାକୁ ଡରୁ ନାହାନ୍ତି, କେନ୍ଦ୍ରମନ୍ତ୍ରୀ ନିଜ ମାଟିରେ ଛିଡ଼ା ହେବାକୁ କାହିଁକି ଡରୁଛନ୍ତି ।

କେନ୍ତ୍ରମନ୍ତ୍ରୀ ଓଡ଼ିଶାରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ କିମ୍ୱା ଜବାହର ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି କି ? ଗୋଟିଏ ବି ଦକ୍ଷତା ବିକାଶ କେନ୍ଦ୍ର ଖୋଲିଛନ୍ତି କି ? କଟକ-ସମ୍ୱଲପୁର ରାସ୍ତା ଏ ପର୍ଯ୍ୟନ୍ତ କରିପାରିଲେନି । ତୈଳମନ୍ତ୍ରୀ ଭାବେ ପେଟ୍ରୋଲ, ଡିଜେଲ, ଏଲ୍‍.ପି.ଜି. ଦର କମେଇ ପାରିଲେ କି ? କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗାଁସ୍କୁଲର 5T ରୂପାନ୍ତରଣ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି । ଯେଉଁ ବ୍ୟକ୍ତିର ସେବା ନୁହେଁ କେବଳ କ୍ଷମତା ଲୋଭ ଥିବ ସେ କେବେ ବି ଜିତି ପାରିବ ନାହିଁ, ମୁଖ୍ୟମନ୍ତ୍ରୀ ଚୌକି ଲୋଭ ଥିବା ବ୍ୟକ୍ତି କେବେ ବି ଭଲ କାମ କରିପାରିବେ ନାହିଁ ।

ଦୁଇଦିନ ତଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ ବୋଲି କହିଲେ । କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ । ଏଇଟା ହେଉଛି ବିଜେପିର ମାଗଣା ବିଜୁଳି ।

ଶ୍ରୀ ପାଣ୍ଡିଆନ ଦୃଢୋକ୍ତି ପ୍ରକାଶ କରି କହିଲେ ଯେ ଜୁନ ୯ ତାରିଖରେ ୯.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବେ, ପ୍ରଥମ ଦସ୍ତଖତ କରିବେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ ରଦ୍ଦ କରିବା ପାଇଁ, ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ, ଆପଣମାନେ ଖୁସି ତ ?

ଡବଲ ଇଞ୍ଜିନ ସରକାର ଦିନରେ ଆପଣଙ୍କୁ ଭୁଆଁ ବୁଲାଉଛନ୍ତି, ଦିନରେ ଲଣ୍ଠନ ଦେଖାଉଛନ୍ତି, ନିର୍ବାଚନ ସରିଗଲେ ଏମାନଙ୍କୁ ଆପଣ ଖୋଜିଲେ ବି ପାଇବେନି ।

ପାଲଲହଡାରେ ସ୍ୱାଧିନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପାଣ୍ଡିଆନ କହିଲେ ଯେ ଏହି ପବିତ୍ର ମାଟିର ବରପୁତ୍ରମାନଙ୍କର ସମ୍ମାନ ରଖିବା ପାଇଁ କେନ୍ଦ୍ରମନ୍ତ୍ରୀ କିଛି କରିଛନ୍ତି କି ? ଏ ମାଟିରେ ଜନ୍ମ ହୋଇ ଜନ୍ମମାଟିକୁ ଭୁଲି ଯାଇଛନ୍ତି ।

ସେ ପୁଣି କହିଲେ ଯେ ସାମ୍ୱାଦିକ ସମ୍ମିଳନୀରେ ବିଜେପି ନେତା ଦାବି କରୁଛନ୍ତି ଯେ କ୍ଷମତାକୁ ଆସିଲେ ଓଡ଼ିଶାକୁ ୧ ନମ୍ୱର କରିବେ । ୧ ନମ୍ୱର ନୁହେଁ, ରାଜ୍ୟକୁ ୨୫ ବର୍ଷ ତଳକୁ ନେଇଯିବେ । ଯେଉଁ ରାଜ୍ୟରେ ଅଛନ୍ତି ସେଠି ଏହାହିଁ କରିଛନ୍ତି ।

ଆଜି ସକାଳର ବିଜେପିର ପ୍ରେସ୍‍ମିଟ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ବିଜେପିର ଟାଣୁଆ ନେତାମାନେ ମିଶି ସାମ୍ବାଦିକ ସମ୍ମିଳନୀ କରିଥିଲେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ । କିନ୍ତୁ ନିଜ ନିଜ ଭିତରେ ଝଗଡ଼ା ଲାଗି ବନ୍ଦ ହୋଇଗଲା ।

ବିଜେପିକୁ ଚ୍ୟାଲେଞ୍ଜ କରି ସେ କହିଲେ ଯେ ମୁଁ ତାଙ୍କୁ ଆହ୍ୱାନ କରୁଛି ନବୀନ ବାବୁଙ୍କ ବିପକ୍ଷରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ ଯଦି କରନ୍ତୁ । ଓଡ଼ିଶାବାସୀ ତାର ଉଚିତ ଜବାବ ଦେବେ । ଏତେ ମିଛ କଥାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ।

ଶେଷରେ ବିଜେଡିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାର ମାର୍ଜିନରେ ଆଶୀର୍ବାଦ କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଟାଣ କରିବା ପାଇଁ ସେ ଅନୁରୋଧ କରିଥିଲେ । କର୍ମୀମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବୋଧନ କରି ସେ କହିଲେ ଯେ ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦିଅନ୍ତୁ ।

ସଭାଗୁଡ଼ିକରେ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ନିଜର ଅଭିଭାଷଣ ରଖି ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜିତାଇ ନବୀନ ବାବୁଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy