ଜାରି ହେଲା ସୁଭଦ୍ରା ଗାଇଡ୍‌ଲାଇନ୍, ଏହିମାନଙ୍କୁ ମିଳିବ ଟଙ୍କା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମହିଳା ଓ ଶିଶୁ ବିକାଶ ବିଭାଗ ଆଜି ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ଯୋଜନା ‘ସୁଭଦ୍ରା’ର ଗାଇଡ୍‌ଲାଇନ୍ ଜାରି କରିଛି । କେବଳ ୨୧ରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ବୟସର ମହିଳାମାନେ ଏଥିପାଇଁ ଆବେଦନ କରିପାରିବେ । ବୟସ ପ୍ରମାଣପତ୍ର ପାଇଁ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ସଠିକ୍ ବିବେଚନା କରାଯିବ । ୧ ଜୁଲାଇ ୨୦୨୪ ସୁଦ୍ଧା ଯେଉଁ ମହିଳାଙ୍କ ବୟସ ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିବ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ।

ଏଥିସହ ମାସକୁ ୧୫ଶହ ଟଙ୍କା କିମ୍ୱା ୧ ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିବା ମହିଳାମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେନାହିଁ । ବର୍ତ୍ତମାନର କିମ୍ବା ପୂର୍ବର ସାଂସଦ ବିଧାୟକଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ କରାଯିବନି । ଯେଉଁ ମହିଳାମାନେ ଆୟକର ପୈଠ କରୁଛନ୍ତି ସେମାନେ ମଧ୍ୟ ସୁଭଦ୍ରା ସହାୟତାରୁ ବଞ୍ଚିତ ହେବେ ।

ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ନିର୍ଦ୍ଧାରିତ ଫର୍ମରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ପ୍ରଥମେ ଆବେଦନ କରିବାକୁ ପଡିବ । ଅଫ୍‌ଲାଇନ୍‌ ଫର୍ମ ପୂରଣ ନହେଲେ ଅନ୍‌ଲାଇନ୍‌ ମାଧ୍ୟମରେ ସୁଭଦ୍ରା ପୋର୍ଟାଲରେ ମହିଳାମାନେ ଆବେଦନ କରିପାରିବେ । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରଗୁଡିକରେ ମହିଳାମାନେ ମାଗଣାରେ ଫର୍ମ ପାଇପାରିବେ । ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବା ଆବଶ୍ୟକ । ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଏଟିଏମ୍‌ କାର୍ଡ ପ୍ରଦାନ କରାଯିବ ।

ସମସ୍ତ ଯୋଗ୍ୟ ହିତାଧିକାରୀମାନେ ୫ ବର୍ଷରେ ମୋଟ ୫୦ ହଜାର ଟଙ୍କା ସହାୟତା ପାଇବେ । ବର୍ଷକୁ ୨ଟି କିସ୍ତିରେ ୫ ହଜାର ଲେଖାଏଁ ମୋଟ ୧୦ ହଜାର ଟଙ୍କା ମିଳିବ । ୫ ବର୍ଷ ମଧ୍ୟରେ ସେହିପରି ମୋଟ ୫୦ ହଜାର ଟଙ୍କା ମହିଳାଙ୍କୁ ଦିଆଯିବ । ପ୍ରଥମ କିସ୍ତି ରାକ୍ଷୀ ପୂର୍ଣ୍ଣମୀ ଏବଂ ୨ୟ କିସ୍ତି ମାର୍ଚ୍ଚ ୮ ତାରିଖରେ ମହିଳାମାନେ ପାଇପାରିବେ । ଡିଜିଟାଲ କାରବାର ଅଧିକ କଲେ ପଞ୍ଚାୟତରୁ ଶହେ ଜଣଙ୍କୁ ଅତିରିକ୍ତ ୫ଶହ ଟଙ୍କା ପ୍ରଦାନ କରାଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।


Reporterspen