ପୁଣି ବଢିଲା ତାତି : ୩୦ ଡିଗ୍ରୀ ଟପିଲା ୧୦ ସହରର ତାପମାତ୍ରା

0 194

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କିଛି ଦିନର ଆଶ୍ବସ୍ତି ପରେ ଆଜିଠାରୁ ପୁଣି ବଢିଲା ତାତି । ଗରମ ଗୁଳୁମୁଳି ସାଙ୍ଗକୁ ବଢିଲା ତାପମାତ୍ରା । ମୁଣ୍ତ ଫଟା ଖରାରେ ହନ୍ତସନ୍ତ ସମଗ୍ର ରାଜ୍ୟବାସୀ । ତେବେ ଆଗାମୀ ୪ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ, ସୋମବାର ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୨.୬ ଡିଗ୍ରୀ ଛୁଇଁଥିବା ବେଳେ ୮ଟା ୩୦ ସୁଦ୍ଧା ୧୦ଟି ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି । ପାରାଦ୍ୱୀପରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ପୁରୀରେ ଓ କେନ୍ଦୁଝରର ୩୨ ଡିଗ୍ରୀ, ବାଲେଶ୍ୱରରେ ୩୧.୮ ଡିଗ୍ରୀ, ଚାନ୍ଦବାଲିରେ ୩୧.୬ ଡିଗ୍ରୀ, ଝାରସୁଗୁଡାରେ ୩୦.୮ ଡିଗ୍ରୀ, ହୀରାକୁଦ:୩୦.୨ ଡିଗ୍ରୀ, ସମ୍ବଲପୁରରେ ୩୦ ଡିଗ୍ରୀ, ରାଉରକେଲାରେ ୩୦ ଡିଗ୍ରୀ ଓ ଗୋପାଳପୁରରେ ୨୯.୮ ଡିଗ୍ରୀ ରେକର୍ଡ଼ କରାଯାଇଛି । ରାଜ୍ୟ ମଧ୍ଯକୁ ପ୍ରବେଶ କରୁଥିବା ଏହି ଉତ୍ତର ତଥା ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗର ଶୁଷ୍କ ପବନ ଧୀରେ ଧୀରେ ବଢୁଛି । ଏହା ପ୍ରଭାବରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି । ଏହି ପବନର ପ୍ରଭାବ ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବା ନେଇ ସମ୍ଭାବନା ଥିବାରୁ ଆସନ୍ତା ୪ରୁ ୫ ଦିନ ମଧ୍ଯରେ ରାଜ୍ଯରେ ତାପମାତ୍ରା ୪ରୁ ୬ଡିଗ୍ରୀ ବୃଦ୍ଧି ପାଇବ। 

ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବା ସହ ସ୍ୱାଭାବିକ ତୁଳନାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବାକୁ ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀଙ୍କୁ ସତର୍କ କରାଯାଇଥିବା ବେଳେ ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାମ ନ ଥିଲେ ବାହାରକୁ ଯିବାକୁ ବାରଣ କରାଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy