ସମାଜମୁଖି ସାମ୍ବାଦିକତା ପରିବେଶ ସୁରକ୍ଷାରେ ସହାୟକ ହେବ: ସରୋଜ ସାମଲ

0 295

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦିନକୁ ଦିନ ସାମ୍ବାଦିକତାର ଢାଞ୍ଜା ବଦଳି ଯାଉଛି । ଆଗ ଭଳି ଆଉ ସାମ୍ବାଦିକମାନେ ମୁକ୍ତ ଭାବେ ଲେଖିପାରୁନାହାନ୍ତିଁ । କେଉଁଠି ନାଁ କେଉଁଠି ସାମ୍ବାଦିକତା ତା’ର ସ୍ୱାଧିନତା ହରାଉଛି । ନିରପେକ୍ଷ, ସମାଜମୁଖି ଓ ରଚନାତ୍ମକ ସାମ୍ବାଦିକତା ପରିବେଶ ସୁରକ୍ଷାରେ ସହାୟକ ହୋଇପାରିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ କହିଛନ୍ତି ।

ଶୁକ୍ରବାର ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ତଥା ‘ବିଶ୍ୱ ଗଣମାଧ୍ୟମ ସ୍ୱାଧିନତା ଦିବସ’ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାମଲ କହିଥିଲେ, ପ୍ରେସ୍ ଫ୍ରିଡମ ଆକ୍ଟ ୧୯୭୭ର ଧାରା ୧୯-୧ (କ) ଅନୁସାରେ ସମସ୍ତଙ୍କୁ ବାକ୍ ସ୍ୱାଧିନତା ଦିଆଯାଇଛି । କଥା କହିବା, ଚିତ୍ର ଆଙ୍କିବା, ଭାଷଣ ଦେବା ଓ ପ୍ରବନ୍ଧ ଲେଖିବା ଆଦି ଉପରେ ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି । କିନ୍ତୁ, ଆଜି କୌଣସି ଲେଖକ ମୁକ୍ତ ଭାବେ ଲେଖିପାରୁନାହିଁ । ଯଦି ଆମେ ମୁକ୍ତ ଭାବେ ଲେଖିପାରିବା, ତାହା ହେଲେ ଆମେ ନିଜକୁ ଲେଖକ କହିପାରିବା ।

ଅନେକ ସାମ୍ବାଦିକ ଓ ଲେଖକମାନେ ଭାବନ୍ତି, ଲେଖା ଯଦି କାହା ବିରୋଧରେ ଯାଏ, ଅନେକ ଶତ୍ରୁ ସୃଷ୍ଟି ହେବେ । ହେଲେ ସାମ୍ବାଦିକମାନେ ଏହା ଭାବିବା ଭୂଲ । କାରଣ ମିତ୍ର ସୃଷ୍ଟି କରିବାକୁ ହେଲେ ଶତ୍ରୁ ତିଆରି ହେବେ । ତେଣୁ ସମାଜମୁଖି ତଥା ଯେଉଁ ଖବର ସମାଜ ପାଇଁ ମଙ୍ଗଳ ହେବ, ତାହାକୁ ବିନାଦ୍ୱଧାରେ ଲେଖିବା ଆବଶ୍ୟକ । ଯଦି ସାମ୍ବାଦିକ ସମାଜ ମଙ୍ଗଳ ପାଇଁ କଲମ ଚଳାଇବ, ତେବେ ପରିବେଶ ସୁରକ୍ଷା ନିଶ୍ଚିତ ଭାବେ ସମ୍ଭବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିତ ତଥା ପୂର୍ବତନ ସୂଚନା କମିଶନ ଦିଲ୍ଲୀପ ବିଶୋଇ କହିଛନ୍ତି, ସାମ୍ବାଦିକତାର ସଂଜ୍ଞା ଏବେ ବଦଳି ଯାଇଛି । ସ୍ୱାଧିନତା ପୂର୍ବରୁ ସାମ୍ବାଦିକମାନଙ୍କୁ ସତ୍ୟବାଦୀ ବୋଲି କୁହାଯାଉଥିଲା । ପରବର୍ତ୍ତୀ ସମୟରେ ଏହାକୁ କଦର୍ଥ କରି ସାଂଘାତିକ ବୋଲି ବିବେଚନା କରାଗଲା । ଏବେ ଯାହା କହୁଛନ୍ତି, ତାହା ସମସ୍ତଙ୍କୁ ଜଣା । ତେବେ ବର୍ତ୍ତମାନ କେବଳ ସାମ୍ବାଦିକ ନୁହେଁ ସାମ୍ବାଦିକତା ଉପରେ ଅଙ୍କୁଶ ଲଗାଯାଇଛି । ସାମ୍ବାଦିକମାନେ ରାଜନେତାଙ୍କ ବିରୋଧରେ ଲେଖିପାରୁନାହାନ୍ତି । ପରିବେଶ ମୁଖ୍ୟତଃ ପାଇଁ ଶିଳ୍ପପତି, ଶିଳ୍ପାନୁଷ୍ଠାନ ଓ ମାଫିଆଙ୍କ ବିରୋଧରେ ମଧ୍ୟ କଲମ ଚଳାଇପାରୁନାହାନ୍ତି । ତେବେ ପରିବେଶକୁ କିପରି ରକ୍ଷା କରିପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି । ସାମ୍ବାଦିକମାନଙ୍କୁ ଉପଦେଶ ଦେଇ କହିଛନ୍ତି, ପ୍ରେସ ସ୍ୱାଧିନତା ଲାଗି ପରିବାରକୁ ହଇରାଣ କରନ୍ତୁ ନାହିଁ । କାରଣ ଯଦି ନିରପେକ୍ଷ ଭାବେ ସାମ୍ବାଦିକତା କରିବେ, ତେବେ ଚାକିରୀ ହରାଇବାକୁ ପଡିବ । ତେଣୁ ସମୟ ସହ ତାଳ ଦେଇ ଚାଲନ୍ତୁ, ପରିବେଶ ସୁରକ୍ଷା ନେଇ ନିଜେ ଉଦ୍ୟମ କରନ୍ତୁ । ତାହା ସଫଳ ହେବ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସକାଳ’ର କାର୍ଯ୍ୟକାରୀ ସମ୍ପାଦକ ସମରେନ୍ଦୁ ଦାସ କହିଛନ୍ତି, ଯଦିଓ ସମ୍ବିଧାନରେ ମିଡ଼ିଆକୁ ୪ର୍ଥ ସ୍ତମ୍ଭର ମାନ୍ୟତା ମିଳିନାହିଁ, ତଥାପି ଗଣତନ୍ତ୍ରରେ ତାର ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଛି । ଦିନକୁ ଦିନ ମିଡ଼ିଆ ପାୱାର ଫୁଲ ହେବାରେ ଲାଗିଛି । ମିଡ଼ିଆ ଆଉ ଜନତାଙ୍କ ସ୍ୱର ହୋଇ ରହିନାହିଁ, ଏବେ ଶିଳ୍ପାୟନରେ ପରିଣତ ହୋଇଛି । ସ୍ୱାଧିନତା ପୂର୍ବରୁ ସାମ୍ବାଦିକତା ଏକ ନିଶା ଥିଲା, ଏବେ ଏହା ପେଶାରେ ପରିଣତ ହୋଇଛି । ଏବେ ମିଡ଼ିଆର ରୂପାନ୍ତରିକରଣ ହୋଇଛି । ସାମ୍ବାଦିକ ଏବେ ବୃତ୍ତି ହୋଇଛି । ଜୀବନ ଜୀବିକା ଭିତରେ ସାମ୍ବାଦିକତା ହଜିଯାଉଛି । ଅନେକ କ୍ଷେତ୍ରରେ ସାମ୍ବାଦିକମାନେ ନିର୍ଯାତନାର ଶୀକାର ହେଉଛନ୍ତି । ଫଳରେ ସାମ୍ବାଦିକମାନେ ନିରପେକ୍ଷ ସାମ୍ବାଦିକତା ଠାରୁ ଦୂରେଇ ଯାଉଛନ୍ତି । ସମାଜ ମଙ୍ଗଳ କ୍ଷେତ୍ରରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ସାମ୍ବାଦିକ ଜାଗ୍ରତ ପ୍ରହରି ଭାବେ କାମ କରିବା ସହ ପରିବେଶ ସୁରକ୍ଷା ଦିଗରେ ଧ୍ୟାନ ଦେବା ଆବଶ୍ୟକ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାପ୍ତପାଳ, ରୋଟାରୀ ଜିଲ୍ଲା ୩୨୬୨ଯଜ୍ଞାଶିଷ ମହାପାତ୍ର, ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ସଭାପତିତ୍ୱ କରିଥିବା ବେଳେ ଭୁବନେଶ୍ୱର ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଜିତେନ୍ଦ୍ର ମହାନ୍ତି ବିବରଣୀ ପାଠ କରିଥିଲେ । ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ସଭାପରିଚାଳନ କରିଥିବା ବେଳେ ଉପ-ସଭାପତି ଗଗନ ସ୍ୱାଇଁ ଧନ୍ୟବାନ ଅର୍ପଣ କରିଥିଲେ ।

ଏହି ଅବସରରେ କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ସେବିକା ଶ୍ରୀମତୀ ବାସନ୍ତୀଲତା ନାୟକ, ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଓ ବରିଷ୍ଠ ସାମ୍ବାଦିକ ଡ. ମାଧବାନନ୍ଦ ବେହୁରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy