ଖଣ୍ଡଗିରି ଥାନାରେ ଥାର୍ଡଡିଗ୍ରୀ : ମାମଲା ଚାପିବାକୁ ପୀଡିତାଙ୍କୁ ଥାନା ଅଧିକାରୀ ଦେଉଥିଲେ ଧମକ!

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖଣ୍ଡଗିରି ଥାନାରେ ଅଭିଯୋଗକାରୀ ଜଣେ ମହିଳାଙ୍କୁ ମାଡ ମାରିବା ଘଟଣାରେ ଡିସିପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ମହିଳା ସବ ଇନ୍ସପେକ୍ଟର ପାୟଲ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ଏଥିସହିତ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଏହି ଘଟଣାକୁ ଚପାଇଦେବାକୁ ଏସିପି ଓ ଥାନା ଅଧିକାରୀ ପୀଡିତାଙ୍କ ଉପରେ ଚାପ ପକାଇବା ସହ ଧମକ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ସରକାର ପୋଲିସ ଜନତାଙ୍କ ସେବକ ବୋଲି କହୁଥିବା ବେଳେ ଥାନାରେ ଏଭଳି ନିର୍ଯାତନା ‘କଥା ଓ କାମ’ ଭିତରେ ଫରକକୁ ପଦାରେ ପକାଇ ଦେଇଛି ।

ସୂଚନା ଅନୁସାରେ, ଖଣ୍ଡଗିରି ଥାନା ନିକଟସ୍ଥ ତପୋବନବସ୍ତି ବରବାରିରେ ରାଜୁ ଡାକୁଆଙ୍କ ପତ୍ନୀ ଲକ୍ଷ୍ମୀ ଡାକୁଆ ରୁହନ୍ତି । ଲକ୍ଷ୍ମୀଙ୍କ ଘର ସମ୍ମୁଖ ପ୍ରାଇଭେଟ ପ୍ଳଟରେ ଅମୀୟ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଭଡାରେ ରୁହନ୍ତି । ଗତ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଅମୀୟ ତାଙ୍କର ଏକ ୱାଗନର କାରକୁ ରାସ୍ତା ପାଶ୍ୱର୍ରେ ରଖିଥିଲେ । ଯାହାକି ଯିବା ଆସିବା ପାଇଁ ସମସ୍ତଙ୍କୁ ଅସୁବିଧା ହୋଇଥିଲା । ଲକ୍ଷ୍ମୀଙ୍କ ବାଇକ ଯିବା ପାଇଁ ଅସୁବିଧା ହେବାରୁ ସେ ଘର ମାଲିକଙ୍କୁ ଡାକିଥିଲେ । ହେଲେ ସେ ଆସିନଥିଲେ । ତାର କିଛି ସମୟ ପରେ ଅମୀୟ ଓ ତାଙ୍କ ପତ୍ନୀ ଗାଡି ପାଖକୁ ଆସିଥିଲେ ।

ଲକ୍ଷ୍ମୀ କହିଥିଲେ ଗାଡି ଟିକେ ସାଇଡ କରି ରଖନ୍ତୁ ଯିବା ଆସିବା ପାଇଁ ଅସୁବିଧା ହେଉଛି । ଏଥିରେ ସେ ଉତକ୍ଷିପ୍ତ ହୋଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ଅମୀୟଙ୍କ ପତ୍ନୀଙ୍କ ସହ ଲକ୍ଷ୍ମୀଙ୍କ ମାର୍‌ପିଟ ହୋଇଥିଲା । ପରେ ବସ୍ତିର ଲୋକମାନେ ବୁଝାସୁଝା କରିଥିଲେ । ଏନେଇ ସେ ପିସିଆରରେ ଅଭିଯୋଗ କରିବା ପରେ ପୋଲିସ ଆସି ଉଭୟଙ୍କୁ ବୁଝାସୁଝା କରିବା ପରେ ଚାଲି ଯାଇଥିଲା । ଶନିବାର ଦିନ ଅମୀୟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।

ଲକ୍ଷ୍ମୀ ପୁଣି ପାଲଟା ଅଭିଯୋଗ କରିବାକୁ ଶନିବାର ରାତି ୯ଟାରେ ଯାଇଥିଲେ । କାର୍ଯ୍ୟରେ ଥିବା ମହିଳା ସବ ଇନ୍ସପେକ୍ଟର ପାୟଲ ପ୍ରଧାନ ତାଙ୍କ ଅଭିଯୋଗ ନ ରଖି ଫୋପାଡି ଦେଇଥିବା ଲକ୍ଷ୍ମୀ ଅଭିଯୋଗ ଆଣିଥିଲେ । ପରେ ତାଙ୍କୁ ରୁମ ଭିତରେକୁ ନେଇ ନିର୍ଧୁମ ମାଡ ମାରିଥିôଲେ । ଏନେଇ ମହିଳା ଜଣକ ଡିସିପିଙ୍କୁ ଭେଟି ଅଭିଯୋଗ କରିଥିଲେ । ଏପରିକି ଘଟଣା ଗଣମାଧ୍ୟମରେ ପ୍ରକଶ ପାଇଥିଲା । ଘଟଣା ପ୍ରଘଟ ହେବା ପରେ ଥାନା ଅଧିକାରୀ ଓ ଏସିପି ମାମଲାକୁ ରଫାଦଫା କରିବାକୁ ସଂପୃକ୍ତ ମହିଳାଙ୍କୁ ଧମକ ଦେଇଥିଲେ । ହେଲେ ଏହି ମାମଲା ବିଧାନସଭାରେ ଉଠିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।


Reporterspen