ଭୁବନେଶ୍ୱର, (ରିପୋଟର୍ସ ପେନ୍): ଭାରତୀୟ ପାଣିପାଗ ବିଭାଗ ୯-୧୦ ସେପ୍ଟେମ୍ବରରେ ଦେଶର ୧୯ଟି ରାଜ୍ୟରେ ପ୍ରବଳ ବର୍ଷା ହେବାକୁ ନେଇ ସତର୍କ ସୂଚନା ଜାରି କରିଛି । ୮ ସେପ୍ଟେମ୍ବର ରବିବାର ଦିନ ଆଇଏମଡି ସୂଚନା ଦେଇଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ କ୍ଷେତ୍ର ବର୍ତ୍ତମାନ ଏକ ଅବପାତରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ବୁଲେଟିନ୍ ଅନୁଯାୟୀ, ଏହା କଳିଙ୍ଗପାଟନମ୍ (ଆନ୍ଧ୍ରପ୍ରଦେଶ) ର ୩୧୦ କିଲୋମିଟର ପୂର୍ବରେ, ଗୋପାଳପୁର (ଓଡିଶା) ର ୨୬୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବ ଏବଂ ପାରାଦୀପ (ଓଡି଼ଶା) ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଓ ଦିଘା (ପଶ୍ଚିମବଙ୍ଗ) ଠାରୁ ୪୧୦ କିମି ଦୂରରେ ଅବସ୍ଥିତ।
ପାଣିପାଗ ବିଭାଗ ରବିବାର ଦିନ କହିଛି ଯେ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏଠାରେ ‘ଅରେଞ୍ଜ’ ଆଲର୍ଟ ଜାରି କରିଛି। କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, କଟକ, ନୟାଗଡ଼, କନ୍ଧମାଳ, କାଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ପାଇଁ ‘ୟୋଲୋ’ ଆଲର୍ଟ ଜାରି କରାଯାଇଛି। ସୋମବାରରୁ ବୁଧବାର ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି।
ଆଇଏମଡି କହିଛି ଯେ ସେପ୍ଟେମ୍ବର ୮-୧୧ ମଧ୍ୟରେ ସମ୍ଭାବ୍ୟ ଅବପାତ ଯୋଗୁଁ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପ୍ରବଳ ପବନ ବଙ୍ଗୋପସାଗରରେ ଥିବା ଓଡି଼ଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇପାରେ। ଏହି ପବନ ମଧ୍ୟ ଘଣ୍ଟା ପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ସମୟ ମଧ୍ୟରେ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଦେଶର ଅନେକ ରାଜ୍ୟ ପାଇଁ ବର୍ଷା ସତର୍କତା
ଭାରତୀୟ ପାଣିପାଗ ବିଭାଗ ତରଫରୁ ସୋମବାର ୯ ସେପ୍ଟେମ୍ବର ଏବଂ ମଙ୍ଗଳବାର ୧୦ ସେପ୍ଟେମ୍ବରରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୋଆ, ଗୁଜୁରାଟ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।