Odisha News: ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଭୁବନେଶ୍ୱରରେ ଥିବା ରାସ୍ତା ଓ ଗୃହନିର୍ମାଣ ବିଭାଗର ଡିଭିଜନ-୩ରେ ଦୁଇ ଜେଇ (ରାଙ୍ଗା-ବିଲ୍ଲା)ଙ୍କ ରାଜ ଚାଲିଛି । ଏମାନେ ଧରାକୁ ସରା ମନେ କରି ଡିଭିଜନରେ ଏକ ପ୍ରକାର ଉତ୍ପାତ କରୁଛନ୍ତି । ଏହି ରାଙ୍ଗା-ବିଲ୍ଲାଙ୍କ କଥା ତଳୁ ଉପର ଯାଏ ସମସ୍ତେ ଜାଣିଥିଲେ ମଧ୍ୟ କେହି ମୁହଁ ଖୋଲୁନାହାନ୍ତି । ଏମିତି ମନ୍ତ୍ରୀ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମଧ୍ୟ ଚୁପ୍ ରହୁଛନ୍ତି । କୁହାଯାଉଛି, ଏମାନେ ମୋଟା ଅଙ୍କର ମାସିକିଆ ଦେଇ ସମସ୍ତଙ୍କ ପାଟି ଚୁପ କରି ଦେଇଛନ୍ତି ।
ଅଭିଯୋଗ ଅନୁସାରେ, ରାସ୍ତା ଓ ଗୃହନିର୍ମାଣ ବିଭାଗର ଡିଭିଜନ-୩ ଅଧିନରେ ଏହି ଦୁଇ ଜେଇ କାମ କରୁଛନ୍ତି । ଜଣେ ଉତ୍ତର ନିର୍ବାଚନ ମଣ୍ଡଳୀ ଓ ଅନ୍ୟଜଣେ ଏକାମ୍ର ନିର୍ବାଚନ ମଣ୍ଡଳୀ ଅଧିନ ଦାୟିତ୍ୱରେ ଅଛନ୍ତି । ଏମାନଙ୍କୁ ଡିଭିଜନରେ ସମସ୍ତେ ରାଙ୍ଗା-ବିଲ୍ଲା ନାଁରେ ଜାଣନ୍ତି । ଏହି ଦୁଇ ଜେଇଙ୍କ କାର୍ଯ୍ୟକଳାପ ପ୍ରାୟ ସମାନ । ଏମାନେ ବର୍ଷ ବର୍ଷ ଧରି ଗୋଟିଏ ଜାଗାରେ ଗାଦି ମାଡି ବସିଛନ୍ତି । ଏମାନଙ୍କ ଅଧିନରେ ହେଉଥିବା ଗୃହ ନିର୍ମାଣ, ମରାମତି ଓ ରାସ୍ତା ନିର୍ମାଣ କାର୍ଯ୍ୟ ତାଙ୍କର ଇଛାଧିନ ବ୍ୟାପାର ହୋଇଥାଏ । କେଉଁ ଠିକାଦାର କାମ ନେବ, କେତେ ଟଙ୍କା ବିଲ ହେବ ସବୁ ତାଙ୍କ ଇସାରାରେ କରାଯାଏ । ଏପରିକି ନିମ୍ନମାନର କାମକୁ ପ୍ରୋତ୍ସାହନ ଦେଇ ଠିକାଦାରଙ୍କ ଠାରୁ ମୋଟା ଅଙ୍କର ପିସି ନେବା ଏମାନଙ୍କର ଏକ ଅଭ୍ୟାସ ।
ବିଶେଷ କରି, ଡିଭିଜନକୁ ଯେଉଁ ନୂଆ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆସନ୍ତି, ଏହି ରାଙ୍ଗା-ବିଲ୍ଲା ପ୍ରଥମେ ନିଜ ଲୋକ ମାଧ୍ୟମରେ ଆରଟିଆଇରେ ବିଭିନ୍ନ ତଥ୍ୟ ମାଗନ୍ତି । ଯେଉଁ ତଥ୍ୟରେ ଡିଭିଜନ ଓ ନିଜେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହରଡଘଣାରେ ପଡିବେ । ପରବର୍ତ୍ତୀ ସମୟରେ ରାଙ୍ଗା-ବିଲ୍ଲା ଏଥିରେ ହସ୍ତକ୍ଷେପ କରି ମାମଲାର ରଫାଦଫା କରିଥାନ୍ତି । ଫଳରେ ଏହି ଦୁହେଁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଥାନ୍ତି । ପରେ ନିଜର ଖେଳ ଖେଳିବା ଆରମ୍ଭ କରିଥାନ୍ତି । କେବଳରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନୁହଁନ୍ତି, ଏପରି ଭାବେ ଅନେକ ବଡବଡିଆଙ୍କ ପାଖରେ ସେମାନେ ପ୍ରିୟପାତ୍ର ହେବାକୁ ଚେଷ୍ଠା କରନ୍ତି ।
ଏହି ଭାବେ ବ୍ଲାକମେଲ କରି ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ହେଲା, ସେମାନେ ଭୁବନେଶ୍ୱର ଛାଡୁ ନାହାନ୍ତିଁ । ଏମିତି କି ପ୍ରମୋସନ ପରେ ବି ସେଇଜାଗାରେ ବସିରହିଛନ୍ତି । ମୋହନ ସରକାର ଓ ବିଭାଗୀୟ ମନ୍ତ୍ରୀ ଡିଭିଜିନ-୩ର ଏହି ଦୁଇ ରାଙ୍ଗା-ବିଲ୍ଲାଙ୍କ କାର୍ଯ୍ୟକୁ ଅନୁଧ୍ୟାନ କରି କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ ନକଲେ, ଏମାନଙ୍କ ଲାଗି ସରକାର ବଦନାମ ହେବା ଏକ ପ୍ରକାର ନିଶ୍ଚିତ ।