ନିୟମକୁ ଫୁ; ବିନା ଅନୁମତିରେ ଚାଲୁଛି ଯାତ୍ରା, ପୋଲିସ ଚୁପ୍‌ !

Reporterspen

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ଆଇନଉଲଂଘନକାରୀଙ୍କ କ୍ଷେତ୍ରରେ ଜିରୋ-ଟଲେରାନ୍ସ ନୀତି ଆପଣାଉଥିବା କମିଶନରେଟ ପୋଲିସକୁ ଏବେ ଶକ୍ତ ଧକ୍କା ଲାଗିଛି । ନୀତି-ନିୟମ ଓ ଆଇନ-କାନୁନକୁ ଦଳିମକଚି ରାଜଧାନୀ ଛାତି ଉପରେ କିଛି ଅସାଧୁ ବ୍ୟକ୍ତି ବିନା ଅନୁମତିରେ ଯାତ୍ରା ପରିବେଷଣ କରୁଛନ୍ତି । ପୋଲିସ ମଧ୍ୟ ସବୁ ଜାଣି ଚୁପ୍ ବସିଛି । ଯଦି ଯାତ୍ରା ପରିବେଷଣ ବେଳେ କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ଦାୟୀ ରହିବ?

ସୂଚନା ଅନୁସାରେ, ମୈତ୍ରୀବିହାର ଥାନା ସାଲିଆସାହି ନିକଟରେ ବିଗତ କିଛିଦିନ ହେଲା ପର୍ଯ୍ୟାୟ କ୍ରମେ ଭିନ୍ନ ଭିନ୍ନ ଯାତ୍ରା ଅନୁଷ୍ଠାନ ଦ୍ୱାରା ଯାତ୍ରା ପରିବେଷଣ କରାଯାଉଛି । ସେହି ଅଞ୍ଚଳର ଏକ ନିର୍ଦ୍ଦିଷ୍ଠ କମିଟି ଏହି ଯାତ୍ରା ପରିବେଷଣ କରୁଛନ୍ତି । ନିୟମ ଅନୁସାରେ ଯେ କୌଣସି ସ୍ଥାନରେ ଯାତ୍ରା ପରିବେଷଣ କରାଯିବ, ସେଠାରେ ସ୍ଥାନୀୟ ପୋଲିସ ପ୍ରଶାସନଙ୍କ ପାଖରୁ ଅନୁମତି ନେବା ବାଧ୍ୟତାମୂଳକ । ମାତ୍ର ଗତ କିଛିଦିନ ହେଲା ରାଜଧାନୀର ଛାତି ଉପରେ ବିନା ପୋଲିସ ଅନୁମତିରେ ଯାତ୍ରା ପରିବେଷଣ କରାଯାଉଛି । ଦୁଇଟି ଯାତ୍ରା ଅନୁଷ୍ଠାନ ଯିବା ପରେ ଏବେ ତୃତୀୟ ପାର୍ଟିର ଯାତ୍ରା ପରିବେଷଣ ଚାଲୁରହିଛି ।

ମାତ୍ର ନୀତି-ନିୟମକୁ ଜାବୁଡି ଧରିଥିବା କମିଶନରେଟ ପୋଲିସ ଏଠି ହାର ମାନିଛି । ଅନୁମତି ନଥାଇ ବାରମ୍ବାର ଯାତ୍ରା ପରିବେଷଣ ହେଉଥିଲେ ମଧ୍ୟ ପୋଲିସ ପାଟି ଚୁପ୍ । ନା ତାଗିଦ କରୁଛି ଓ ନାଁ ଅନୁମତି ନେବାକୁ କହୁଛି । ବରଂ ଯାତ୍ରା ପେଣ୍ଡାଲ ଚାରିପାଖରେ ପଇଁତରା ମାରି ସେମାନଙ୍କୁ ଉତ୍ସାହିତ କରୁଛି । ବିନା ଅନୁମତିରେ ଯାତ୍ରା ପରିବେଷଣକୁ ପୋଲିସ କାହିଁକି ରୋକିପାରୁନି? ଭୟ, ଚାପ ନା ଏହା ପଛରେ ପୋଲିସ ବଡପଣ୍ଡାଙ୍କ ସ୍ୱାର୍ଥ ଜଡିତ ରହିଛି?

ଭଗବାନଙ୍କ ଦୟାରୁ ଏବେ ପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନାହିଁ । ଯଦି ଭବିଷ୍ୟତରେ କିଛି ଅଘଟଣ ଘଟେ, ତେବେ ହଜାର ହଜାର ଲୋକଙ୍କ ଜୀବନ ପାଇଁ କିଏ ଦାୟୀ ରହିବ? ପୋଲିସ ଲୋକଙ୍କୁ କି ଜବାବ ଦେବ? ଦୁର୍ଘଟଣାରେ ଯେପରି ଗୋଟିଏ ବି ଜୀବନ ନଯାଉ, ସେଥିପ୍ରତି ଦୃଷ୍ଟି ଦେଇ ପୋଲିସ କମିଶନର ସଂଜୀବ ପଣ୍ଡା ନାଇଟ ମଦୁଆ ଗାଡି ଚାଳକଙ୍କ ଠାରୁ ଆରମ୍ଭ କରି ନାଇଟ ବ୍ଲକିଂ ପର୍ଯ୍ୟନ୍ତ ଯାଞ୍ଚକୁ କଡାକଡି କରିଛନ୍ତି । କିନ୍ତୁ, ବିନା ଅନୁମତିରେ ଯାତ୍ରା ପରିବେଷଣକୁ କିପରି ଅଣଦେଖା କରୁଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସମ୍ପର୍କରେ ମତାମତ ନେବାକୁ ଆମେ ମୈତ୍ରୀ ବିହାର ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ସହ ଯୋଗାଯୋଗ କରିଥିଲୁ, ହେଲେ ସେ ଫୋନ ଉଠାଇନଥିଲେ ।


Reporterspen