ସଂଗଠନର ଆତ୍ମା ହେଉଛି ପ୍ରାଥମିକ ସଦସ୍ୟତା: ମନମୋହନ ସାମଲ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାରତୀୟ ଜନତା ପାର୍ଟିର ବିଚାରଧାରା ହିଁ ଏହି ଦଳକୁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ବୋଲି ପରିଚୟ ଦେଇଥାଏ । ଦେଶର ପୁନନିର୍ମାଣ ପାଇଁ ବିଜେପି ସର୍ବଦା ଉଦ୍ୟମରତ । ସେଥିପାଇଁ ଆସନ୍ତା ସେପ୍ଟମ୍ବର ୧ତାରିଖରୁ ଦେଶବ୍ୟାପୀ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ । ରାଜ୍ୟରେ ଏକକୋଟି ସଦସ୍ୟଙ୍କୁ ବିଜେପିରେ ସାମିଲ କରାଯିବ । ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଆଜି ଏହାକୁ ନେଇ ଭୁବନେଶ୍ୱରରେ ରାଜ୍ୟ ବିଜେପି ପକ୍ଷରୁ ସ୍ୱତନ୍ତ୍ରଭାବେ ସଦସ୍ୟ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଗକୁ ଜିଲ୍ଲା ଏବଂ ମଣ୍ଡଳସ୍ତରରେ ସଦସ୍ୟତା ଅଭିଯାନ ନେଇ କର୍ମଶାଳା ଅନୁଷ୍ଠିତ ହେବ ।

ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ପରେ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନ କର୍ମଶାଳା ଆୟୋଜନ କରିଛି । ଏହି ଅଭିଯାନ ୪୫ ଦିନ ଚାଲିବ । ୨୫ବର୍ଷର ସରକାରକୁ ଧ୍ୱଂସ କରି ଗତ ନିର୍ବାଚନରେ ଜନତା ବିଜେପି ଉପରେ ଭରଷା କରିଛନ୍ତି । ଏହି ସରକାର ଲୋକଙ୍କ ପାଇଁ କାମ କରି ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି । ଲୋକଙ୍କ ଏହି ଆଶାକୁ ଅଧିକ ମଜଭିତ୍ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆଗକୁ ଆସି ଅଧିକ ଲୋକଙ୍କୁ ବିଜେପିରେ ସାମିଲ କରାନ୍ତୁ । ଏଥିଲାଗି ୩୬ ସାଙ୍ଗଠନିକ ଜିଲ୍ଲାର ୩୬ହଜାର ବୁଥରୁ ପ୍ରାଥମିକ ସଦସ୍ୟତା ଅଭିଯାନ ହେବ । ବୈଷୟିକ ଜ୍ଞାନ, ବ୍ୟକ୍ତିଗତ ସମ୍ପର୍କ, ସାଂଗଠିକ ଶକ୍ତି ମିଶ୍ରଣରେ ବିପୁଳ ସଂଖ୍ୟାରେ ବିଜେପି ସଦସ୍ୟତା ଗଠନ କରିବ । ଆଗାମୀ ଦିନରେ ଶକ୍ତିଶାଳି ସଂଗଠନ ହିସାବରେ ବିଶ୍ୱରେ ଓଡ଼ିଶା ବିଜେପି ଶିଖରରେ ପହଂଚିବ । ସଂଗଠନର ଆତ୍ମା ହେଉଛି ପ୍ରାଥମିକ ସଦସ୍ୟତା ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ଓଡିଶାରେ ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ ଆରମ୍ଭ ହେବ । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡା, ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଟୋଲିର ସଦସ୍ୟ ଶ୍ରୀ ଋତୁରାଜ ସିହ୍ନା, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ଏବଂ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ପ୍ରଭାରୀ ଏବଂ ସଦସ୍ୟତା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ସେହିପରି ସଦସ୍ୟତା ଅଭିଯାନ ପାଇଁ ଆସନ୍ତା ୨୨, ୨୩ ଓ ୨୪ରେ ଜିଲ୍ଲାସ୍ତରୀୟ ଏବଂ ୨୬,୨୭ ଓ ୨୮ ତାରିଖରେ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥସ୍ତରୀୟ କର୍ମଶାଳା ଆୟୋଜନ କରାଯିବ ।

ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟକର୍ତା ଲୋକଙ୍କ ପାଖକୁ ଯାଇ ସଂପର୍କ ସ୍ଥାପନ କରିବେ । ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ନୂତନ ସଦସ୍ୟ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏଥିଲାଗି ରାଜ୍ୟରେ ଜାତି, ବର୍ଣ୍ଣ, ଅନୁସୂଚିତ ଜାତି/ଜନଜାତି, ମହିଳା, ଯୁବକ, ଛାତ୍ର, ଗରିବ, ମଧ୍ୟମ ବର୍ଗ ମଧ୍ୟରେ ସଦସ୍ୟତା ଅଭିଯାନକୁ ତୀବ୍ର କରାଯିବ । ସେହିପରି ପ୍ରଥମ ଥର ମତଦାତା ହୋଇଥିବା ବା ହେବାକୁ ଯାଉଥିବା ଯୁବକ ଓ ଯୁବତୀମାନଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଦଳର ସଦସ୍ୟ ଭାବେ ସାମିଲ କରାଯିବ ।

ଏହି ଅଭିଯାନରେ ସରକାରୀ ଯୋଜନାର ଲାଭାର୍ଥୀ, ସ୍କୁଲ, କଲେଜ, ଛାତ୍ରାବାସ, ସହିଦଙ୍କ ପରିବାର ଏବଂ ବସ୍ତିରେ ବାସ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ସଦସ୍ୟ କରିବା ପାଇଁ ପ୍ରାଥମିକତା ଦିଆଯିବ । ସଦସ୍ୟତା ଅଭିଯାନକୁ ମଲ୍‌, ହାଟ ବଜାର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ ତଥା ଅନ୍ୟାନ୍ୟ ଜନ ଏକତ୍ରିକରଣ ସ୍ଥାନରେ କରାଯିବା ସହ ଛୋଟ ସଭା, ଡ୍ରାମା ଏବଂ ଛତା ଲଗାଇ ସାଧାରଣ ଜନତାଙ୍କୁ ମିସ୍ କଲ୍ ଦେବାପାଇଁ କୁହାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।


Reporterspen